ନୂଆଦିଲ୍ଲୀ, ୦୪/୦୬ : ଭାରତୀୟ ଦଳର ଟି୨୦ ଫର୍ମାଟରୁ ବିଦା ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ । ଏନେଇ ବିସିସିଆଇ ନିଷ୍ପତ୍ତି ନେଇଥିବା କିଛି ରିପୋର୍ଟରେ ଜଣା ପଡିଛି । ସୂର୍ଯ୍ୟ କୁମାରଙ୍କ ନେତୃତ୍ୱରେ ଭାରତ ଏସିଆ କପ୍ ଏବଂ ଟି୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି । ହେଲେ ଗତ ଦୁଇ ତିନି ବର୍ଷ ହେଲା ସେ ଆଦୌ ଫର୍ମରେ ନାହାଁନ୍ତି । ତାଙ୍କ ବ୍ୟାଟରୁ ରନ୍ ବାହାରୁନି । ତେଣୁ ବିସିସିଆଇ ତାଙ୍କ ଜାଗାରେ ନୂଆ ଅଧିନାୟକ ନିଯୁକ୍ତ କରିବ ବୋଲି ଚର୍ଚ୍ଚା ହେଉଛି ।

ଅଧିନାୟକ ରେସରେ ତିନି ଷ୍ଟାର୍

ପିଟିଆଇର ରିପୋର୍ଟ ଅନୁସାରେ, ସୂର୍ଯ୍ୟ କୁମାରଙ୍କ ଜାଗା ନେବା ପାଇଁ ଦୁଇ ଜଣ ରେସରେ ଅଛନ୍ତି । ଏହି ଦୁଇ ଖେଳାଳି ହେଲେ ଶ୍ରେୟସ ଆୟର ଏବଂ ତିଲକ ବର୍ମା । କିନ୍ତୁ ଏମାନଙ୍କ ବ୍ୟତୀତ ଦଳ ଅନ୍ୟ କାହାକୁ ମଧ୍ୟ ଅଧିନାୟକ କରିପାରେ ।

ଆଗରେ ଆୟର

ରେସରେ ଆଗରେ ଅଛନ୍ତି ଶ୍ରେୟସ ଆୟର । ସେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସକୁ ଚାମ୍ପିଅନ୍ କରିଥିଲେ । ଏବେ ଆୟର ପଞ୍ଜାବ କିଙ୍ଗସର ଅଧିନାୟକ ଅଛନ୍ତି । ସେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିଥାନ୍ତି । ଏହି ସ୍ଥାନରେ ସୂର୍ଯ୍ୟ କୁମାର ମଧ୍ୟ ବ୍ୟାଟିଂ କରନ୍ତି । ଏବେସୁଦ୍ଧା ଆୟର ୧୪ଟି ଟେଷ୍ଟ୍, ୭୬ଟି ଦିନିକିଆ ଏବଂ ୫୧ଟି ଟି୨୦ ମୁକାବିଲା ଖେଳିଛନ୍ତି ।

Also Read :- ମୁମ୍ବାଇ ଇଣ୍ଡିଆନ୍ସ ଦେଲାନି ପୂରା ଟଙ୍କା, ଫ୍ରାଞ୍ଚାଇଜ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଦେଶୀ ଖେଳାଳି

ସେହିପରି ଅଧିନାୟକ ଦୌଡରେ ତିଲକ ବର୍ମା ମଧ୍ୟ ରହିଛନ୍ତି । ବାମହାତୀ ତିଲକ ଭାରତକୁ ଅନେକ ବିଜୟ ଉପହାର ଦେଇଛନ୍ତି ।ଶ୍ରୀଲଙ୍କାରେ ଏକ ସିରିଜ୍ ପାଇଁ ତାଙ୍କୁ ଦଳ ଅଧିନାୟକ ଭାର ଦେଇଛି । ଏଠାରେ ତାଙ୍କର ଦକ୍ଷତା ଏବଂ ଯୋଗ୍ୟତା ଜଣା ପଡିବ । ୨୩ ବର୍ଷୀୟ ତିଲକ ଦୀର୍ଘ ଦିନ ଧରି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ଅଛନ୍ତି । ଏସିଆ କପ୍ ଫାଇନାଲରେ ସେ ପାକିସ୍ତାନ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ ।

ସବୁଠାରୁ ବଡ କଥା ହେଲା ଯେ, ଶ୍ରେୟସଙ୍କୁ ଗମ୍ଭୀର ସେତେଟା ପସନ୍ଦ କରୁ ନଥିବା ଚର୍ଚ୍ଚା ହୁଏ । ଗମ୍ଭୀରଙ୍କ ପସନ୍ଦ ହେଲେ ସଞ୍ଜୁ ସାମସନ୍ । ଟି୨୦ ବିଶ୍ୱକପରେ ସେ ଦମଦାର ବ୍ୟାଟିଂ କରିଥିଲେ । ସେହିପରି ଇଶାନ କିଷାନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହୁଛି ।