ନୂଆଦିଲ୍ଲୀ: ଗତବର୍ଷ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପରଠାରୁ ତାଙ୍କର ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମଧ୍ୟରେ ତିକ୍ତତା ଥିବା ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ସୃଷ୍ଟି ହୋଇଥିଲା। ବିଶେଷ କରି ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରଠାରୁ ଉଭୟଙ୍କୁ ପ୍ରାକ୍ଟିସ୍ ସେସନ୍ କିମ୍ବା ଡ୍ରେସିଂ ରୁମରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିନଥିଲା। ଏପରିକି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ମଧ୍ୟ କୋହଲି କୋଚ୍ ଗମ୍ଭୀରଙ୍କ ବଦଳରେ ବ୍ୟାଟିଂ କୋଚ୍ ସିତାଂଶୁ କୋଟାକଙ୍କ ସହ ଅଧିକ ଆଲୋଚନା କରୁଥିବା ନଜର ଆସିଥିଲେ।

ବର୍ତ୍ତମାନ ଏହି ସବୁ ବିବାଦ ଓ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟଙ୍କ ମଧ୍ୟରେ ସମ୍ପର୍କ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିବା ନେଇ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ର ଟସ୍ ପୂର୍ବରୁ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କୁ ପରଷ୍ପର ସହ ଦୀର୍ଘ ସମୟ ଧରି କଥା ହେଉଥିବାର ଦେଖାଯାଇଥିଲା। ଗମ୍ଭୀର କିଛି ବୁଝାଉଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ କୋହଲି ତାଙ୍କୁ ଖୁବ୍ ଗମ୍ଭୀରତାର ସହ ଶୁଣୁଥିବାର ନଜର ଆସିଥିଲେ। ଏହାପୂର୍ବରୁ ବ୍ୟାଟିଂ କୋଚ୍ ସିତାଂଶୁ କୋଟାକ ମଧ୍ୟ ଗଣମାଧ୍ୟମକୁ ସ୍ପଷ୍ଟ କରିଥିଲେ ଯେ, ଦୁହିଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନାହିଁ ଏବଂ ସେମାନଙ୍କ ସମ୍ପର୍କ ବହୁତ ଭଲ ରହିଛି।

ତୃତୀୟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ହାଇ କମିଶନ ଗସ୍ତ କରିଥିଲା। ଏହି ସମୟରେ ବିସିସିଆଇ (BCCI) ପକ୍ଷରୁ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରାଯାଇଛି, ଯେଉଁଥିରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ପାଖାପାଖି ବସି ହସଖୁସି କରୁଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ,  ରୋହିତ ଶର୍ମା ମଧ୍ୟ ସେମାନଙ୍କ ସହ ବସି ହସୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରଠାରୁ ଭାରତୀୟ ଡ୍ରେସିଂ ରୁମର ପରିବେଶ ଠିକ୍ ନଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ମଧ୍ୟ ଖେଳାଳିଙ୍କ ମତଭେଦ ଥିବା ନେଇ ଦାବି କରାଯାଉଥିଲା। ଯଦିଓ ଏହି ବିଷୟରେ କୌଣସି ପକ୍ଷରୁ ବୟାନ ଆସିନାହିଁ, କିନ୍ତୁ କୋହଲି, ରୋହିତ ଏବଂ ଗମ୍ଭୀରଙ୍କ ଏହି ଏକାଠି ହସଖୁସିର ଫଟୋ ସବୁ ଅପପ୍ରଚାର ଉପରେ ପୂର୍ଣ୍ଣଛେଦ ପକାଇଛି ବୋଲି କୁହାଯାଉଛି ।