ନୂଆଦିଲ୍ଲୀ,୦୩/୦୮:ମଝି ଆକାଶରେ ମୁହାଁମୁହିଁ ହେଲେ ଦୁଇ ହେଲିକପ୍ଟର । ଗ୍ରୀସରେ ବନାଗ୍ନୀକୁ ରୋକିବାରେ ନିୟୋଜିତ ହୋଇଥିବା ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ଗ୍ରୀସର ଆଥେନସ୍ ନିକଟବର୍ତ୍ତୀ ସାଥା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏଥିରେ ହେଲିକପ୍ଟରରେ ଥିବା ପାଇଲଟଙ୍କ ସହ ଅନ୍ୟ କ୍ରିଉ ସଦସ୍ୟ ପ୍ରାଣ ହରାଇଛନ୍ତି । ଏନେଇ ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ ଭାସିଲ୍ସ୍ ଭାଥରାକୋଜିଆନିସ୍ ସୂଚନା ଦେଇଛନ୍ତି । ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇ ଅନ୍ୟ ଏକ ହେଲିକପ୍ଟରକୁ ଧକ୍କା ଦେଇ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳୁଛି । ସବୁଠାରୁ ବଡ କଥା ହେଉଛି ଯେ, ଦ୍ୱିତୀୟ ହେଲିକପ୍ଟରର ସଦସ୍ୟ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି ।

ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶହଶହ ଆଗ୍ନିକ ପହଁଚି ନିଆଁ ଲିଭାଇଥିଲେ । ଫଳରେ ଦ୍ୱିତୀୟ ହେଲିକପ୍ଟରର କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ପରେ ବନାଗ୍ନୀ ରୋକିବାରେ ବ୍ୟବହାର ହେଉଥିବା ଅନ୍ୟ ସବୁ ହେଲିକପ୍ଟରକୁ ଅବତବରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ କିରିଆକୋସ୍ ମିଟସୋଟାକିସ୍ କହିଛନ୍ତି ଯେ, ପ୍ରାଣ ହରାଇଥିବା ପ୍ରଥମ ହେଲିକପ୍ଟରର କର୍ମଚାରୀ ଦ୍ୱୟ ଡେନମାର୍କ ଏବଂ ଗ୍ରୀକର ବାସିନ୍ଦା ବୋଲି ଜଣା ପଡିଛି । ଯଦ୍ୱାରା ଗତ ସାତ ଦିନ ମଧ୍ୟରେ ଗ୍ରୀସରେ ବନାଗ୍ନି ଏବଂ ଏହାର ପ୍ରଭାବରେ ହୋଇଥିବା ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏହାପୂର୍ବରୁ କ୍ରିଟ୍ ଏବଂ ପୋଲୋପୋନିଜରେ ୩ ଜଣ ଆଗ୍ନିକ ପ୍ରାଣ ହରାଇଥିଲେ ।

Also Read :- ଅସମ୍ଭବକୁ ସମ୍ଭବ କଲେ ବୈଜ୍ଞାନିକ : ଗୋଟିଏ ଫଟୋରେ ୫ ଲକ୍ଷ ଗ୍ୟାଲେକ୍ସି ଏବଂ ୫୦ ହଜାର ତାରା !

ସେ ଆହୁରି କହିଛନ୍ତି ଯେ, ଦୁର୍ଘଟଣା ଘଟିଥିବା ହେଲିକପ୍ଟରକୁ ଗ୍ରୀସ୍ ସରକାର ଅଷ୍ଟ୍ରେଲିଆରୁ ଆଣିଥିଲେ । ଗତ ୭ ବର୍ଷ ହେଲା ଏହା ସେବା ଯୋଗାଇ ଆସୁଛି । ଏହାକୁ ନିଆଁ ଲିଭାରେ ବ୍ୟବହାର କରାଯାଇଥିଲା । ତେବେ ପ୍ରବଳ ନିଆଁ ଏବଂ ପବନ ପାଇଁ ଏହା ନିୟନ୍ତ୍ରଣ ହରାଇ ଖସି ପଡିଥିଲା । ତେଣୁ ଅନ୍ୟ ଏକ ହେଲିକପ୍ଟରକୁ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ପ୍ରାଣ ହରାଇଥିବା ମିଟସୋଟାକିସ୍ ସୂଚନା ଦେଇଛନ୍ତି ।