ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି ବିହାରର ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ୍ ୨୦୨୬ରେ ନିଜର ଦମଦାର ବ୍ୟାଟିଂ ବଳରେ ଅରେଞ୍ଜ କ୍ୟାପ୍ ଜିତିବା ପରେ ଏବେ ତାଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିଛି । ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଏସବୁ ଭିତରେ ବୈଭବଙ୍କ ଏହି ଅସାଧାରଣ ସଫଳତା ପଛର ବଡ଼ ରହସ୍ୟ ଖୋଲିଛନ୍ତି ତାଙ୍କ ପିଲାଦିନର କୋଚ୍ ମନୀଷ ଓଝା ।

କୋଚଙ୍କ କହିବା ଅନୁସାରେ, ଏହି ସଫଳତା କୌଣସି ଚମତ୍କାର ନୁହେଁ ବରଂ ବୈଭବଙ୍କ କଠିନ ପରିଶ୍ରମର ପରିଣାମ । କୋଚ୍ ମନୀଷ ଓଝା ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ବୈଭବଙ୍କ ସଟରେ ଥିବା ପାୱାର ଏବଂ କ୍ଲାସିକ୍ ଟେକନିକ ପଛରେ ରହିଛି ଦୀର୍ଘ ୬ ବର୍ଷର କଠିନ ସାଧନା । ବୈଭବ ପ୍ରତିଦିନ ପ୍ରାୟ ୮ ଘଣ୍ଟା ପଡ଼ିଆରେ ରହି ଅଭ୍ୟାସ କରୁଥିଲେ । ସେ ଦୈନିକ ହାରାହାରି ୧୦୦ ଓଭର ଅର୍ଥାତ ୬୦୦ରୁ ଅଧିକ ବଲ୍ ଖେଳୁଥିଲେ ।

ଥକି ଯାଉଥିଲେ କୋଚ୍ ଓ ବୋଲର

ପିଟିଆଇକୁ ଦେଇଥିବା ସାକ୍ଷାତକାରରେ କୋଚ୍ କହିଛନ୍ତି, ଆମେ କେବେ ବଲ୍ ଗଣୁ ନଥିଲୁ, କିନ୍ତୁ ଏତିକି କହିପାରିବି ଯେ ସେ ପ୍ରତିଦିନ ଅତିକମରେ ୬୦୦ ବଲ୍ ସାମ୍ନା କରୁଥିଲେ। ପ୍ରଥମେ ପ୍ରାୟ ୨୦୦ ରୁ ୩୦୦ ବଲ୍ ମୁଁ ନିଜେ ତାଙ୍କୁ ଥ୍ରୋ-ଡାଉନ୍ ଦେଉଥିଲୁ । ମୁଁ ଥକିଗଲା ପରେ ଏକାଡେମୀର ସପୋର୍ଟ ଷ୍ଟାଫ୍ ଏବଂ ପରେ ବୋଲରମାନେ ବୈଭବଙ୍କୁ ବୋଲିଂ କରୁଥିଲେ । ଅନେକ ସମୟରେ ବୋଲରମାନେ ମଧ୍ୟ କ୍ଳାନ୍ତ ହୋଇପଡୁଥିଲେ, କିନ୍ତୁ ବୈଭବଙ୍କ ଉତ୍ସାହ କମୁ ନଥିଲା ।

ସକାଳ ୭ଟା ୩୦ ରୁ ଆରମ୍ଭ ହେଉଥିବା ଏହି ଅଭ୍ୟାସ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲୁଥିଲା । ଏହି ୬ ବର୍ଷର ନିରନ୍ତର ପରିଶ୍ରମ ଯୋଗୁଁ ବୈଭବଙ୍କ ଭିତରେ ଏକ ଶକ୍ତିଶାଳୀ 'ମସଲ ମେମୋରୀ' ତିଆରି ହୋଇଛି, ଯାହା ତାଙ୍କୁ ମଇଦାନରେ ସହଜରେ ବଡ଼ ସଟ୍ ଖେଳିବାରେ ସାହାଯ୍ୟ କରୁଛି  ବୋଲି କୋଚ୍ କହିଛନ୍ତି।

IPL 2026ରେ ଧମାକା 

ଆଇପିଏଲର ଏହି ସିଜିନରେ ବୈଭବଙ୍କ ବ୍ୟାଟରୁ ରନ ବର୍ଷା ହୋଇଛି। ସେ ୨୩୭ର ବିସ୍ଫୋରକ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରି ସମୁଦାୟ ୭୭୬ ରନ୍ ସଂଗ୍ରହ କରିବା ସହ ଅରେଞ୍ଜ କ୍ୟାପ୍ ନିଜ ନାମରେ କରିଥିଲେ। ମାତ୍ର ୮ ବର୍ଷ ବୟସରୁ ବୈଭବଙ୍କୁ କ୍ରିକେଟ୍ ଶିଖାଉଥିବା ମନୀଷ ଓଝା କହିଛନ୍ତି ଯେ, ଏହି ସଫଳତା ପଛରେ ବୈଭବଙ୍କ ବାପା ସଞ୍ଜୀବ ଓ ମାଆ ଆରତୀଙ୍କର ବହୁତ ବଡ଼ ତ୍ୟାଗ ରହିଛି । ବୈଭବଙ୍କ କ୍ୟାରିୟର ପାଇଁ ସେମାନେ ଅନେକ ସଂଘର୍ଷ କରିଛନ୍ତି ।

ଏବେ ବୈଭବଙ୍କ ସଫଳତା ଦେଖି ଅନେକ ବାପା-ମାଆ ନିଜ ପିଲାମାନଙ୍କୁ "ଆଗାମୀ ବୈଭବ" ବନାଇବା ଜିଦରେ ଏକାଡେମୀକୁ ଆଣୁଛନ୍ତି । କିନ୍ତୁ କ୍ରିକେଟରେ ଏହି ସ୍ଥାନରେ ପହଞ୍ଚିବା ଯେତିକି ସହଜ ଦେଖାଯାଏ, ପ୍ରକୃତରେ ସେତିକି ସହଜ ନୁହେଁ ବୋଲି କୋଚ୍ ସ୍ପଷ୍ଟ କରିଛନ୍ତି ।