ନୂଆଦିଲ୍ଲୀ: ଭେନେଜୁଏଲାରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୪୩୦ରେ ପହଞ୍ଚିଛି । ୩୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୫୦,୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଦେଶରେ ୭.୨ ଏବଂ ୭.୫ ତୀବ୍ରତାର ଭୂକମ୍ପ ଆସିବାର ଦୁଇ ଦିନ ପରେ ଶନିବାର ଉଦ୍ଧାରକାରୀ ଦଳ ଜୀବିତ ଥିବା ଲୋକଙ୍କୁ ଖୋଜିବା ପାଇଁ ତତ୍ପରତା ପ୍ରକାଶ କରିଥିଲା ।

କାରାକାସ୍ର ଉତ୍ତରରେ ଅବସ୍ଥିତ ଉପକୂଳବର୍ତ୍ତୀ ରାଜ୍ୟ 'ଲା ଗୁଏରା' ଭୂକମ୍ପ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ବସ୍ତିଗୁଡ଼ିକରେ ଚାରିଆଡ଼େ ଧୂଳିର ଆସ୍ତରଣ ଜମି ରହିଛି । ପୀଡ଼ିତଙ୍କ ପାଖରେ ଉପଯୁକ୍ତ ସୁବିଧା ପହଞ୍ଚିପାରୁ ନାହିଁ ।

ଜୀବିତ ଲୋକଙ୍କ ଦୟନୀୟ କାହାଣୀ

ସ୍ଥିତି କେତେ ଦୟନୀୟ ଏଇଠୁ ଅନୁମାନ ଯେ, ଜଣେ ମା’ଙ୍କୁ ନିଜ ଝିଅର ଶବକୁ ନିଜେ କାରାକାସ୍ର ଶବଗୃହ ପର୍ଯ୍ୟନ୍ତ ନେବାକୁ ପଡ଼ିଲା । ଭୂମିକମ୍ପ ଯୋଗୁ ଘରର ଭଗ୍ନାବଶେଷ ତଳେ ଚାପି ହୋଇଯିବା ଯୋଗୁଁ ତାଙ୍କ ଝିଅ ଏବଂ ଜ୍ୱାଇଁଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ସମ୍ବାଦ ସରବରାହ ସଂସ୍ଥା ଏପିଏଫକୁ କହିଛନ୍ତି, "ଆମେ ହିଁ ସେମାନଙ୍କୁ ଭଗ୍ନାବଶେଷ ତଳୁ ବାହାର କରିଥିଲୁ । କୌଣସି ପ୍ରକାରର ସାହାଯ୍ୟ କେବେ ମିଳିନଥିଲା ।"

ସରକାରଙ୍କ ତରଫରୁ କରାଯାଉଥିବା ଅପର୍ଯ୍ୟାପ୍ତ କାର୍ଯ୍ୟାନୁଷ୍ଠାନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସୈନିକ, ଅଗ୍ନିଶମ କର୍ମଚାରୀ, ପୋଲିସ ଏବଂ ମିଲିଟାରୀ କ୍ୟାଡେଟ୍ମାନେ ଏହି ବଡ଼ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବା ଭଳି ଜଣାପଡ଼ୁଛି ।

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ସ୍ୱେଚ୍ଛାସେବୀଙ୍କ ବୟାନ

ସ୍ୱେଚ୍ଛାସେବୀ ୟେସନ୍ ମାର୍କାନୋ କହିଛନ୍ତି, ସରକାରୀ କର୍ମଚାରୀମାନେ ଭଗ୍ନାବଶେଷ ସାମ୍ନାରେ ସେଲ୍ଫି ଉଠାଇ କାହାକୁ ସାହାଯ୍ୟ ନକରି ଚାଲିଯାଉଛନ୍ତି । ସେ କହିଛନ୍ତି, "ସେମାନେ କେବଳ 'ଆରେପାସ୍' (ଏକ ପ୍ରକାରର ଖାଦ୍ୟ) ଖାଇବାକୁ ଏବଂ ଫଟୋ ଉଠାଇବାକୁ ଆସିଥିଲେ । କେବଳ କାମ କରିବା ଭଳି ଦେଖେଇ ହେବାକୁ ଆସିଥିଲେ । ଏପରିକି ସେମାନେ ନିଜ ପୋଷାକ ମଇଳା ହେବାକୁ ମଧ୍ୟ ଦେଇ ନଥିଲେ ।"

ସରକାର ଲା ଗୁଏରାରେ ପ୍ରବେଶକୁ ପ୍ରତିବନ୍ଧିତ କରିଛନ୍ତି ଏବଂ ସ୍ୱେଚ୍ଛାସେବୀଙ୍କ ପାଇଁ ସୁରକ୍ଷିତ ପ୍ରବେଶ ପାସ୍ ପାଇବାକୁ ବାଧ୍ୟତାମୂଳକ କରିଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଲୋକଙ୍କ ପ୍ରଶ୍ନ, ଜୀବନ ବଞ୍ଚାଇବା ଏବଂ ଉଦ୍ଧାରକାର୍ଯ୍ୟ କରିବା ପାଇଁ କଣ ପାସ୍ ଦରକାର ।