ନୂଆଦିଲ୍ଲୀ: ଶନିବାର ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା IPL ୨୦୨୬ର ୩୬ ତମ ମ୍ୟାଚ୍ । ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚକୁ ୫ ଓ୍ବିକେଟରେ ଜିତିନେଇଛି ଏସଆରଏଚ। ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁକାବିଲାରେ ପ୍ୟାଟ୍ କମିନ୍ସ ହାଇଦ୍ରାବାଦର କ୍ୟାପ୍ଟେନ ଥିଲେ। ସେପଟେ ବୈଭବ ସୂର୍ଯ୍ୟବଂଶୀଙ୍କ ଶତକ ଯୋଗୁ ରାଜସ୍ଥାନ ହାଇଦ୍ରାବାଦକୁ ୨୨୯ ରନର ଟାର୍ଗେଟ ଦେଇଥିଲା। କିନ୍ତୁ ଇଶାନ ଏବଂ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ହାଇଦ୍ରାବାଦ ଯୋଗୁ ୧୯ ତମ ଓଭରରେ ଦଳ ବିଜୟ ହାସଲ କରିଛି।

ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ

ରାଜସ୍ଥାନର ୨୨୯ ରନ୍ ଜବାବରେ, ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ଯୋଡ଼ି ଓପନିଂ କରିଥିଲେ। ଢ଼ାତ୍ର ହେଡ୍ ମାତ୍ର ୬ ରନ୍ କରି ଆଉଟ ହୋଇଥିଲେ। ଏହା ପରେ ଅଭିଷେକ ଶର୍ମା ଏବଂ ଇଶାନ୍ କିଶାନଙ୍କ ପାର୍ଟନରସିପ୍ରୁ ଦଳ ୧୦୦ ରନ ହାସଲ କରିପାରିଥିଲା। ତେବେ ଅଭିଷେକ ୧୦ମ ଓଭରରେ ଆଉଟ ହେବା ପୂର୍ବରୁ ୨୯ ବଲରେ ୫୭ ରନ୍ କରିଥିଲେ। ଏହି ସମୟରେ ଇଶାନ୍ କିଶାନ୍ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ ।

ଇଶାନ କିଶନ ୩୧ ବଲରୁ ୭୪ ରନ କରି ହାଇଦ୍ରାବାଦର ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲେ। ଏହା ପରେ ହେନରିକ କ୍ଲାସେନ ