ନୂଆଦିଲ୍ଲୀ: ଆଗକୁ ଆସୁଛି ପର୍ବପର୍ବାଣୀ। ହେଲେ ଏଥର ମିଠା ଅଧିକ ମହଙ୍ଗା ହେବ। କାରଣ ମହଙ୍ଗା ହୋଇପାରେ ଚିନି ଦର। ଦୁର୍ବଳ ମୌସୁମୀ ବର୍ଷା ଏବଂ କମ୍ ଷ୍ଟକ୍‌କୁ ନେଇ ଆଶଙ୍କା ମଧ୍ୟରେ ଚଳିତ ସିଜନରେ ଚିନି ଦର ସର୍ବକାଳୀନ ସର୍ବୋଚ୍ଚ ସ୍ତରକୁ ପହଞ୍ଚିପାରେ। ବଜାର ବିଶେଷଜ୍ଞମାନଙ୍କ ମତରେ, ପ୍ରଥମ ଥର ପାଇଁ ଚିନିର ଏକ୍ସ-ଫ୍ୟାକ୍ଟରି ଦର ଏବଂ ପାଇକାରୀ ଦର କେଜି ପ୍ରତି ୫୦ ଟଙ୍କା ପାର୍ କରିପାରେ।

ଗତ ଏକ ମାସ ମଧ୍ୟରେ ମଧ୍ୟ ଚିନି ଦରରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି। ଚିନି ବ୍ୟବସାୟୀଙ୍କ କହିବା ଅନୁଯାୟୀ ଗତ ଏକ ମାସରେ ଚିନର ଏକ୍ସ ପ୍ୟାକ୍ଟ୍ରି ଦର କୁଇଣ୍ଟାଲ ପ୍ରତି ପ୍ରାୟ ୩୦୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ଦିଲ୍ଲୀରେ ଚିନିର ପାଇକାରୀ ଦର କ୍ୱିଣ୍ଟାଲ ପ୍ରତି ୪,୭୫୦ରୁ ୪,୮୫୦ ଟଙ୍କା ପହଞ୍ଚିଛି।

ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ନୂଆ ଚିନି ସିଜନ୍ ପୂର୍ବରୁ ଏକ୍ସ-ଫ୍ୟାକ୍ଟରି ଦର ପ୍ରତି କ୍ୱିଣ୍ଟାଲ ୫,୦୦୦ରୁ ୫,୧୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଅର୍ଥାତ୍ ପ୍ରଥମ ଥର ପାଇଁ ଏକ୍ସ-ଫ୍ୟାକ୍ଟରି ଦର ୫୦ ଟଙ୍କା ପ୍ରତି କିଲୋଗ୍ରାମ ସୀମା ଟପିପାରେ। ଏକ୍ସ-ଫ୍ୟାକ୍ଟରି ଦର ୫୦ ଟଙ୍କା ପ୍ରତି କିଲୋଗ୍ରାମକୁ ପହଞ୍ଚିଲେ ହୋଲସେଲ ବଜାରରେ ଚିନି ଦର ୫୫ ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ବଢ଼ିପାରେ।

କାହିଁକି ମହଙ୍ଗା ହେଉଛି ଚିନି?

ଆଇଗ୍ରେନ୍ ଇଣ୍ଡିଆର ନିର୍ଦ୍ଦେଶକ ରାହୁଲ ଚୌହାନ କହିଛନ୍ତି ଯେ, ଦୁର୍ବଳ ମୌସୁମୀ ବର୍ଷା ଏବଂ ଆଗାମୀ ସିଜନରେ ଅଖୁ ଉତ୍ପାଦନ କମିବାର ଆଶଙ୍କା ଯୋଗୁ ଚିନି ଦର ବଢ଼ୁଛି। ଯଦି ଖୁବଶୀଘ୍ର ମୌସୁମୀ ବର୍ଷାରେ ସୁଧାର ନଆସେ ଏବଂ ଅଖୁ ଉତ୍ପାଦନ ପ୍ରଭାବିତ ହୁଏ, ତେବେ ଆଗାମୀ ମାସଗୁଡ଼ିକରେ ଚିନି ଯୋଗାଣ କମିପାରେ। ଏହାର ପ୍ରଭାବରେ ଦର ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି।

ସବୁଠାରୁ ବଡ଼କଥା ହେଲା ଏଥର ଇଥାନଲ୍ ପାଇଁ ଚିନି କୋଟା ହଟାଯିବା ପରେ ଚଳିତ ସିଜନରେ ୩୦୦ ଲକ୍ଷ ଟନ୍ରୁ ଅଧିକ ଚିନି ଉତ୍ପାଦନ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ଅନୁମାନ ୨୮୦ରୁ ୨୮୫ ଲକ୍ଷ ଟନ୍କୁ ଖସିଆସିଛି। ସେପ୍ଟେମ୍ବର ଶେଷ ସୁଦ୍ଧା କ୍ଲୋଜିଂ ଷ୍ଟକ୍ ୧୦ରୁ ୧୫ ଲକ୍ଷ ଟନ୍ ରହିପାରେବୋଲି ଅନୁମାନ କରାଯାଉଥିବା ବେଳେ ପ୍ରତିମାସ ଦେଶର ଚାହିଦା ୨୨ରୁ ୨୫ ଲକ୍ଷ ଟନ୍ ରହୁଛି।

ବର୍ତ୍ତମାନର ମୌସୁମୀ ବର୍ଷା ପରିସ୍ଥିତିକୁ ଦେଖିଲେ ଆଗାମୀ ଚିନି ସିଜନରେ ମଧ୍ୟ ଉତ୍ପାଦନ ଆଶାଠାରୁ କମ୍ ରହିପାରେ। ଯଦି ଅକ୍ଟୋବର ଆରମ୍ଭରେ ଚିନି ଉତ୍ପାଦନ ମନ୍ଥର ରହେ, ତେବେ ବଜାରରେ ଯୋଗାଣ ସଙ୍କଟ ସୃଷ୍ଟି ହୋଇପାରେ, ଯାହା ଚିନି ଦରକୁ ଆହୁରି ବଢ଼ାଇପାରେ।