ରାୟପୁର: ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟ୍ ଥମିବାର ନାଁ ନେଉନି। ରାଞ୍ଚି ଦିନିକିଆରେ ଯେଉଁଠି ବ୍ୟାଟିଂ ଛାଡ଼ିଥିଲେ ଠିକ୍ ସେଠାରୁ ହିଁ ରାୟପୁରରେ ବ୍ୟାଟିଂ ଆରମ୍ଭ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି। ସେ ୯୦ ବଲରୁ ଅନ୍ତର୍ଜାତୀୟ ଦିନିକିଆରେ ୫୩ତମ ଶତକ ପୂରଣ କରିଛନ୍ତି। କୋହଲି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। ରାଞ୍ଚିରେ କିଙ୍ଗ କୋହଲି ୧୨୦ ବଲରୁ ୧୩୫ ରନର ଇନିଂସ ଖେଳିଥିଲେ।

ରାୟପୁରରେ ଖେଳା ଯାଉଥିବା ଦ୍ଵିତୀୟ ଦିନିକିଆରେ କୋହଲି ୯୦ ବଲରୁ ୭ ଚୌକା ଓ ୨ ଛକା ସହ ଜରିଆରେ ୧୦୦ ରନ ପୂରା କରିଛନ୍ତି। ଏଥିସହ ୯୩ ବଲରୁ ୧୦୨ ରନର ଶତକୀୟ ଇନିଂସ ଖେଳିଛନ୍ତି। ସେ ଋତୁରାଜଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ ଭାଗିଦାରୀରେ ୧୯୫ ରନ ଯୋଡ଼ି ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଛନ୍ତି। ମୋଟାମୋଟି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଏହା ହେଉଛି ୮୪ତମ ଶତକ।

ଏହା ପୂର୍ବରୁ ରାଞ୍ଚିରେ କୋହଲି ୧୨୦ ବଲରୁ ୧୩୫ ରନର ଶତକୀୟ ଇନିଂସ ଖେଳିଥିଲେ। ଏହା ଥିଲା କୋହଲିଙ୍କ ୫୨ତମ ଦିନିକିଆ ଶତକ। ତାଙ୍କର ଏହି ଇନିଂସ ଦମରେ ଭାରତ ମ୍ୟାଚକୁ ୧୭ ରନରେ ଜିତି ନେଇଛି। ଏହି ଶତକ ଜରିଆରେ କୋହଲି ସଦ୍ୟତମ ଦିନିକିଆ ମାନ୍ୟତାରେ ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାରକା ବ୍ୟାଟରଙ୍କ ରେଟିଂ ପଏଣ୍ଟ ୭୫୧ରେ ପହଞ୍ଚିଛି।

ବିରାଟ କୋହଲି ଦିନିକିଆ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧ ଇନିଂସରେ ୧୭୪୧ ରନ କରିଛନ୍ତି। ସେ ଆଫ୍ରିକା ଦଳ ବିପକ୍ଷରେ ୭ ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ଦିନିକିଆ ରନ କରିଥିବା ବ୍ୟାଟର ମଧ୍ୟ। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଡେଭିଡ୍ ୱାର୍ଣ୍ଣର, ଯିଏ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆରେ ୧୨୫୫ ରନ କରିଥିଲେ।