Student death India: ଆତ୍ମହତ୍ୟା ମାନେ କେବଳ ବ୍ୟକ୍ତିଗତ କ୍ଷତି ନୁହେଁ, ଏହା ଏକ ପରିବାରର, ଏକ ଜାତିର ଏକ ସମାଜର କ୍ଷତି। ଯାହାର ପ୍ରଭାବ ଧୀରେ ଧୀରେ ଏମାନଙ୍କୁ କବଳିତ କରେ। ବିଶେଷ କରି ଯଦି ଜଣେ ଛାତ୍ର ଆତ୍ମହତ୍ୟା କରେ ତେବେ ପରିବାରର କ୍ଷତି ସହିତ ଦେଶର ଭବିଷ୍ୟତ ବି ଉଜୁଡ଼ିଯାଏ। ଦୁଃଖର କଥା ହେଲା ବର୍ତ୍ତମାନ ଭାରତର ଏଇ ଭବିଷ୍ୟତ ଧୀରେ ଧୀରେ ଭୁଶୁଡ଼ିବାକୁ ଲାଗୁଛି। ଆମ ଦେଶରେ ଛାତ୍ରଛାତ୍ରୀମାନଙ୍କ ଆତ୍ମହତ୍ୟା ଖବର ସତରେ ଖୁବ୍ ଚିନ୍ତାଜନକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଏହାର ସଦ୍ୟତମ ରିପୋର୍ଟ 'ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଆତ୍ମହତ୍ୟା ୨୦୨ ୪' ରେ ଏଭଳି ଚିନ୍ତାଜନକ ଖବର ସାମ୍ନାକୁ ଆସିଛି।

ଭାରତର ଅତ୍ୟଧିକ ପ୍ରତିଯୋଗିତାମୂଳକ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ନେଇ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରୀକ୍ଷାକୁ ନେଇ ଅନିଶ୍ଚିତତା, ବିଫଳତାର ଭୟ ଏବଂ ପରିବାରର ଅତ୍ୟଧିକ ଆଶା ଆଦି ମିଶି କୋମଳମତି ପିଲାମାନଙ୍କ ଉପରେ ଏଭଳି ମାନସିକ ଚାପ ପକାଉଛି ଯେ ଯାହା ସେମାନଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରୁଛି। ନିକଟରେ ପ୍ରକାଶିତ ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (NCRB) ର ତଥ୍ୟ ଏହି ସଙ୍କଟକୁ ଆହୁରି ସ୍ପଷ୍ଟ କରିଛି।

ଗୋଆରେ ସମ୍ପ୍ରତି ଜଣେ ୧୭ ବର୍ଷୀୟ ଛାତ୍ର ପେପର୍ ଲିକ୍ ବିବାଦ ମଧ୍ୟରେ NEET-UG (ଜାତୀୟ ଡାକ୍ତରୀ ପ୍ରବେଶିକା) ବାତିଲ ହେବା ପରେ ଦୁଃଖରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲା ପୁଣି ଥରେ ଭାରତର ଅତ୍ୟଧିକ ପ୍ରତିଯୋଗିତାମୂଳକ ପରୀକ୍ଷା ଇକୋସିଷ୍ଟମକୁ ଘେରି ରହିଥିବା ଭାବପ୍ରବଣଗତ ଆଘାତ ଉପରେ ଦୃଷ୍ଟି ଆକର୍ଷଣ କରିଛି, ଯେଉଁଠାରେ ଅନିଶ୍ଚିତତା, ବିଫଳତାର ଭୟ ଏବଂ ପିତାମାତାଙ୍କ ଆଶା ପ୍ରାୟତଃ ଅତ୍ୟଧିକ ମାନସିକ ଚାପ ସୃଷ୍ଟି କରିଥାଏ। ବଡ଼ କଥା ହେଲା ଦେଶରେ ମୋଟ ଆତ୍ମହତ୍ୟା ଘଟଣା କମିଥିବା ବେଲେ ଛାତ୍ରଛାତ୍ରୀ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି।

Also Read- ଉତ୍ତରାଖଣ୍ଡ ନୈନିତାଲରେ ଭୀଷଣ ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା କାର, ଜଣେ ମହିଳାଙ୍କ ସମେତ ୫ମୃତ

