ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି । ଏବେ ସୈନିକଙ୍କ ବଦଳରେ ଅତ୍ୟାଧୁନିକ ମେସିନ ଯୁଦ୍ଧ ଲଢ଼ୁଛନ୍ତି। ବିଗତ ଚାରି ବର୍ଷ ଧରି ଲାଗିରହିଥିବା ଏହି ବିନାଶକାରୀ ସଂଗ୍ରାମରେ ୟୁକ୍ରେନକୁ ସୈନିକ ଅଭାବର ଏକ ବଡ଼ ସଙ୍କଟ ଦେଇ ଗତି କରିବାକୁ ପଡ଼ୁଛି। ତେବେ ଏହି ଦୁର୍ବଳତାକୁ ନିଜର ଶକ୍ତିରେ ପରିଣତ କରି ୟୁକ୍ରେନ ଯୁଦ୍ଧ ମୈଦାନରେ ଏଭଳି ଏକ ଚାଲ୍ ଖେଳିଛି, ଯାହା ରୁଷ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ୟୁକ୍ରେନ ଏବେ ନିଜର ରୋବୋଟିକ ଆର୍ମି (Robotic Army) କୁ ରଣକ୍ଷେତ୍ରକୁ ଓହ୍ଲାଇଛି। ଏହି ଯାନ୍ତ୍ରିକ ସୈନିକମାନଙ୍କୁ ନା ଅଛି ଭୋକ-ଶୋଷ, ନା ଅଛି ମୃତ୍ୟୁର ଭୟ ।

ସ୍କ୍ରିନ୍ ଆଗରେ ବସି ଶତ୍ରୁ ଶିବିର ଧ୍ୱଂସ

ବର୍ତ୍ତମାନର ସ୍ଥିତି ଏପରି ହୋଇଛି ଯେ, ସୀମାନ୍ତକୁ କୌଣସି ସୈନିକଙ୍କୁ ନପଠାଇ କେବଳ ରିମୋଟ କଣ୍ଟ୍ରୋଲ ଏବଂ କମ୍ପ୍ୟୁଟର ସ୍କ୍ରିନ୍ ସାହାଯ୍ୟରେ ଋଷର ସେନା ଘାଟିଗୁଡ଼ିକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରାଯାଉଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜେ ଏହି ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଇତିହାସରେ ପ୍ରଥମ ଥର ପାଇଁ ତାଙ୍କ ସେନା କେବଳ ଡ୍ରୋନ୍ ଏବଂ ରୋବୋଟ ବଳରେ ଋଷର ଏକ ପ୍ରମୁଖ ସାମରିକ ଗଡ଼କୁ ନିଜ ନିୟନ୍ତ୍ରଣକୁ ନେଇଛି।

ବଦଳିଗଲା ଯୁଦ୍ଧର ଶୈଳୀ

ରଣକ୍ଷେତ୍ରର ଚିତ୍ର ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଯେଉଁ ସେନା କମାଣ୍ଡରମାନେ ଦିନେ ସମ୍ମୁଖ ଭାଗରେ ରହି ରକ୍ତାକ୍ତ ସଂଗ୍ରାମ କରୁଥିଲେ, ସେମାନେ ଏବେ ଫ୍ରଣ୍ଟଲାଇନଠାରୁ ବହୁ ଦୂରରେ ସୁରକ୍ଷିତ ବଙ୍କରରେ ବସି ଏହି ରୋବଟଗୁଡ଼ିକୁ ପରିଚାଳନା କରୁଛନ୍ତି।ବିସ୍ଫୋରକ ଭର୍ତ୍ତି ଅନେକ ରୋବଟକୁ ଏକାସଙ୍ଗେ ଋଷର ଆଡ୍ଡା ଅଭିମୁଖେ ପ୍ରେରଣ କରାଯାଉଛି। ଆକାଶରେ ଉଡ଼ୁଥିବା ଗୁପ୍ତଚର ଡ୍ରୋନ୍ ସାହାଯ୍ୟରେ ଶତ୍ରୁ ସୈନ୍ୟଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖାଯାଉଛି। କଣ୍ଟ୍ରୋଲ ରୁମରେ ବସିଥିବା ଅପରେଟରମାନେ ଲାଇଭ୍ ଭିଡିଓ ଦେଖି ରୋବଟଗୁଡ଼ିକୁ ଶତ୍ରୁ ଆଡ଼କୁ ଆଗେଇ ନେଉଛନ୍ତି।

ଜନସଂଖ୍ୟା ଦୃଷ୍ଟିରୁ ଋଷ ତୁଳନାରେ ୟୁକ୍ରେନ ବହୁତ ଛୋଟ। ବିଗତ ଚାରି ବର୍ଷର ଯୁଦ୍ଧରେ ୟୁକ୍ରେନ ତା’ର ଅନେକ ସାହସୀ ସୈନିକଙ୍କୁ ହରାଇଛି। ସୈନ୍ୟ ସଂଖ୍ୟା ହ୍ରାସ ପାଇବା ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ମିଳୁଥିବା ସାମରିକ ସାହାଯ୍ୟର ଅନିଶ୍ଚିତତା ଯୋଗୁଁ ୟୁକ୍ରେନ ନିଜ ଦେଶରେ ଡ୍ରୋନ୍ ଏବଂ ରୋବଟିକ ଗାଡ଼ିର ଉତ୍ପାଦନକୁ ଯୁଦ୍ଧକାଳୀନ ଭିତ୍ତିରେ ବୃଦ୍ଧି କରିଛି। ଚଳିତ ବର୍ଷ ଆରମ୍ଭରୁ ଏହି ମାନବରହିତ ବ୍ୟବସ୍ଥା ପ୍ରାୟ ୨୨ ହଜାରରୁ ଅଧିକ ମିଶନ ସଫଳତାର ସହ ଶେଷ କରିସାରିଛି।

