ନୂଆଦିଲ୍ଲୀ ୧୧।୦୮; ୨୦୨୬ ମସିହାର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ଆସନ୍ତା ଅଗଷ୍ଟ ୧୨ ତାରିଖରେ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଥର ସୂର୍ଯ୍ୟପରାଗ କର୍କଟ ରାଶିରେ ହେବାକୁ ଥିବାରୁ ଏହାର ଏକ ବିଶେଷ ଗୁରୁତ୍ୱ ରହିଛି। ବିଶେଷ କରି ସୂର୍ଯ୍ୟ, ଚନ୍ଦ୍ର ଏବଂ ବୃହସ୍ପତି କର୍କଟ ରାଶିରେ ଏକତ୍ରିତ ହେଉଥିବାରୁ ଏହି ମହାଜାଗତିକ ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ କି ନାହିଁ, ଏହାର ସମୟସୀମା କ’ଣ ଏବଂ ବିଭିନ୍ନ ରାଶି ଉପରେ ଏହାର କ’ଣ ପ୍ରଭାବ ପଡ଼ିବ, ଆସନ୍ତୁ ନଜର ପକାଇବା ଏହି ବିଶେଷ ରିପୋର୍ଟ ଉପରେ।

ଏହି ପରାଗ କେଉଁଠାରେ ଦୃଶ୍ୟମାନ ହେବ?

ବୁଧବାର, ଅଗଷ୍ଟ ୧୨ ତାରିଖରେ ହେବାକୁ ଯାଉଛି ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ। ଭାରତୀୟ ମାନକ ସମୟ ଅନୁସାରେ, ଏହି ପରାଗ ରାତି ୯ଟା ୦୪ ମିନିଟ୍ରୁ ଆରମ୍ଭ ହୋଇ ରାତି ୧୧ଟା ୧୬ ମିନିଟ୍ରେ ଏହାର ସର୍ବାଧିକ ପର୍ଯ୍ୟାୟରେ ପହଞ୍ଚିବ ଏବଂ ଅଗଷ୍ଟ ୧୩ ତାରିଖ ରାତି ୧ଟା ୨୭ ମିନିଟ୍ରେ ଶେଷ ହେବ। ଏହା ଏକ ପୂର୍ଣ୍ଣ ସୂର୍ଯ୍ୟପରାଗ ହୋଇଥିବାରୁ, ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିଦେବ। ତେବେ ଏହି ପରାଗ ଭାରତରେ ରାତି ସମୟରେ ହେଉଥିବାରୁ ଦୃଶ୍ୟମାନ ହେବନାହିଁ। ଯାହା ଫଳରେ ଭାରତରେ ସୂତକ ନିୟମ ପ୍ରଯୁଜ୍ୟ ହେବନାହିଁ।

ଭାରତରେ ଦୃଶ୍ୟମାନ ହେଉ ନଥିଲେ ବି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ରୁଷ, ଆଟଲାଣ୍ଟିକ ମହାସାଗର, ସ୍ପେନ ଏବଂ ପର୍ତ୍ତୁଗାଲର କିଛି ଅଞ୍ଚଳରେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ଏହା ବ୍ୟତୀତ ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀରେ ଏହା ଆଂଶିକ ସୂର୍ଯ୍ୟପରାଗ ଭାବେ ଦେଖାଯିବ।

ସୂର୍ଯ୍ୟପରାଗ ସମୟରେ କ'ଣ କରିବା ଏବଂ କ'ଣ କରିବା ଉଚିତ୍ ନୁହେଁ

ଶାସ୍ତ୍ର ଅନୁସାରେ, ଯେଉଁ ଅଞ୍ଚଳରେ ପରାଗ ଦୃଶ୍ୟମାନ ହୁଏ, ସେଠାରେ ଶୁଭକାର୍ଯ୍ୟ, ପୂଜାପାଠ କିମ୍ବା ମାଙ୍ଗଳିକ ଉତ୍ସବ ବାରଣ କରାଯାଏ। ପରାଗ ସମୟରେ ଖାଦ୍ୟ ଗ୍ରହଣ ନକରିବା, ଘରର ମନ୍ଦିର ଘୋଡ଼ାଇ ରଖିବା ଏବଂ ମନ୍ତ୍ର ଜପ କିମ୍ବା ଆଧ୍ୟାତ୍ମିକ ସାଧନା କରିବା ଶୁଭ ବୋଲି ବିଚାର କରାଯାଏ।

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ରାଶି ଗୁଡ଼ିକୁ ପ୍ରଭାବିତ କରିବ କି?

ଜ୍ୟୋତିଷୀୟ ଦୃଷ୍ଟିକୋଣରୁ, କର୍କଟ ରାଶିରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ବୃହସ୍ପତିଙ୍କ ଏହି ବିଶେଷ ସଂଯୋଗ ସବୁ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ। ବିଶେଷ କରି କର୍କଟ ରାଶିର ବ୍ୟକ୍ତିବିଶେଷଙ୍କୁ ଅଗଷ୍ଟ ୧୨ ତାରିଖ ପରବର୍ତ୍ତୀ ୩୦ ଦିନ ପର୍ଯ୍ୟନ୍ତ ସମ୍ପତ୍ତି କିଣାବିକା କିମ୍ବା ବଡ଼ ଧରଣର ଆର୍ଥିକ ନିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି, କାରଣ ଏହି ସମୟରେ ଦ୍ୱନ୍ଦ୍ୱ କିମ୍ବା ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଭାରତରେ ଏହି ସୂର୍ଯ୍ୟପରାଗ ଅଦୃଶ୍ୟ ରହୁଥିବାରୁ ନିୟମାବଳୀ କିମ୍ବା ସୂତକକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ।