ମୁମ୍ବାଇ: ବଲିଉଡର ଏଭରଗ୍ରୀନ ଫିଲ୍ମ 'ଦେବଦାସ'କୁ ପୂରିବ ୨୫ ବର୍ଷ। ଆଜିବି ଦର୍ଶକଙ୍କ ହୃଦୟରେ ରାଜ କରୁଛି ଫିଲ୍ମର ସବୁଠୁ ପପୁଲାର୍ ସଙ୍ଗ୍ 'ଡୋଲା ରେ ଡୋଲା'। ଏହି ଗୀତକୁ ନେଇ ଅନେକ ଚର୍ଚ୍ଚା। ସବୁଠୁ ସସପେନ୍ସ ବଢ଼ାଇଥିଲା ବଲିଉଡ୍ କୋରିଓଗ୍ରାଫର ରୁବିନା ଖାନଙ୍କ ବୟାନ। ୟୁଟ୍ୟୁବ୍ ଚ୍ୟାନେଲ୍ ବଲିଉଡ ଠିକାନାରେ ଏକ ପଡକାଷ୍ଟରେ ରୁବିନା ଖାନ କହିଥିଲେ ଯେ " ଡୋଲା ରେ ଡୋଲା ଗୀତର ସୁଟିଂ ଚାଲୁଥିଲା। ସେଥିରେ ମାଧୁରୀ ମ୍ୟାଡମ୍ ବୁଲିପଡ଼ି ବସିବାର ଏକ ଷ୍ଟେପ ଥିଲା। ସେହି ସଟ୍ ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସୁଟ୍ କରିବାକୁ ପଡିଥିଲା କାରଣ ମାଧୁରୀ ଚାରି ମାସର ଗର୍ଭବତୀ ଥିଲେ। ସେଥିପାଇଁ ତାଙ୍କୁ ଠିକ୍ ଭାବରେ ବୁଲିବାରେ ଅସୁବିଧା ହେଉଥିଲା। ସୁଟିଂ ସେଟରୁ ଭାଇରଲ ହୋଇଥିବା ଖବର ସତ ନା ଗୁଜବ ? ଅଢ଼େଇ ଦଶନ୍ଧି ପରେ ପ୍ରେଗନାନ୍ସିକୁ ନେଇ ଖୁଲାସା କରିଛନ୍ତି ନିଜେ ମାଧୁରୀ ଦିକ୍ଷିତ।

ଏକ ସାକ୍ଷାତକାରରେ ମାଧୁରୀ ହସି ହସି କହିଛନ୍ତି, "ମୋ ବଡ଼ ପୁଅ ଆରିନ୍ ନେନେଙ୍କ ଜନ୍ମ ୧୭ ମାର୍ଚ୍ଚ ୨୦୦୩ରେ ହୋଇଥିଲା। ଦେବଦାସ ୧୨ ଜୁଲାଇ ୨୦୦୨ରେ ରିଲିଜ ହୋଇଥିଲା। ଏହା ସତ କି ମିଛ, କାଉଣ୍ଟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସେ ଆହୁରି କହିଛନ୍ତି, ଯେ "ମୁଁ ସେତେବେଳେ ଗର୍ଭବତୀ ନଥିଲି। ସୁଟିଂରେ ଟିକେ ଅସୁସ୍ଥ ଅନୁଭବ କରୁଥିଲି କାରଣ ମୁଁ ଲଗାତାର ଟ୍ରାଭେଲ କରୁଥିଲି। ମୋତେ ଆମେରିକାରୁ ମୁମ୍ବାଇ ବାରମ୍ବାର ଅପ୍ ଡାଉନ୍ ହେବାକୁ ପଡୁଥିଲା। ଏହା ବ୍ୟତୀତ, ମୋର ଅଧିକାଂଶ ସୁଟିଂ ରାତିରେ ହେଉଥିଲା। ତେଣୁ, ମୁଁ ବହୁତ କ୍ଳାନ୍ତ ଥିଲି ଏବଂ ଟିକେ ଅସୁସ୍ଥ ଅନୁଭବ କରୁଥିଲି, କିନ୍ତୁ ମୁଁ ଗର୍ଭବତୀ ନଥିଲି।"

ମାଧୁରୀ ଦୀକ୍ଷିତ ୧୯୯୯ ମସିହାରେ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ଆଉ ବିବାହ ପରେ ପରେ ସେ ତାଙ୍କ ସହ ଆମେରିକାକୁ ସିଫ୍ଟ ହୋଇଯାଇଥିଲେ। ତେବେ ଦେବଦାସ ଫିଲ୍ମଟି ମାଧୁରୀଙ୍କ ପୁଅ ଜନ୍ମ ହେବା ପୂର୍ବର ଶେଷ ଫିଲ୍ମ ଥିଲା। ଏହି ଚର୍ଚ୍ଚିତ ଫିଲ୍ମରେ ମାଧୁରୀଙ୍କ ସହ ମୁଖ୍ୟ ଚରିତ୍ରରେ ଥିଲେ ବଲିଉଡ କିଙ୍ଗ ଶାହରୁଖ ଖାନ ଓ ଐଶ୍ୱର୍ଯ୍ୟା ବଚ୍ଚନ। 'ପାରୋ'ର ଭୂମିକା ତୁଲାଇଥିଲେ ମାଧୁରୀ।

କିନ୍ତୁ ଏବେ ମାଧୁରୀ ଦୀକ୍ଷିତ ନିଜେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ 'ଡୋଲା ରେ ଡୋଲା'ର ସୁଟିଂ ସମୟରେ ସେ ଗର୍ଭବତୀ ନଥିଲେ, ବରଂ ନିରନ୍ତର ଯାତ୍ରା ଏବଂ ରାତିର ସୁଟିଂ ଯୋଗୁଁ ସେ କେବଳ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଥିଲେ। ଯାହା ପରେ ଗୁଜବ ହୋଇଗଲା। ସୁଟିଂ ସେଟରୁ ଭାଇରଲ ହୋଇଥିଲା କି ଗୁଜବ ? ଫେମ ହାସଲ କରିବାର ଇଏ ବାଟ ନଥିଲା ତ? ଏସବୁ ବି ରହସ୍ୟ ହୋଇ ରହିଗଲା।