ମୁମ୍ବାଇ ୦୨/୦୬: ମାୟାନଗରୀର ଚକାଚକ୍‌ ଦୁନିଆ ଯେତିକି ଆକର୍ଷଣୀୟ, ଲୋଭନୀୟ, ପ୍ରକୃତରେ ଏହାର ପ୍ରତିଟି ଗଳି କିଟିମିଟି ଅନ୍ଧାର । ଚିକ୍‌ମିକ୍ କରୁଥିବା ରଙ୍ଗୀନ ଫିଲ୍ମ ଦୁନିଆ ପଛରେ ଏମିତି କାହାଣୀ ରହିଥାଏ ଯାହାକୁ ଶୁଣି ବିଶ୍ବାସ କରିବା ବୋଧହୁଏ ଟିକେ ମୁସ୍କିଲ ହୋଇପଡେ ।ଏହି ରଙ୍ଗୀନ ଦୁନିଆକୁ ସ୍ବପ୍ନ ପୂରଣ ପାଇଁ ଅନେକ ଆସନ୍ତି । କିଛି ଲୋକଙ୍କ ସ୍ବପ୍ନ ପୁରା ହୋଇଯାଏ ଆଉ କିଛିଙ୍କ ସ୍ବପ୍ନ ସମୟ ବିତିବା ସହ ଭାଙ୍ଗି ଚୁରମାର ହୋଇଯାଏ । ଏମିତି ଏକ କାହାଣୀ ଭୋଜପୁରୀ ଆକ୍ଟ୍ରେସ ମିତାଲି ଶର୍ମାଙ୍କର । ଗୋଟିଏ ସମୟ ଥିଲା ମିତାଲି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଥିଲେ । ଜଣାଶୁଣା ଅଭିନେତ୍ରୀ ଭାବରେ ନାଁ କମାଇଥିଲେ । ସେ ଏକାସଙ୍ଗେ ଫିଲ୍ମ ଓ ମଡେଲିଂ କରୁଥିଲେ । ଆଉ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସମୟ ଏମିତି ବଦଳିଗଲା ଯେ ତାଙ୍କ ସ୍ବପ୍ନ ଏକ ଦୁଃଖଦ ମୋଡ ନେଇଥିଲା ଏବଂ ତାଙ୍କ ଷ୍ଟାରଡମ୍‌ର ସ୍ବପ୍ନ ଅଧୁରା ହୋଇ ରହିଗଲା । ମାୟାନଗରୀରୁ ସିଧା ଚାଲିଆସିଲେ ଫୁଟ୍‌ପାଥ ।

ମିତାଲି ଶର୍ମାଙ୍କ ସହ କ’ଣ ହେଲା ?

ଫିଲ୍ମ ମେକରଙ୍କ ଏକମାତ୍ର ପସନ୍ଦ ଥିଲେ ମିତାଲି । ଗୋଟିଏ ପରେ ଗୋଟିଏ ଫିଲ୍ମ ହିଟ୍‌ ହେଉଥିଲା । ଧିରେ ଧିରେ ଜଣାଶୁଣା ଅଭିନେତ୍ରୀ ଭାବରେ ନାଁ କମାଇଥିଲେ । କିନ୍ତୁ କୁହନ୍ତି ସମୟ ବଡ ବଳବାନ । କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଇବା କେହି କହିପାରିବେନି । ଠିକ ଏମିତି ଖରାପ ସମୟ ଆସିଥିଲା ମିତାଲିଙ୍କର । ସବୁବେଳେ ଟପ୍‌ରେ ରହୁଥିବା ମିତାଲିଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେବାକୁ ଲାଗିଲା । ଏମିତି ଜଣେ ଫ୍ଲପ ନାୟିକାକୁ ନେବାକୁ କେହି ଚାହିଁଲେନି । କିନ୍ତୁ ଧିରେ ଧିରେ ଏମିତି ସ୍ଥିତି ଆସିଲା ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା । ତାଙ୍କର ଆର୍ଥିକ ଅବସ୍ଥା ପୁରା ବିଗିଡିଗଲା । ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡିଲା । ଦିଲ୍ଲୀରୁ ମୁମ୍ବାଇ ଆସିଥିଲେ ସେ ନିଜର ସ୍ବପ୍ନ ପୁରା କରିବାକୁ । କିନ୍ତୁ ଲଗାତାର ରିଜେକ୍ସନ, ଅର୍ଥ ଅଭାବ ଓ ଏକଲାପଣ ତାଙ୍କୁ ସ୍ବପ୍ନ ଠାରୁ ବହୁତ ଦୂରକୁ ଠେଲି ଦେଇଥିଲା । ଧିରେ ଧିରେ ତାଙ୍କ ସମସ୍ୟା ବଢିବାରେ ଲାଗିଲା । ସେ ମାନସିକ ସ୍ତରରେ ବହୁତ ଭାଙ୍ଗି ପଡିଲେ । ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ବଞ୍ଚିବାକୁ ତାଙ୍କୁ ରାସ୍ତା କଡରେ ବସିବାକୁ ପଡିଲା । ପେଟ ଭରିବାକୁ ତାଙ୍କୁ ଅନ୍ୟ ପାଖରେ ହାତ ପତାଇବାକୁ ପଡିଲା ।

କେମିତି ଅବସ୍ଥାରେ ମିଳିଲେ?

ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ସେ ମୁମ୍ବାଇ ଲୋଖଣ୍ଡୱାଲାରେ ବସି ଭିକ ମାଗୁଥିବାର ଦେଖିବାକୁ ମିଳିଥିଲା । ତାଙ୍କୁ ଏପରି ଅବସ୍ଥାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କେବେ ଫିଲ୍ମ କରୁଥିବା ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ଏପରି ଅବସ୍ଥା ସମସ୍ତଙ୍କୁ ମର୍ମାହତ କରିଥିଲା । ଏମିତିକି ସେ ରାସ୍ତାରେ ଚୋରି କରିବା ଅବସ୍ଥାରେ ଧରାପଡିଥିଲେପୋଲିସ ତାଙ୍କୁ ହେପାଜତକୁ ନେଇଥିଲା । ଯେତେବେଳେ ମହିଳା ଅଧିକାରୀ ତାଙ୍କୁ ହାତକଡି ପିନ୍ଧାଇବାକୁ ଚେଷ୍ଟା କରିଥିଲେ ସେ ତାଙ୍କୁ ଦୁର୍ବ୍ୟବହାର କରି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ପୋଲିସ ଷ୍ଟେସନକୁ ଯିବା ପରେ ତାଙ୍କ ମୁହଁର ପ୍ରଥମ ଶବ୍ଦ ଥିଲା ‘ମୋତେ କିଛି ଖାଇବାକୁ ଦିଅନ୍ତୁ’ ତେବେ ରିପୋର୍ଟ ମୁତାବକ ପୋଲିସ ଷ୍ଟେସନରେ ମିତାଲିଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା । ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ତଥାପି ତାଙ୍କ ମାନସିକ ଅବସ୍ଥା ନସୁଧୁରିବାରୁ କର୍ତ୍ତୃପକ୍ଷ ତାଙ୍କୁ ମେଣ୍ଟାଲ ହସ୍‌ପିଟାଲ ପଠାଯାଇଥିଲା । ତା ପରଠୁ ଆଜି କାହା ପାଖରେ ଖବର ନାହିଁ ମିତାଲି ଆଜି କେଉଁଠି ଓ କେଉଁ ପରିସ୍ଥିତିରେ ଅଛନ୍ତି । କହନ୍ତି ଦୂର ପାହାଡ ସୁନ୍ଦର । ଫିଲ୍ମର ରଙ୍ଗୀନ ଦୁନିଆ ଦୁରରୁ ଯେତିକି ସୁନ୍ଦର ପାଖରୁ ସେତିକି ସୁନ୍ଦର ହୋଇନଥାଏ । ଏକଥାର ବଡ ପ୍ରମାଣ ମିତାଲି ଶର୍ମା ।

ମିତାଲି ଶର୍ମା କିଏ ?

ପିଲାଟି ଦିନରୁ ଗ୍ଲାମର ଜଗତ ପ୍ରତି ମିତାଲିଙ୍କର ଦୁର୍ବଳତା ଥିଲା । ଆକ୍ଟି ପୂର୍ବରୁ ସେ ପରିବାର ସହ ରହୁଥିଲେ ଦିଲ୍ଲୀରେ । ସେଠାରେ ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ । ମଡେଲିଂରେ ତାଙ୍କର ମନ ବୁଝିନଥିଲା । ସେ ବଡ ପରଦାରେ ନିଜର ଜଲୱା ଦେଖାଇବାକୁ ଚାହୁଁଥିଲେ । ସେ ଫିଲ୍ମରେ ଆକ୍ଟିଂ କରିବାକୁ ମୁମ୍ବାଇ ଆସିବାକୁ ଚାହୁଁଥିଲେ । କିନ୍ତୁ ଝିଅକୁ ଏକୁଟିଆ ଛାଡିବାକୁ ଘରେ ରାଜି ହୋଇନଥିଲେ । ମିତାଲି ଥିଲେ ନଛୋଡାବନ୍ଧ । ନିଜ ସ୍ବପ୍ନ ପୁରା କରିବାରୁ ଦିଲ୍ଲୀ ଛାଡି ମୁମ୍ବାଇ ଉଡାଣ ଭରିଥିଲେ । ପ୍ରଥମେ ପ୍ରଥମେ ସଫଳତା ପରେ ତାଙ୍କୁ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ଧିରେ ଧିରେ ପରିବାର ଲୋକଙ୍କ ଠାରୁ ସେ ଦୂରେଇ ଯାଇଥିଲେ । ପରିବାରର କୌଣସି ସମର୍ଥନ ନମିଳିବାରୁ ସେ ମାନିସିକ ସ୍ତରରେ ଭାଙ୍ଗି ପଡିଥିଲେ ।

Also Read:'ଦେବଦାସ' ଫିଲ୍ମ ସୁଟିଂ ବେଳେ ଗର୍ଭବତୀ ଥିଲେ ମାଧୁରୀ ? ଅଢ଼େଇ ଦଶନ୍ଧି ପରେ କଲେ ଖୁଲାସା