NCRB ଅନୁଯାୟୀ, ଭାରତରେ ୨୦୨୪ ମସିହାରେ ୧୭୦,୭୪୬ ଜଣ ଆତ୍ମହତ୍ୟା ରେକର୍ଡ କରାଯାଇଥିଲା, ଯାହା ୨୦୨୩ରେ ରିପୋର୍ଟ ହୋଇଥିବା ୧୭୧,୪୧୮ ଜଣ ଆତ୍ମହତ୍ୟା ତୁଳନାରେ ପ୍ରାୟ ୦.୪ ପ୍ରତିଶତ ହ୍ରାସ ପାଇଛି। ଜାତୀୟ ଆତ୍ମହତ୍ୟା ହାର ମଧ୍ୟ ସାମାନ୍ୟ ହ୍ରାସ ପାଇଛି, ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରେ ୧୨.୩ ରୁ ୧୨.୨ କୁ ହ୍ରାସ ପାଇଛି। ଯଦିଓ ଅତ୍ମହତ୍ୟା ହାର କମିଛି, ହେଲେ ଛାତ୍ରଛାତ୍ରୀ ଆତ୍ମହତ୍ୟାର ଯେଉଁ ଟ୍ରେଣ୍ଡ ସୃଷ୍ଟି ହୋଇଛି ତାହା ଗଭୀର ଚିନ୍ତାଜନକ।

ଘଣ୍ଟାକୁ ପ୍ରାୟ ଦୁଇଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଛାତ୍ର ଆତ୍ମହତ୍ୟା ୧୩, ୮୯୨ ରୁ ୨୦୨୪ ମସିହାରେ ୧୪,୪୮୮ ରେ ବୃଦ୍ଧି ପାଇଛି। ଅର୍ଥାତ ଗୋଟିଏ ବର୍ଷରେ ଅଧିକ ୫୯୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଯାହା ମାମଲାର ପ୍ରାୟ ୪.୩ ପ୍ରତିଶତ ବୃଦ୍ଧି। ୨୦୨୪ ମସିହାରେ ଭାରତରେ ହୋଇଥିବା ସମସ୍ତ ଆତ୍ମହତ୍ୟାର ୮.୫ ପ୍ରତିଶତ ଭାଗ କେବଳ ଛାତ୍ରଛାତ୍ରୀଙ୍କର ଥିଲା। ୨୦୨୩ ମସିହାରେ ଏହି ଅଂଶ ଥିଲା ୮.୧ ପ୍ରତିଶତ। ବର୍ଷକ ମଧ୍ୟରେ ମୋଟ ୧୪,୪୮୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହାର ଅର୍ଥ ହେଉଛି ଭାରତରେ ପ୍ରତିଦିନ ହାରାହାରି ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ନିଜର ଜୀବନ ହାରୁଛନ୍ତି। ଯଦି ଆମେ ଏହାକୁ ଘଣ୍ଟା ହିସାବରେ ଦେଖିବା, ତେବେ ପ୍ରତି ଘଣ୍ଟାରେ ପ୍ରାୟ ୧.୬୫ ଛାତ୍ରଛାତ୍ରୀ କିମ୍ବା ପ୍ରତି ୩୬ ମିନିଟରେ ଜଣେ ଛାତ୍ର/ଛାତ୍ରୀ ଦେଶର କୌଣସି ନା କୌଣସି ସ୍ଥାନରେ ଆତ୍ମହତ୍ୟା କରୁଛନ୍ତି।

କେତକ ରାଜ୍ୟରେ ଛାତ୍ରୀ ଆତ୍ମହତ୍ୟା ସଂଖ୍ୟା ଚିନ୍ତାଜନକ ରହିଛି

ଏହି ସଙ୍କଟ ଉଭୟ ପୁଅ ଓ ଝିଅଙ୍କ କ୍ଷେତ୍ରରେ ସମାନ ଭାବେ ଦେଖାଦେଇଛି। ୨୦୨୪ ର ମୋଟ ଛାତ୍ର ଆତ୍ମହତ୍ୟା ମଧ୍ୟରୁ ୭,୬୬୯ ଜଣ ଛାତ୍ର (ପୁଅ) ଥିବାବେଳେ ୬,୮୧୯ ଜଣ ଛାତ୍ରୀ (ଝିଅ) ଥିଲେ। କିଛି ରାଜ୍ୟରେ ତ ଛାତ୍ରୀମାନଙ୍କ ଆତ୍ମହତ୍ୟା ସଂଖ୍ୟା ଛାତ୍ରମାନଙ୍କ ଅପେକ୍ଷା ଅଧିକ ରହିଛି। ରାଜ୍ୟ ଅନୁସାରେ ଦେଖିଲେ ଗୁଜୁରାଟରେ ୩୨୮ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୨୪୦ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମଧ୍ୟପ୍ରଦେଶରେ ୭୩୧ ଜଣ ଛାତ୍ରୀ, ୭୧୬ ଜଣ ଛାତ୍ର, ପଞ୍ଜାବରେ ୯୧ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ୧୦୨ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବା ରିପୋର୍ଟ କରାଯାଇଛି।ତଥାପି, ଜାତୀୟ ସ୍ତରରେ, ପୁରୁଷମାମାନଙ୍କ ଆତ୍ମହତ୍ୟାର ମାମଲା ସର୍ବାଧିକ ରହିଛି।

