• ଜନ୍ତର ମନ୍ତରରେ ପ୍ରଥମ ବିରୋଧ ପ୍ରଦର୍ଶନ ୧୯୯୩ ମସିହାରେ ହୋଇଥିଲା 
  • ରାଜଧାନୀରେ ବିକ୍ଷୋଭ ଓ ଧାରଣା ଆଦି ପ୍ରଦର୍ଶନ ଲାଗି ବୋଟ୍ କ୍ଲବ ଲନ୍ ଏକ ସୁରକ୍ଷିତ ସ୍ଥାନ ଥିଲା
  • ପୂର୍ବରୁ ଦିଲ୍ଲୀରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ଆକବର ରୋଡରେ ହେଉଥିଲା

ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀର କେନ୍ଦ୍ର ସ୍ଥଳରେ ଥିବା ଜନ୍ତର ମନ୍ତର ଏକ ଏପରି ସ୍ଥାନ ଯାହା ବର୍ଷ ବର୍ଷ ଧରି ଭାରତୀୟ ଗଣତନ୍ତ୍ରର ସ୍ୱର ହୋଇ ରହି ଆସିଛି। ବର୍ଷ ବର୍ଷରୁ ଏହି ସ୍ଥାନ ଶୋଷିତ, ନିଷ୍ପେସିତଙ୍କ ବ୍ୟଥାର ସାକ୍ଷୀ ହୋଇ ଆସିଛି। କେବଳ କଥା ଏତିକିରେ ନାହିଁ ଏଠାରେ ହୋଇଥିବା ଅନେକ ଆନ୍ଦୋଳନ ସରକାରଙ୍କୁ ନୁଆଁଇବା ସହ ଶାସନ ପରିବର୍ତ୍ତନର କାରଣ ହୋଇଛି। ଏବେ ଏହି ଜନ୍ତର ମନ୍ତରରେ କୌଣସି ପ୍ରକାରର ବିକ୍ଷୋଭ, ଆନ୍ଦୋଳନକୁ ନିଷିଦ୍ଧ କରିଦିଆଯାଇଛି।

୧୨ ଅକ୍ଟୋବର ୨୦୨୬ରେ ଦିଲ୍ଲୀ ପୋଲିସ ଆଦେଶ ଜାରି କରି ଜନ୍ତର-ମନ୍ତରକୁ ବିକ୍ଷୋଭ ସ୍ଥଳ ଭାବେ ଡିନୋଟିଫାଇ କରିଦେଇଛି। ଏହାର ଅର୍ଥ ହେଉଛି ଏଠାରେ ଏବେଠାରୁ ଆଉ କୌଣସି ଧାରଣ, ଅନଶନ ଅଥବା ବିରୋଧପ୍ରଦର୍ଶନ କରାଯାଇ ପାରିବନି। ତେବେ ଜନ୍ତର ମନ୍ତରରେ ଆନ୍ଦୋଳନ ନିଷିଦ୍ଧ ହେବା କୌଣସି ନୂଆ କଥା ନୁହେଁ। ଏଠାରେ ପୂର୍ବରୁ ବି ଅନେକବାର ପ୍ରଦର୍ଶନ, ଆନ୍ଦୋଳନ ନିଷିଦ୍ଧ ହୋଇଛି ଓ ପୁଣି ଏହି ନିଷେଧାଜ୍ଞ ହଟିଛି। ତେବେ ଆସନ୍ତୁ ଜାଣିବା ଜନ୍ତର ମନ୍ତର ର ଇତିହାସ..

ଜନ୍ତର ମନ୍ତର ସଂସଦ ଭବନର ଖୁବ ନିକଟରେ, ଏଣୁ ଯେଉଁମାନେ ନିଜ ଜନପ୍ରତିନିଧିଙ୍କୁ ଭେଟି ସମସ୍ୟା ଉପସ୍ଥାପନ କରିପାରନ୍ତିନି ସେମାନଙ୍କ ଲାଗି ଜନ୍ତର ମନ୍ତରରେ ପ୍ରଦର୍ଶନ ତାଙ୍କ କଥାକୁ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାର ସହଜ ମାଧ୍ୟମ। ଜନ୍ତର ମନ୍ତରରେ ପ୍ରଥମ ବିରୋଧ ପ୍ରଦର୍ଶନ ୧୯୯୩ ମସିହାରେ ହୋଇଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (ଡିୟୁଏସୟୁ) ସଭାପତି ଆଶିଷ ସୂଦ କେନ୍ଦ୍ର ସରକାରଙ୍କ ଏକ ଆଦେଶ ବିରୋଧରେ ଏଠାରେ ପ୍ରଥମ ଥର ବିରୋଧ ପ୍ରଦର୍ଶନ କରିଥିଲେ। ଏହା ପରଠାରୁ ସ୍ଥାନଟି ଅନେକ ଛୋଟମୋଟ ବିରୋଧର ସ୍ଥାନ ହୋଇ ରହି ଆସିଛି।

