ବେଜିଂ: ଚୀନ୍ ଐତିହାସିକ ସ୍ଥଳରେ ସାମିଲ ‘ଟେମ୍ପଲ ଅଫ ହେଭେନ’ ଏକ ଏପରି ଭବ୍ୟ ଓ ରହସ୍ୟମୟ ସ୍ଥଳ ଯାହାକୁ ଦେଖି ବିଶ୍ୱର ଜନତା ଓ ନେତା ଚକିତ ହୁଅନ୍ତି। ନିକଟରେ ଏହି ସ୍ଥଳର ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏହି ସ୍ଥଳ ପରିଦର୍ଶନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହାର ବାସ୍ତୁକଳା ଓ ଐତିହାସିକ ମହତ୍ୱକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହି ସ୍ମାରକ ଚୀନ୍ ରାଜଧାନୀ ବେଜିଂରେ ରହିଛି। ଏହାକୁ ଚୀନ୍ ସଭ୍ୟତାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରତୀକ ମନେ କରାଯାଏ।

ଟେମ୍ପଲ ଅଫ ହେଭେନ କ’ଣ?
ଟେମ୍ପଲ ଅଫ ହେଭେନ କୌଣସି ମନ୍ଦିର ନୁହେଁ ବରଂ ଏକ ବିଶାଳ ଧାର୍ମିକ ପରିସର, ଯାହାକୁ ଚୀନ୍ ଭାଷାରେ ‘ତିୟାନତାନ’ କୁହାଯାଏ। ଏହାର ନିର୍ମାଣ ପଞ୍ଚଦଶ ଶତାବ୍ଦୀରେ ମିଂଗ ରାଜବଂଶ କାଳରେ ହୋଇଥିଲା। ଏହି ପରିସରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ୱର୍ଗ ଓ ପୃଥିବୀ ମଧ୍ୟରେ ସନ୍ତୁଳନ ରକ୍ଷା କରିବା। ପ୍ରାଚୀନ ଚୀନ୍ ରେ ସମ୍ରାଟଙ୍କୁ ସ୍ୱର୍ଗର ପୂତ୍ର କୁହାଯାଉଥିଲା ଓ ସେମାନେ ଏଠାକୁ ଆସି ଭଲ ଫସଲ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ସ୍ୱର୍ଗକୁ ପ୍ରାର୍ଥନା କରୁଥିଲେ।

କାହିଁକି ଖାସ ଏହି ସ୍ଥଳ?
ଟେମ୍ପଲ ଅଫ ହେଭେନର ସବୁଠୁ ଖାସ କଥା ହେଉଛି ଏହାର ବାସ୍ତୁ କଳା ଓ ପ୍ରତୀକାତ୍ମକ ଡିଜାଇନ। ଏହାର ପ୍ରତ୍ୟେକ ସଂରଚନା ବ୍ରହ୍ମାଣ୍ଡ ଓ ପ୍ରକୃତିର ସନ୍ତୁଳନକୁ ଦର୍ଶାଏ। ଏହି ପୁରା ପରିସର ପାଖାପାଖି ୨୭୦ ହେକ୍ଟର ପରିମିତ ଜମି ଉପରେ ବ୍ୟାପ୍ତ ରହିଛି। ଏହାକୁ ବିଶ୍ୱର ସର୍ବ ପୂରାତନ ବାସ୍ତୁ କଳା ମଧ୍ୟରେ ଗଣାଯାଏ।

ସମ୍ରାଟଙ୍କ ପବିତ୍ର ପରମ୍ପରା
ମିଂଗ ଓ କିଂଗ ରାଜବଂଶ କାଳରେ ଚୀନ୍ ସମ୍ରାଟମାନେ ବର୍ଷରେ ଦୁଇ ଥର ଏଠାକୁ ବିଶେଷ ପୂଜା କରିବାକୁ ଆସୁଥିଲେ। କୁହାଯାଏ ଯଦି ଠିକ୍ ଭାବେ ପୂଜାର୍ଚ୍ଚନା ହେଉ ନଥିଲା ତେବେ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିଲା ଓ ଭଲ ଫସଲ ଉତ୍ପାଦନ ହେଉ ନଥିଲା। ଏଣୁ ଏହି ପୂଜାକୁ ଅତ୍ୟନ୍ତ ପବିତ୍ର ଓ ରାଜକୀୟ ଉପାୟରେ କରାଯାଉଥିଲା। ଏହି ପୂଜା କାଳରେ ଐତିହ୍ୟ ସ୍ଥଳକୁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ ରହୁଥିଲା।

ଆଜି ଏହା ଏକ ପର୍ଯ୍ୟଟନ ସ୍ଥଳ
ଏକଦା ଦେଶର ସୁଖଶାନ୍ତି ଓ ସୁଶାସନ ପାଇଁ ପୂଜାସ୍ଥଳ ଥିବା ‘ଟେମ୍ପଲ ଅପ ହେଭେନ’ ଏବେ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଛି। ପ୍ରତିବର୍ଷ ବିଶ୍ୱର କୋଣ ଅନୁକୋଣରୁ ହଜାର ହଜାର ପର୍ଯ୍ୟଟକ ଏହି ପରିସର ପରିଦର୍ଶନରେ ଆସିଥାନ୍ତି। ଏହି ସ୍ଥଳ ଏବେ ୟୁନେସ୍କୋ ୱାର୍ଲଡ ହେରିଟେଜ ସୂଚୀରେ ରହିଛି। ପୂର୍ବାହ୍ନରେ ସ୍ଥାନୀୟ ଲୋକଙ୍କୁ ଏଠାରେ ‘ତାଇଚୀ’, ବ୍ୟାୟାମ ଓ ସଂଗୀତର ଆନନ୍ଦ ନେଉଥିବା ଦେଖା ଯାଆନ୍ତି, ଯାହା ଏହାକୁ ନା କେବଳ ଏକ ଐତିହାସିକ ସ୍ଥଳ ବରଂ ଜୀବନ୍ତ ସାଂସ୍କୃତିକ ସ୍ଥାନରେ ପରିଣତ କରିଛି।