ବେଙ୍ଗାଲୁରୁ: କର୍ଣ୍ଣାଟକର ତୁମକୁରୁ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ଚଳନ୍ତା କାର୍‌ ଭିତରେ ବିସ୍ଫୋରଣ ଘଟି ଜଣେ ୩୦ ବର୍ଷୀୟ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅନ୍ୟପଟେ, କାରରେ ନିଆଁ ଲାଗିବା ମାତ୍ରେ ଚାଳକ ଏବଂ ଆହତ ମହିଳା ଜଣକ ଗାଡ଼ିରୁ ଡେଇଁ ପଡ଼ି ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଶନିବାର ଅପରାହ୍ନରେ ବେଙ୍ଗାଲୁରୁଠାରୁ ପ୍ରାୟ ୭୦ କିଲୋମିଟର କଲ୍ଲାମବେଲ୍ଲା ନିକଟସ୍ଥ ଜାତୀୟ ରାଜପଥରେ ଏହି ବୀଭତ୍ସ କାଣ୍ଡ ଘଟିଛି। 

ମୃତ ଯୁବକଙ୍କ ପରିଚୟ ନାଗେନ୍ଦ୍ର (୩୦) ବୋଲି ଜଣାପଡ଼ିଛି। ସେ ବେଙ୍ଗାଲୁରୁର ଜୟନଗର ନିକଟସ୍ଥ ସିଦ୍ଧପୁରରୁ ଏକ କ୍ୟାବ୍ ବୁକ୍ କରିଥିଲେ। ଯାତ୍ରା ସମୟରେ ସେ ରମ୍ୟା ନାମକ ଜଣେ ମହିଳାଙ୍କୁ ଜବରଦସ୍ତି ସେହି ଗାଡ଼ି ଭିତରକୁ ଟାଣି ଆଣିଥିଲେ। ଗାଡ଼ି ଚାଲୁଥିବା ସମୟରେ କାର୍ ଭିତରେ ହିଁ ନାଗେନ୍ଦ୍ର ଓ ରମ୍ୟାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାଗେନ୍ଦ୍ର ଏକ ଛୁରୀରେ ରମ୍ୟାଙ୍କ ମୁଣ୍ଡକୁ ଆଘାତ କରିଥିଲେ।

କାରଟି କଲ୍ଲାମବେଲ୍ଲା ପୋଲିସ ଷ୍ଟେସନ ନିକଟରେ ପହଞ୍ଚିଥିବା ବେଳେ ଏହି ରକ୍ତାକ୍ତ କାଣ୍ଡ ଘଟିଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସତ୍ତ୍ୱେ ରମ୍ୟା କୌଣସି ମତେ କାରରୁ ବାହାରକୁ ଡେଇଁ ପଡ଼ିବାରେ ସଫଳ ହୋଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ କ୍ୟାବ୍ ଡ୍ରାଇଭର ମଧ୍ୟ ତୁରନ୍ତ ଗାଡ଼ିରୁ ବାହାରକୁ ଚାଲି ଆସିଥିଲେ। ସେମାନେ ଦୁହେଁ ବାହାରକୁ ଆସିବାର ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ କାର୍ ଭିତରେ ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ଏବଂ ଦେଖୁଦେଖୁ ସମ୍ପୂର୍ଣ୍ଣ ଗାଡ଼ିଟି ଜଳନ୍ତା ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିଲା।

ଗାଡ଼ି ଭିତରୁ ବାହାରି ନପାରି ନାଗେନ୍ଦ୍ର ସେହି ନିଆଁ ଭିତରେ ହିଁ ସମ୍ପୂର୍ଣ୍ଣ ଜଳିଯାଇଥିଲେ, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଏବଂ ଆହତ ମହିଳା ରମ୍ୟାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପଚରାଉଚରା କରିବା ପରେ କାର୍ ଭିତରେ ଶବ ଥିବା କଥା ସ୍ପଷ୍ଟ ହୋଇଥିଲା।

ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହା ଏକ ଆତ୍ମହତ୍ୟା ବା ନିଜକୁ କ୍ଷତି ପହଞ୍ଚାଇବାର ମାମଲା ହୋଇଥାଇପାରେ। ନାଗେନ୍ଦ୍ର ଗାଡ଼ିରେ ନିଆଁ ଲଗାଇବା ପାଇଁ କୌଣସି ଦେଶୀ ବୋମା କିମ୍ବା 'ମୋଲୋଟୋଭ୍ କକଟେଲ୍' (ପେଟ୍ରୋଲ ବୋମା) ବ୍ୟବହାର କରିଥିବା ସନ୍ଦେହ କରାଯାଉଛି। କେଉଁ ପରିସ୍ଥିତିରେ ଏହି ନିଆଁ ଲାଗିଲା ଏବଂ ବିସ୍ଫୋରଣର ପ୍ରକୃତ କାରଣ କ'ଣ, ତାହା ଫୋରେନ୍ସିକ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।