ଯାଜପୁର ୪।୧୦: ଆଉ କିଛି ଦିନ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ବିଜୟା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର। ସେପଟେ ବିରଜା ରଥଯାତ୍ରାକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପଟେ ରଥଯାତ୍ରା କମ୍ ଦିନ ଥିବାରୁ ଜୋରସୋରରେ ଚାଲିଛି ମା'ଙ୍କ ରଥ ନିର୍ମାଣ କାର୍ଯ୍ୟ। ତେବେ ବିରଜା ରଥଯାତ୍ରା ପାଇଁ ମନ୍ଦିର ଟ୍ରଷ୍ଟି ତଥା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ରଥଯାତ୍ରାକୁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ।

ମା' ବିରଜାଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶକ୍ତି ପୀଠ ବିରଜା କ୍ଷେତ୍ର। ଦଶହରା ଅବସରରେ ଏହି ପୀଠରେ ମା'ଙ୍କ ରଥଯାତ୍ରା ୯ ଦିନ ବ୍ୟାପୀ ଅନୁଷ୍ଠିତ ହୁଏ। ମା'ଙ୍କ ମନ୍ଦିର ବେଢ଼ା ଚାରିପଟେ ବିଜୟା ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇଥାନ୍ତି। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମା'ଙ୍କ ରଥଯାତ୍ରାରେ ସାମିଲ ହୋଇଥାନ୍ତି। ଆଉ ସମସ୍ତେ ମା'ଙ୍କୁ ରଥରେ ଦର୍ଶନ କରି ରଥ ଦଉଡ଼ି ଧରିବାକୁ ଅପେକ୍ଷା କରିଛନ୍ତି । ଦେଶର ସବୁ ଶକ୍ତି ପୀଠ ମଧ୍ୟରୁ ମା' ବିରଜାଙ୍କ ପୀଠରେ କେବଳ ରଥଯାତ୍ରା ହୋଇଥାଏ ।

​​​​​​​

Also Read:- ପିଙ୍କ୍ ବୁଥ୍‌ରୁ ପିଙ୍କ୍ ଭଲ୍ୟୁଣ୍ଟର, ମହିଳା ସଶକ୍ତିକରଣ ଥିମ୍‌ରେ ଝାରପଡ଼ା ପୂଜା ପେଣ୍ଡାଲ

ମା'ଙ୍କ ବିରଜା ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ୮/୧୦ ଜଣ କାରିଗର ରଥ ପ୍ରସ୍ତୁତିରେ ଲାଗିଛନ୍ତି । ଶୁଭ ସୁନିଆଁ ଠାରୁ ବିଲ୍ୱବରଣୀ ହୋଇ ମା'ଙ୍କ ରଥ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୮୯୮ ଖଣ୍ଡ କାଠରେ ରଥ ନିର୍ମାଣ ଚାଲିଛି । ରଥର ଚକ ସଂଖ୍ୟା ୧୨ଟି ଥିବା ବେଳେ ରଥରେ ନବଗ୍ରହ, ଦଶଦିଗପାଳ ରହିଛନ୍ତି । ସ୍ୱୟଂ ବ୍ରହ୍ମା ହିଁ ରଥର ସାରଥୀ ସାଜିଥାନ୍ତି। ରଥର ଉଚ୍ଚତା ୫୬ ଫୁଟ୍ । ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାର ଆୟୋଜନ କରାଯାଇଛି।