ଜନ୍ତର ମନ୍ତର ପୂର୍ବରୁ ରାଜଧାନୀରେ ବିକ୍ଷୋଭ ଓ ଧାରଣା ଆଦି ପ୍ରଦର୍ଶନ ଲାଗି ରାଜପଥ (ଏବେକା କର୍ତ୍ତବ୍ୟ ପଥ) ବୋଟ୍ କ୍ଲବ ଲନ୍ ଏକ ସୁରକ୍ଷିତ ସ୍ଥାନ ଥିଲା। କାରଣ ସଂସଦ ଭବନ, ରାଷ୍ଟ୍ରପତି ଭବନ, ନର୍ଥ ଓ ସାଉଥ୍ ବ୍ଲକ୍ ପାଖରେ ଥିବାରୁ ସରକାରଙ୍କୁ ଆହ୍ୱାନ ଦେବାକୁ ଏହି ସ୍ଥାନଟି ସର୍ବୋତ୍ତମ ଥିଲା। ତେବେ ୧୯୮୮ ମସିହାରେ କୃଷକ ନେତା ମହେନ୍ଦ୍ର ସିଂହ ଟିକାୟତଙ୍କ ନେତୃତ୍ୱରେ ସପ୍ତାହ ବ୍ୟାପୀ ଏଠାରେ କୃଷକ ଆନ୍ଦୋଳନ ଚାଲିଥିଲା। ଚାଷୀମାନେ ସେମାନଙ୍କ ବଳଦ ଶଗଡ ଆଣି ଆନ୍ଦୋଳନରେ ସାମିଲ ହେବା ସରକାରଙ୍କୁ ଦୋହଲାଇ ଦେଇଥିଲା। ଏହା ପରେ ସରକାର ଏକ ଆଇନ ଗୃହୀତ କରି ବୋଟ କ୍ଲବ ନିକଟରେ ଆନ୍ଦୋଳନକୁ ନିଷିଦ୍ଧ କରିଦେଇଥିଲେ।

ଏହା ପରଠାରୁ ଜନ୍ତର ମନ୍ତର ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନର ସ୍ଥାନ ପାଲଟିଥିଲା। ବୋଟ କ୍ଲବ ପୂର୍ବରୁ ଦିଲ୍ଲୀରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ଆକବର ରୋଡରେ ହେଉଥିଲା। ତେବେ ଜନ୍ତ ମନ୍ତରରେ ବିରୋଧ ପ୍ରଦର୍ଶନକୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ୨୦୧୭ ମସିହାରେ ପ୍ରଦର୍ଶନ ସ୍ଥଳ ଭାବେ ଉପଯୋଗ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ବିକ୍ଷୋଭ ଓ ଧାରଣ ପ୍ରଦର୍ଶନ ଯୋଗୁ ଅଞ୍ଚଳର ସବୁଜିମା ନଷ୍ଟ ହେଉଥିବା ଓ ଆନ୍ଦୋଳନ ବିକ୍ଷୋଭ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବାର ଏନଜିଟି ଅଭିଯୋଗ କରିଥିଲେ।

ରାଜଧାନୀ ଦିଲ୍ଲୀର କେନ୍ଦ୍ର ସ୍ଥଳରେ ଥିବା ଜନ୍ତର ମନ୍ତର ର ନିର୍ମାଣ ୧୭୨୪ ମସିହାରେ ହୋଇଥିଲା। ମହାରାଜା ଜୟସିଂହ ଦ୍ୱିତୀୟ ଏହାକୁ ନିର୍ମାଣ କରାଯାଇଥିଲେ। ଏହା ଏକ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାର। ଦେଶରେ ମହମଦ ଶାହଙ୍କ ଶାସନ କାଳରେ ହିନ୍ଦୁ ଓ ମୁସଲମାନ ଖଗୋଳବିଦ୍ ଙ୍କ ମଧ୍ୟରେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତିକୁ ନେଇ ବିବାଦ ଉପୁଜିଥିଲା। ଏହାର ସମାଧାନ ପାଇଁ ସବାଇ ଜୟସିଂହ ଜନ୍ତର ମନ୍ତର ନିର୍ମାଣ କରାଇଥିଲେ। କୁହାଯାଉଛି ଦିଲ୍ଲୀ ଜନ୍ତର ମନ୍ତର ସମରକନ୍ଦ ପର୍ଯ୍ୟବେକ୍ଷଣାଗାର ଦ୍ୱାରା ପ୍ରେରିତ।