Also Read- '୬୦ ଦିନରେ ନୂଆ ଚାକିରି ଖୋଜ ନଚେତ୍ ଆମେରିକା ଛାଡ଼', H-1B ଭିସା ଧାରକ ଭାରତୀୟଙ୍କୁ ଅଲ୍ଟିମେଟମ୍

ରାଜ୍ୟ ସ୍ତରୀୟ ଡାଟା/ ମୋଟ ଆତ୍ମହତ୍ୟାରେ ଆଗରେ ଏହି ୫ ରାଜ୍ୟ

ରାଜ୍ୟସ୍ତରୀୟ ତଥ୍ୟ ଦର୍ଶାଉଛି ଯେ ୨୦୨୪ ମସିହାରେ ମହାରାଷ୍ଟ୍ରରେ ସର୍ବାଧିକ ୧,୯୦୯ (୧୩.୨ ପ୍ରତିଶତ)ଛାତ୍ରଛାତ୍ରୀ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି। ଏହା ପରେ ଉତ୍ତର ପ୍ରଦେଶ (୧,୫୮୫), ମଧ୍ୟପ୍ରଦେଶ (୧,୪୪୭) ଏବଂ ତାମିଲନାଡୁ (୧,୨୮୭) ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତେବେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଛାଡ଼ି ଦେଲେ ଆହୁରି ଚିନ୍ତାଜନକ ବିଷୟ ହେଲା ଦେଶରେ ମୋଟ ଆତ୍ମହତ୍ୟା ମାମଲାରେ କ୍ରମାଗତ ତିନି ବର୍ଷ - ୨୦୨୨, ୨୦୨୩ ଏବଂ ୨୦୨୪ ପାଞ୍ଚ ରାଜ୍ୟ ଶୀର୍ଷରେ ରହିଛନ୍ତି। ଏମିତିକ ସେମାନଙ୍କ କ୍ରମନ୍ୱୟ ମଧ୍ୟ ଅପରିବର୍ତ୍ତିତ ରହିଛି। ତିନି ବର୍ଷ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ଶ୍ରେଷ୍ଠ ପଞ୍ଚମ ସ୍ଥାନରେ ରହିଛନ୍ତି।

ଶୀର୍ଷରେ ଥିବା ୫ ରାଜ୍ୟ ଏବଂ ସହରାଞ୍ଚଳର ସ୍ଥିତି

NCRB ରିପୋର୍ଟରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ବିଗତ ତିନି ବର୍ଷ (୨୦୨୨, ୨୦୨୩ ଏବଂ ୨୦୨୪) ଧରି ଭାରତରେ ଆତ୍ମହତ୍ୟା ମାମଲାରେ ଶୀର୍ଷରେ ଥିବା ୫ଟି ରାଜ୍ୟର ସ୍ଥିତି ଓ କ୍ରମ ସମାନ ରହିଛି। ଆତ୍ମହତ୍ୟାରେ ଶୀର୍ଷରେ ଥିବା ୫ ରାଜ୍ୟରେ ଡାଟା ଅନୁସାରେ, ୨୦୨୪ ମସିହାରେ, ମହାରାଷ୍ଟ୍ରରେ ୨୨,୧୭୪ ଜଣ ଆତ୍ମହତ୍ୟା କରିଥିବା ବେଳେ ତାମିଲନାଡୁ (୧୯,୯୬୫), ମଧ୍ୟପ୍ରଦେଶ (୧୫,୪୯୧), କର୍ଣ୍ଣାଟକ (୧୩,୧୫୧) ଏବଂ ପଶ୍ଚିମବଙ୍ଗ (୧୨,୯୩୧) ଆତ୍ମହତ୍ୟା କରିଛନ୍ତି। ବର୍ଷକ ମଧ୍ୟରେ ଭାରତରେ ହୋଇଥିବା ସମସ୍ତ ଆତ୍ମହତ୍ୟାର ପ୍ରାୟ ୪୯ ପ୍ରତିଶତ ମାମଲା ଏହି ୫ ରାଜ୍ୟରେ ହୋଇଛି।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ଅଞ୍ଚଳଗୁଡ଼ିକରେ କ୍ରମାଗତ ଭାବେ ଶିକ୍ଷାଗତ ଚାପ, ସହରୀ ଜୀବନଶୈଳୀର ଚାପ, ଆର୍ଥିକ ଚିନ୍ତା, ପାରିବାରିକ ବିବାଦ ଏବଂ ମାନସିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ଭଳି ସାଂଗଠନିକ ସମସ୍ୟା ରହିଛି।

ଏହା ସହିତ ସହରାଞ୍ଚଳରେ ମାନସିକ ସ୍ୱାସ୍ଥ୍ୟ ସଙ୍କଟ ବୃଦ୍ଧି ପାଉଥିବା ଦେଖାଯାଇଛି। ୨୦୨୪ ରେ ଜାତୀୟ ସ୍ତରରେ ହାରାହାରି ଆତ୍ମହତ୍ୟା ହାର ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୨.୨ ଥିବାବେଳେ, ସହରଗୁଡ଼ିକରେ ଏହି ହାର ପ୍ରତି ୧ ଲକ୍ଷରେ ୧୬.୩ ରହିଛି।ଏହି ରିପୋର୍ଟରେ ସହରାଞ୍ଚଳର ମାନସିକ-ସ୍ୱାସ୍ଥ୍ୟ ସଙ୍କଟ ବୃଦ୍ଧି ପାଉଥିବା ଉପରେ ମଧ୍ୟ ଆଲୋକପାତ କରାଯାଇଛି।NCRB ତଥ୍ୟ ଦର୍ଶାଉଛି ଯେ ୨୦୨୪ ମସିହାରେ ସହରଗୁଡ଼ିକରେ ଆତ୍ମହତ୍ୟା ହାର ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରେ ୧୬.୩ ଥିଲା, ଯାହା ଜାତୀୟ ହାର ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରେ ୧୨.୨ ଆତ୍ମହତ୍ୟା ହାର ତୁଳନାରେ ଯଥେଷ୍ଟ ଅଧିକ। ବର୍ଷକ ମଧ୍ୟରେ ଦେଶର ୫୩ଟି ମେଗା ସିଟିରୁ ମୋଟ ୨୬,୧୫୦ ଆତ୍ମହତ୍ୟା ରିପୋର୍ଟ କରାଯାଇଛି।

ଆତ୍ମହତ୍ୟାର ପ୍ରମୁଖ କାରଣ

ସାଧାରଣ ଭାବେ ଭାରତରେ ଆତ୍ମହତ୍ୟାର ସବୁଠାରୁ ବଡ଼ କାରଣ ହେଉଛି "ପାରିବାରିକ ସମସ୍ୟା (ବିବାହ ଜନିତ ସମସ୍ୟା ବ୍ୟତୀତ)", ଯାହା ମୋଟ ମାମଲାର ୩୩.୫ ପ୍ରତିଶତ। ଏହା ପଛକୁ "ଅସୁସ୍ଥତା" ଯୋଗୁଁ ୧୮ ପ୍ରତିଶତ ଏବଂ "ନିଶାଦ୍ରବ୍ୟ ସେବନ/ଅଭ୍ୟାସ" ଯୋଗୁଁ ୭.୬ ପ୍ରତିଶତ ଆତ୍ମହତ୍ୟା ହେଉଛି। ଏହି ତିନୋଟି କାରଣ ମିଶି ଦେଶର ପ୍ରାୟ ୫୯ ପ୍ରତିଶତ ଆତ୍ମହତ୍ୟା ପାଇଁ ଦାୟୀ।

ତେବେ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପରୀକ୍ଷାରେ ବିଫଳତା କେବଳ ଏକ ବାହ୍ୟ କାରଣ ମାତ୍ର। ଏହା ପଛରେ ଦୀର୍ଘ ଦିନର ମାନସିକ ଏକାକୀତ୍ୱ, ପିତାମାତାଙ୍କୁ ନିରାଶ କରିବାର ଭୟ, ଆର୍ଥିକ ଚାପ, ବିଫଳତା ପାଇଁ ସାମାଜିକ ବଦନାମ, କ୍ୟାରିୟର ଚିନ୍ତା ଏବଂ ସମୟୋଚିତ କାଉନସେଲିଂ (ପରାମର୍ଶ) ର ଅଭାବ ରହିଥାଏ।

