ନୂଆଦିଲ୍ଲୀ: ଆକାଶରେ ମଙ୍ଗଳବାର ଏକ ଅଦ୍ଭୁତ ଖଗୋଳୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବୃହସ୍ପତି ଏବଂ ଶୁକ୍ର ଗ୍ରହ ପରସ୍ପରର ଅତି ନିକଟତର ହୋଇଥିଲେ । ଏହି ଦୁଇ ଗ୍ରହଙ୍କ ମଧ୍ୟରେ ଦୂରତା ମାତ୍ର ୧.୫ ଡିଗ୍ରୀରୁ ୨ ଡିଗ୍ରୀ ଆଖପାଖରେ ରହିଥିଲା । ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଏହି ସୁନ୍ଦର ଦୃଶ୍ୟକୁ ଖୋଲା ଆଖିରେ ସହଜରେ ଦୃଶ୍ୟମାନ ହୋଇଥିଲା ।

ନେହେରୁ ପ୍ଲାନେଟୋରିୟମର ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ସୌରମଣ୍ଡଳର ଦୁଇଟି ସବୁଠାରୁ ଉଜ୍ଜ୍ୱଳ ଗ୍ରହ ବୃହସ୍ପତି ଏବଂ ଶୁକ୍ର ମଧ୍ୟରେ ପ୍ରକୃତରେ କୋଟି କୋଟି କିଲୋମିଟରର ଦୂରତା ରହିଛି । ମାତ୍ର ପୃଥିବୀରୁ ଦେଖିଲେ ସେମାନଙ୍କର କକ୍ଷପଥ ଏଭଳି ସ୍ଥିତିକୁ ଆସିଥାଏ ଯେ ସେମାନେ ପରସ୍ପରର ଅତି ପାଖରେ ଥିବା ଭଳି ମନେହୁଅନ୍ତି । ଏହି ବିରଳ ଘଟଣାକୁ ଗ୍ରହମାନଙ୍କର 'ମହାମିଳନ' ବା ପ୍ଲାନେଟାରୀ କଞ୍ଜଙ୍କସନ୍ କୁହାଯାଏ ।

 

ପୃଥିବୀରୁ ଯଦିଓ ଏହି ଦୁଇଟି ଗ୍ରହ ଆକାଶରେ ପରସ୍ପର ନିକଟତର ଦେଖାଯାଉଛନ୍ତି, କିନ୍ତୁ ଏହା ଏକ ଭ୍ରମ। ମହାକାଶରେ ଏହି ଦୁଇଟି ଗ୍ରହ କୋଟି କୋଟି କିଲୋମିଟର ଦୂରତାରେ ଅଛନ୍ତି । ଶୁକ୍ର ଏବଂ ବୃହସ୍ପତି ମଧ୍ୟରେ ହାରାହାରି ଦୂରତା ପ୍ରାୟ ୬୭୦ ନିୟୁତ କିଲୋମିଟର । ଉଭୟ ଗ୍ରହ ସୂର୍ଯ୍ୟକୁ ଭିନ୍ନ ଭିନ୍ନ ବେଗରେ ପରିକ୍ରମା କରନ୍ତି । ତେଣୁ, ସେମାନଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ପ୍ରାୟ ୫୨୮ ନିୟୁତ କିଲୋମିଟର ଏବଂ ସର୍ବାଧିକ ଦୂରତା ୮୧୪ ନିୟୁତ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ।

କେମିତି ଓ କେଉଁଠି ଦେଖାଯାଏ ଏହି ଦୃଶ୍ୟ?

ସୂର୍ଯ୍ୟାସ୍ତ ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗନ୍ତ (Western Horizon) ଆଡ଼କୁ ଚାହିଁଲେ ଏହା ସ୍ପଷ୍ଟ ଦେଖାଯିବ । ଆକାଶରେ ସବୁଠାରୁ ବେଶୀ ଚମକୁଥିବା ଧଳା ରଙ୍ଗର ଆଲୋକ ବିନ୍ଦୁଟି ହେଉଛି ଶୁକ୍ର ଗ୍ରହ । ତାହାର ଠିକ୍ ପାଖରେ ଈଷତ୍ ସୁନେଲି ରଙ୍ଗରେ ସ୍ଥିର ଭାବେ ଚମକୁଥିବା ଦ୍ୱିତୀୟ ସବୁଠାରୁ ଉଜ୍ଜ୍ୱଳ ବିନ୍ଦୁଟି ହେଉଛି ବୃହସ୍ପତି । ସୂର୍ଯ୍ୟାସ୍ତର ଠିକ୍ ୩୦ରୁ ୬୦ ମିନିଟ୍ ମଧ୍ୟରେ ଏହାକୁ ଦେଖିବାର ସବୁଠାରୁ ପ୍ରକୃଷ୍ଟ ସମୟ । ତା'ପରେ ଏହି ଗ୍ରହ ଦୁଇଟି ଦିଗନ୍ତ ସେପାରିକୁ ଚାଲିଯାଆନ୍ତି ।

କାହିଁକି ଘଟେ ଏହି ଘଟଣା ?

ବୃହସ୍ପତି ଗ୍ରହକୁ ସୂର୍ଯ୍ୟଙ୍କ ଚାରିପଟେ ଥରେ ବୁଲିବା ପାଇଁ ପ୍ରାୟ ୧୨ ବର୍ଷ ସମୟ ଲାଗୁଥିବା ବେଳେ ଶୁକ୍ର ଗ୍ରହ ମାତ୍ର ୨୨୪ ଦିନରେ ସୂର୍ଯ୍ୟଙ୍କ ପରିକ୍ରମା ଶେଷ କରିଥାଏ । ଏହି କାରଣରୁ ପ୍ରତି ୧୦ ରୁ ୧୫ ମାସରେ ଥରେ ଏହି ଦୁଇ ଗ୍ରହ ଆକାଶରେ ଏଭଳି ଏକ ସରଳରେଖାରେ ପୃଥିବୀ ସମ୍ମୁଖକୁ ଆସନ୍ତି । ଏହା ପୂର୍ବରୁ ୧୨ ଅଗଷ୍ଟ ୨୦୨୫ ରେ ମଧ୍ୟ ଏଭଳି ଏକ ଶୁକ୍ର-ବୃହସ୍ପତି ସଂଯୋଗ ଦେଖିବାକୁ ମିଳିଥିଲା ।