କୋଟ୍ଟାୟମ: ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣାନ୍ ରବିବାର ସରକାର ଓ ସିଷ୍ଟମକୁ ଏକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ସମାଜରେ ସକାରାତ୍ମକ କାର୍ଯ୍ୟ ଏବଂ ସଫଳତାର କାହାଣୀକୁ ଯଥେଷ୍ଟ ଗୁରୁତ୍ୱ ଦିଆ ନ ଯାଏ, ତେବେ ଯୁବପିଢ଼ି କ୍ଷଣସ୍ଥାୟୀ ପ୍ରବୃତ୍ତି ବା ‘କକରୋଚ’ ପଛରେ ଦଉଡ଼ିବେ। ମାଲାୟାଲମ୍ ଦୈନିକ ‘ଦୀପିକା’ର ୧୪୦ତମ ବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ଉପରାଷ୍ଟ୍ରପତି।

ଉପରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ସମାଜକୁ ସଠିକ୍ ଦିଗରେ ଚଳାଇବା ଏବଂ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଗଠନମୂଳକ ସାମ୍ବାଦିକତା ଅତ୍ୟନ୍ତ ଆବଶ୍ୟକ। ସେ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି ଯେ, ସକାରାତ୍ମକ ବିକାଶଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଉଚିତ, ଯାହାଦ୍ୱାରା ଯୁବକମାନେ ସଠିକ୍ ସୂଚନା ଏବଂ ଆଦର୍ଶ ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିପାରିବେ। ଅନ୍ୟଥା, ସେମାନେ ନିରୁତ୍ସାହିତ ହୋଇ ଭୁଲ୍ ରାସ୍ତା ଆପଣାଇପାରନ୍ତି।

ଅନ୍ୟପଟେ କକ୍ରୋଚ ପାର୍ଟିକୁ ମଧ୍ୟ କଟାକ୍ଷ କରିଛନ୍ତି ଉପରାଷ୍ଟ୍ରପତି। ସେ କହିଛନ୍ତି ଯେ ସେ ଅଭିବ୍ୟକ୍ତିର ସ୍ୱାଧୀନତା ବିରୁଦ୍ଧରେ ନୁହଁନ୍ତି, କିନ୍ତୁ ଯେଉଁ ବିଷୟଗୁଡ଼ିକର ସ୍ଥାୟିତ୍ୱ ନାହିଁ, ସେଗୁଡ଼ିକୁ ଅସମାନୁପାତିକ ଗୁରୁତ୍ୱ ଦେବାର ପ୍ରବୃତ୍ତିକୁ ସେ ପ୍ରଶ୍ନ କରିଛନ୍ତି। ସୋସିଆଲ ମିଡିଆରେ ବ୍ୟାପିଥିବା ଏକ ବ୍ୟଙ୍ଗାତ୍ମକ ପ୍ଲାଟଫର୍ମ ‘କକ୍ରୋଚ ଜନତା ପାର୍ଟି’କୁ ଇଙ୍ଗିତ କରି ସେ କହିଛନ୍ତି ଯେ, ଯାହା ମହତ୍ୱପୂର୍ଣ୍ଣ, ତାହା ସପ୍ତାହେ କିମ୍ବା ମାସେ ପରେ ବି ମନେ ରହିବ, କିନ୍ତୁ ଯାହାର ସ୍ଥାୟିତ୍ୱ ନାହିଁ, ତାହା ହଠାତ୍ ସବୁଆଡ଼େ ଦେଖାଯିବ ଏବଂ ଶୀଘ୍ର ଲୋପ ପାଇଯିବ।

ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟରେ ଓକିଲଙ୍କ ନିଯୁକ୍ତି ପ୍ରସଙ୍ଗରେ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ବ୍ୟବହୃତ ‘କକ୍ରୋଚ’ ଶବ୍ଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏହି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଟି ସୃଷ୍ଟି ହୋଇଥିଲା। ପରେ ପ୍ରଧାନ ବିଚାରପତି ସ୍ପଷ୍ଟ କରିଥିଲେ ଯେ ତାଙ୍କ ମନ୍ତବ୍ୟ ନକଲି ଡିଗ୍ରୀଧାରୀଙ୍କ ପାଇଁ ଥିଲା। ଉପରାଷ୍ଟ୍ରପତି ଶେଷରେ ସାମାଜିକ ସଦ୍ଭାବନା ଏବଂ ଶିକ୍ଷାର ପ୍ରସାର କ୍ଷେତ୍ରରେ ‘ଦୀପିକା’ର ଭୂମିକାକୁ ପ୍ରଶଂସା କରିଥିଲେ।