କିଛି ଦୁଃଖଦ ଉଦାହରଣ:

ଅକୋଲା (Akola): ଚଳିତ ମାସରେ ଦଶମ ଶ୍ରେଣୀ ପରୀକ୍ଷାରେ ୬୯ ପ୍ରତିଶତ ମାର୍କ ରଖିବା ପରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି।
ଉତ୍ତର ପ୍ରଦେଶ: ଜଣେ ବି.ଟେକ୍ (BTech) ଛାତ୍ର ହଷ୍ଟେଲ ରୁମରେ ଆତ୍ମହତ୍ୟା କରିବା ସହ ନିଜ ପିତାମାତାଙ୍କ ଆଶା ପୂରଣ କରିନପାରିଥିବାରୁ କ୍ଷମା ମାଗି ଚିଠି ଛାଡ଼ି ଯାଇଛନ୍ତି।

Also read- Twisha Sharma Case: ମୃତ୍ୟୁ ପୂର୍ବରୁ ଭଜନର ତାଳେ ତାଳେ ନାଚୁଥିବାର ନଜର ଆସିଲେ ତ୍ଵିଶା, ଭାଇରାଲ ଭିଡିଓରୁ ଫିଟୁଛି ଗୁମର

ଉତ୍ତରାଖଣ୍ଡ (ଉଧମ ସିଂହ ନଗର): ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଫେଲ ହେବା ପରେ ଜଣେ ୧୮ ବର୍ଷର ଛାତ୍ର ଜୀବନ ହାରିଛନ୍ତି।
ପାଟନା: ଗତ ମାସରେ ଜଣେ ଇଞ୍ଜିନିୟରିଂ ଆଶାୟୀ ଛାତ୍ର ପାଠପଢ଼ାରେ ଭଲ କରିନପାରିବାରୁ ପିତାମାତାଙ୍କୁ ସୁସାଇଡ୍ ନୋଟ୍ରେ ସରି ଲେଖି ହଷ୍ଟେଲରେ ଫାଶୀ ଲଗାଇଛନ୍ତି।

ଏହା ଏକ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି

ଏହି ସମସ୍ତ ଘଟଣା ଏକ ଅପ୍ରିୟ ସତ୍ୟକୁ ଦର୍ଶାଉଛି ଯେ, ଭାରତର ଶିକ୍ଷା ବ୍ୟବସ୍ଥା ପିଲାମାନଙ୍କର ପରିଚୟ, ସମ୍ମାନ ଏବଂ ଭବିଷ୍ୟତକୁ କେବଳ ପରୀକ୍ଷାର ମାର୍କ ସହ ଯୋଡ଼ି ଦେଇଛି। ଯଦି ପ୍ରତିଦିନ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ମୃତ୍ୟୁବରଣ କରୁଛନ୍ତି, ତେବେ ଏହାକୁ ଆଉ କେବଳ ଗୋଟିଏ ପରିବାରର ବ୍ୟକ୍ତିଗତ ଦୁଃଖ କୁହାଯାଇପାରିବ ନାହିଁ। ଏହା ଏକ 'ପବ୍ଲିକ ହେଲ୍ଥ ଏମରଜେନ୍ସି' ବା ଜାତୀୟ ଜରୁରୀକାଳୀନ ପରିସ୍ଥିତି।

ଆଜି ବି ଦେଶର ଅଧିକାଂଶ ସ୍କୁଲ ଓ କଲେଜରେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ (Counseling) ର ଘୋର ଅଭାବ ରହିଛି। ପିତାମାତା, ଶିକ୍ଷାନୁଷ୍ଠାନ ଏବଂ ସରକାର କେବଳ ଶିକ୍ଷାଗତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ପିଲାଙ୍କ ମାନସିକ ସୁସ୍ଥତାକୁ ଅଣଦେଖା କରାଯାଉଛି। NCRB ର ଏହି ସଂଖ୍ୟା କେବଳ ପରିସଂଖ୍ୟାନ ନୁହେଁ, ବରଂ ଏହା ଦର୍ଶାଉଛି କେମିତି ପ୍ରତିଦିନ ଶ୍ରେଣୀଗୃହଗୁଡ଼ିକ ଶୂନ୍ୟ ହେଉଛି, ପରିବାରଗୁଡ଼ିକ ଉଜୁଡ଼ି ଯାଉଛନ୍ତି ଏବଂ ଦେଶର ଭବିଷ୍ୟତ ଅକାଳରେ ଝଡ଼ିପଡୁଛି।