କୋଲକାତା: ଗୋଟିଏ ପଟେ ନିର୍ବାଚନ ଆୟୋଗରେ ମନମୁଖ କାର୍ଯ୍ୟ ଏବଂ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତଙ୍କୁ ଅଣଦେଖା କରି ଏକ ଚାଟିଆ ଭାବେ ନିଷ୍ପତ୍ତି ନେବା  ଅଭିଯୋଗରେ ବିବାଦରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର । ତାଙ୍କୁ ନେଇ ଏବେ ପୂରା ଦେଶରେ ହୁଲସ୍ତୁଲ । ତାଙ୍କୁ ପଦରୁ ହଟାଇବା ସହ ଗିରଫ କରିବାକୁ ଦାବି କଲେଣି ବିରୋଧୀ। ସ୍ଥିତି ଏମିତି ହେଲା ଯେ, ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଉତ୍ତର ପ୍ରଦେଶ ଗସ୍ତ ବାତିଲ୍ କରିବାକୁ ପଡ଼ିଲା। ଏମିତି ଘଡ଼ିସନ୍ଧି ସମୟରେ ସଂପୂର୍ଣ୍ଣ ବିପରୀତ ପଶ୍ଚିମବଙ୍ଗ ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଜ୍ଞାନେଶ କୁମାରଙ୍କୁ ପଦ୍ମଭୂଷଣ ଦେବାକୁ ଦାବି କରିଛନ୍ତି। ତାଙ୍କର ଏମିତି ଦାବି ରାଜନୀତି ମହଲକୁ ବିସ୍ମିତ କରିଛି ।

ଶୁକ୍ରବାର ପାନିହାଟୀ ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ ସେ କହିଛନ୍ତି, କଂଗ୍ରେସ ପାର୍ଟି ରାହୁଲ ଗାନ୍ଧୀଙ୍କ କଥାକୁ ଧ୍ୟାନ ଦିଅନ୍ତି ନାହିଁ କି ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ । ସମିକ ସିଇସି ଜ୍ଞାନେଶ କୁମାରଙ୍କ ପ୍ରଶଂସା କରି କହିଛନ୍ତି, ତାଙ୍କୁ ଅତି କମରେ ପଦ୍ମଭୂଷଣ ପୁରସ୍କାର ମିଳିବା ଉଚିତ୍। ପଶ୍ଚିମବଙ୍ଗର ଜନତା ଖୁସି ଯେ, ଦୀର୍ଘ ସମୟ ପରେ ନିର୍ବାଚନରେ ହିଂସାକାଣ୍ଡ ଘଟିନାହିଁ । ଲୋକେ ବିନା କୌଣସି ଡରରେ ନିଜର ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ପାଇଛନ୍ତି ।

ଜ୍ଞାନେଶଙ୍କ ପ୍ରଶଂସାରେ ଶତମୁଖ

ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ପଶ୍ଚିମବଙ୍ଗ ପରି ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ଜ୍ଞାନେଶ କୁମାର ଭୋଟର ତାଲିକାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନାଁ ହଟାଇବାର ଉଦ୍ୟମ କରିଛନ୍ତି । ରାଜ୍ୟବାସୀ ଜ୍ଞାନେଶ କୁମାରଙ୍କ କାର୍ଯ୍ୟକୁ ପୂରା ସମର୍ଥନ କରୁଛି । ତାଙ୍କ ଯୋଗୁଁ ହିଁ ରାଜ୍ୟରେ ଅବାଧ, ନିରପେକ୍ଷ ଏବଂ ପାରଦର୍ଶୀ ନିର୍ବାଚନ ହୋଇ ପାରିଛି। ତେଣୁ ତାଙ୍କ କାର୍ଯ୍ୟ ପାଇଁ ସେ ପଦ୍ମ ଭୂଷଣ ପାଇବାକୁ ଯୋଗ୍ୟ ବୋଲି ବିଜେପି ନେତା କହିଛନ୍ତି।

କାହିଁକି ସୃଷ୍ଟି ହୋଇଛି ବିବାଦ ?

ସୂଚନାଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତିକୁ ନେଇ ଅନ୍ୟ ଦୁଇ ଜଣ ନିର୍ବାଚନ ଆୟୋଗର କର୍ମକର୍ତ୍ତା (ସନ୍ଧୁ ଓ ଯୋଶୀ) ଆପତ୍ତି ଉଠାଇଥିବା ନେଇ ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦ ତୀବ୍ର ହୋଇଛି । ଆପତ୍ତିକୁ ଏଡ଼ାଇ ଏକତରଫା ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ କରି କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ସିଇସିଙ୍କ ଇସ୍ତଫା ଦାବି କରିବା ସହ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ରାଜନୈତିକ ଝଡ଼ ମଧ୍ୟରେ ବିଜେପି ନେତାଙ୍କ ଏହି ସମର୍ଥନ ବକ୍ତବ୍ୟ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।