ନୂଆଦିଲ୍ଲୀ: ଆମେରିକାର ୱାଶିଂଟନ ରାଜ୍ୟରେ ଲଗାତାର ଜାରି ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ହୋଇଛି । ନଦୀଗୁଡ଼ିକ ଫୁଲି ବିପଦଜ୍ଜନକ ସଂକେତ ଉପରେ ପ୍ରବାହ କରୁଛି । ଅନେକ ପୋଲ୍ ଓ ଘର ବନ୍ୟା ପାଣିରେ ବୋହି ଯାଇଛି । ହଜାର ହଜାର ଲୋକ ଛାତ ଉପରେ ଫସି ରହିଛନ୍ତି । ପୂରା ସହରକୁ ଖାଲି କରାଯାଇଛି । ପ୍ରଶାସନ ଏହାକୁ ଇତିହାସର ଅନ୍ୟତମ ବଡ଼ ବନ୍ୟା ବୋଲି କହିଛି ।

ୱାଶିଟଂନରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ପ୍ରାୟ ୭୮,୦୦୦ ଲୋକଙ୍କୁ ସ୍କ୍ୟାଜିଟ୍ ନଦୀ ଆଖପାଖରୁ ତୁରନ୍ତ ବାହାର କରାଯାଇଛି । ରାଜ୍ୟପାଳ ବବ୍ ଫର୍ଗୁସନ ଲୋକଙ୍କୁ ସତର୍କ ରହିବା ପାଇଁ କହିଛନ୍ତି । ସେ କହିଛନ୍ତି ଯେ ଏହା କୌଣସି ସାଧାରଣ ବନ୍ୟା ନୁହେଁ ବରଂ ଏପରି ଏକ ସ୍ଥିତି ଯାହା ରାଜ୍ୟ ପୂର୍ବରୁ କେବେ ଦେଖି ନଥିଲା । ଅନେକ ନଦୀ ନିଜର ପୁରୁଣା ରେକର୍ଡ ଭାଙ୍ଗି ସାରିଛି । ପାଣିପାଗ ବିଜ୍ଞାନୀ ଶୁକ୍ରବାର ସୁଦ୍ଧା ବନ୍ୟା ପାଣି ଆହୁରି ବଢିବା ନେଇ ଚେତାବନୀ ଦେଇଛନ୍ତି ।

ସ୍ନୋହୋମିଶ ନଦୀ ନିଜ ପୁରୁଣା ରେକର୍ଡଠାରୁ ପ୍ରାୟ ଏକ ଫୁଟ୍ ଉପରେ ବୋହୁଛି । ଅନ୍ୟପଟେ ସ୍କ୍ୟାଜିଟ୍ ନଦୀ ମଧ୍ୟ ମାଉଣ୍ଟ ବର୍ନନରେ ରେକର୍ଡ ସ୍ତରରେ ପହଞ୍ଚିଛି । ପ୍ରଭାବିତ ଅନେକ ଲୋକ କହିଛନ୍ତି ଯେ ସେମାନେ କେବେ କଳ୍ପନା କରିନଥିଲେ ଯେ ପାଣି ଏତେ ଉଚ୍ଚକୁ ଉଠିବ । ୨୦୦୩ ବନ୍ୟା ପରେ ଏବେ ଅଞ୍ଚଳ ପୁଣି ଥରେ ସଂକଟରେ ଫସିଛି ।

ଅନେକ ପରିବାର ନିଜ ଘର ଛାତ ଉପରେ ଫସି ରହିଛନ୍ତି । ଲୋକଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ସହାୟତା ନିଆଯାଉଛି । ସୁମାସର କିଛି ଅଞ୍ଚଳରେ ପାଣି ୧୫ ଫୁଟ୍ ଉଚ୍ଚରେ ବୋହୁଛି । ପୂର୍ବ ସିଏଟଲ୍‌ର ସ୍ନୋକଲମିରେ ହରିଣଙ୍କ ପଲ ଫୁଟବଲ୍ ମୈଦାନରେ ବେକ ଉଚ୍ଚ ପାଣିରେ ପହଁରୁଥିବା ନଜର ଆସିଥିଲେ । ପାଣିପାଗ ବିଶେଷଜ୍ଞଙ୍କ ମତରେ ବାତ୍ୟା ଓ ବନ୍ୟାର ବର୍ଦ୍ଧିତ ଘଟଣା ଜଳବାୟୁ ପରିବର୍ତ୍ତନ ଯୋଗୁ ବଢୁଥିବା ବିପଦର ସଂକେତ । ତେବେ ଏପରି ଘଟଣାକୁ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସହ ଯୋଡ଼ିବା ବୈଜ୍ଞାନିକ ଦୃଷ୍ଟିରୁ କଠିନ ଅଟେ, କିନ୍ତୁ ପ୍ରବଳ ବର୍ଷା ଓ ପାଣିପାଗର ପ୍ୟାଟର୍ଣ୍ଣ ଲଗାତାର ବଦଳୁଛି ।