ନୂଆଦିଲ୍ଲୀ: ସେଇ ଆଇପିଏଲ୍ ହେଉ କି ଘରୋଇ ମ୍ୟାଚ୍, କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀ ଯାହା ଚହଳ ପକାଇଛନ୍ତି ତ ପକାଇଛନ୍ତି, ହେଲେ ଏବେ ତାଙ୍କ ସାଇନ ଭାଇ ଯେଉଁ ଖେଳ ପ୍ରଦର୍ଶନ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର। ଲୋକେ କହୁଛନ୍ତି ବଡ଼େ ମିଆଁ ତୋ ବଡ଼େ ମିଆଁ ଛୋଟେ ମିଆଁ ଶୁଭାନ ଅଲ୍ଲା। ବୈଭଙ୍କ ସାନ ଭାଇ ଆଶୀର୍ବାଦ ସୂର୍ଯ୍ୟବଂଶୀ ବିହାର ସମସ୍ତିପୁରରେ ଖେଳାଯାଉଥିବା ଏକ ପ୍ରାକ୍ଟିସ୍ ମ୍ୟାଚରେ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଶୀର୍ବାଦଙ୍କ ବୟସ ମାତ୍ର ୧୦ । ହେଲେ ଏତେ କମ ବୟସରେ ତାଙ୍କର ଏଭଳି ଚମତ୍କାର ପ୍ରଦର୍ଶନ, ଏହା ସୂଚାଇ ଦେଉଛି, ଯେ ଭାରତୀୟ ଟିମକୁ ଖୁବ୍‌ଶୀଘ୍ର ବୈଭବଙ୍କ ଭଳି ଆଉ ଏକ ଷ୍ଟାର ବ୍ୟାଟର ମିଳିପାରେ।

୨୦ ଚୌକା ୧ ଛକା ମାରି ଶତକ

କ୍ରିକେଟ୍ ଏକାଡେମୀ ତାଜପୁରର ପ୍ରତିନିଧିତ୍ୱ କରି, ଆଶୀର୍ବାଦ ମାତ୍ର ୮୭ ବଲରୁ ୧୦୩ ରନ କରିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ସେ ସର୍ବାଧିକ ଚୌକା ଛକ୍କା ମାରି ରନ୍ ସଂଗ୍ରହ କରିଥିଲେ।ଆଶୀର୍ବାଦ ତାଙ୍କ ଇନିଂସରେ ୨୦ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସେ ୧୧୯.୩୯ ଷ୍ଟ୍ରାଇକ୍ ରେଟରେ ସ୍କୋର କରିଥିଲେ। ଫଳରେ କ୍ରିକେଟ ଆକାଡେମୀ ତେଜପୁର ମାତ୍ର ୨୯.୫ ଓଭରରେ ୨୩୪/୪ ସ୍କୋର କରିଥିଲେ। ଏଥିରେ ଶିବମ ରାଜଙ୍କର ୫୨ ରନ୍ ବି ସାମିଲ ଥିଲା।

ଶତକ ହାସଲ କରିବା ପରେ ଆଶୀର୍ବାଦ ବ୍ୟାଟ୍ ଉଠାଇ ସେଲିବ୍ରେସନ କରିଥିଲେ। ତାଙ୍କ ବ୍ୟାଟିଂରେ ବଡ଼ ଭାଇ ବୈଭବଙ୍କ ଝଲକ ଦେଖିବାକୁ ମିଳିଥିଲା। ସାନ ଭାଇ ଆଶୀର୍ବାଦଙ୍କର ଏଭଳି ପ୍ରଦର୍ଶନରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ସେଲିବ୍ରେସନ କରିଛନ୍ତି। ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଆଶୀର୍ବାଦଙ୍କ ସ୍କୋର ବୋର୍ଡ ଶେୟାର କରିବା ସହ ସାନ ଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶ୍ରୀଲଙ୍କାରେ ଅଛନ୍ତି ବୈଭବ

ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ତ୍ରିରାଷ୍ଟ୍ରୀୟ ସିରିଜ୍ ପାଇଁ ଶ୍ରୀଲଙ୍କାରେ ଅଛନ୍ତି। ଭାରତ A, ଶ୍ରୀଲଙ୍କା A ଏବଂ ଆଫଗାନିସ୍ତାନ A ଦଳକୁ ନେଇ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳାଯାଉଛି। ବୈଭବ ଆଶୀର୍ବାଦଙ୍କ ଠାରୁ ମାତ୍ର ୫ ବର୍ଷ ବଡ଼। ତାଙ୍କର ବୟସ ବର୍ତ୍ତମାନ ୧୫ ବର୍ଷ ୭୧ ଦିନ। ହେଲେ ଏତେ କମ ବୟସରେ ବୈଭବ ଏଭଳି ଖେଳ ପ୍ରଦର୍ଶନ କରୁଛନ୍ତି ଯେ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ନାଁ ଚର୍ଚ୍ଚା ହେଲାଣି। ଗତବର୍ଷ ତାଙ୍କର ଚମତ୍କାର ପ୍ରଦର୍ଶନ ଓ ଚଳିତ ଥର ଆଇପିଏଲ୍ରେ ସର୍ବାଧିକ ସ୍କୋର ୭୭୬ କରି ଅରେଞ୍ଜ କ୍ୟାପ୍ ହାସଲ କରିବା ପାଇଁ ବୈଭବଙ୍କୁ ଏଥର ଭାରତୀୟ ଟି-୨୦ ଟିମ୍ରେ ସ୍ଥାନ ମିଳିଛି। ସେ ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ଏସିଆନ ଗେମ୍ସରେ ଟିମ ଇଣ୍ଡିଆ ପାଇଁ ମ୍ୟାଚ୍ ଖେଳିବେ। ବର୍ତ୍ତମାନ ବୈଭବ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ମ୍ୟାଚ ଖେଳି ସେ ମାତ୍ର ୫୮ ରନ୍ କରିଛନ୍ତି।