ଋଷ ସେନା ଶିବିରରେ 'ସାଇଲେଣ୍ଟ ଡେଥ୍'ର ଆତଙ୍କ

ୟୁକ୍ରେନର ଏହି ଗ୍ରାଉଣ୍ଡ ରୋବଟଗୁଡ଼ିକ ଋଷ ସେନା ମଧ୍ୟରେ ଏଭଳି ଭୟ ସୃଷ୍ଟି କରିଛନ୍ତି ଯେ, ବନ୍ଦୀ ହୋଇଥିବା ଋଷୀୟ ସୈନିକମାନେ ଏହାକୁ 'ସାଇଲେଣ୍ଟ ଡେଥ୍' (Silent Death) ବୋଲି ନାମିତ କରିଛନ୍ତି।ଋଷ ସୈନ୍ୟଙ୍କ କହିବା ଅନୁସାରେ, ଏହି ରୋବଟିକ ବୋମା ବାହକଗୁଡ଼ିକ ଏତେ ନିଶବ୍ଦରେ ଆଗକୁ ବଢନ୍ତି ଯେ, ସେମାନଙ୍କର ଉପସ୍ଥିତି ଜାଣିବା ବେଳକୁ ସବୁକିଛି ଶେଷ ହୋଇଯାଇଥାଏ। ସାଧାରଣତଃ ମାତ୍ର ୧୦ ମିଟର ଦୂରତାକୁ ଆସିବା ପରେ ହିଁ ଏମାନଙ୍କ ଶବ୍ଦ ଶୁଣାଯାଏ, ଯେତେବେଳେ କି ରକ୍ଷା ପାଇବା ଅସମ୍ଭବ ହୋଇପଡ଼େ।

ୟୁକ୍ରେନର ଜଣେ ଡେପୁଟି କମାଣ୍ଡର ଏହି ପରିବର୍ତ୍ତନକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି, ‘ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ଯେ ଯୁଦ୍ଧ ଏମିତି ହେବ। ଆଜି ଅନୁଭବ ହେଉଛି, ଯଦି ଏହି ପ୍ରଯୁକ୍ତିବିଦ୍ୟା ଆମ ପାଖରେ ଆଗରୁ ଥାଆନ୍ତା, ତେବେ ମୋର ଅନେକ ସହଯୋଗୀ ସୈନିକ ଆଜି ଜୀବିତ ଥାଆନ୍ତେ। ଆଗରୁ ଯୁଦ୍ଧରେ ତାଲିମ, ଶୃଙ୍ଖଳା ଏବଂ ଶାରୀରିକ ଶକ୍ତିର ଗୁରୁତ୍ୱ ଥିଲା, କିନ୍ତୁ ଏବେ ସବୁକିଛି ଟେକ୍ନୋଲୋଜି ହିଁ ସ୍ଥିର କରୁଛି।’

ପ୍ରତି ମାସରେ ୩୫ ହଜାର ସୈନ୍ୟଙ୍କୁ ମାରିବା ଲକ୍ଷ୍ୟ

ୟୁକ୍ରେନ ସାମରିକ ଅଧିକାରୀମାନେ ପ୍ରତି ମାସରେ ପ୍ରାୟ ୩୫,୦୦୦ ଋଷୀୟ ସୈନ୍ୟଙ୍କୁ ନିହତ କିମ୍ବା ଆହତ କରିବାର ଲକ୍ଷ୍ୟ ରଖିଛନ୍ତି ଏବଂ ଚଳିତ ବର୍ଷ ଏହି ଟାର୍ଗେଟ୍କୁ କ୍ରମାଗତ ଭାବେ ହାସଲ କରାଯାଉଛି ବୋଲି ସେମାନେ ଦାବି କରିଛନ୍ତି। ବ୍ରିଟେନର ଗୁପ୍ତଚର ସଂସ୍ଥା 'GCHQ' ର ସାମ୍ପ୍ରତିକ ଆକଳନ ମଧ୍ୟ ଏହି ଭୟଙ୍କର ସ୍ଥିତିକୁ ସ୍ପଷ୍ଟ କରୁଛି। ରିପୋର୍ଟ ଅନୁଯାୟୀ, ଏହି ରକ୍ତାକ୍ତ ସଂଗ୍ରାମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ଲକ୍ଷରୁ ଅଧିକ ଋଷୀୟ ସୈନିକ ନିଜର ପ୍ରାଣ ହରାଇସାରିଲେଣି। ଯୁଦ୍ଧର ଏହି ଆଧୁନିକ ରୂପ ଆଗାମୀ ଦିନରେ ପୃଥିବୀର ସାମରିକ ଇତିହାସକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଯାଉଛି।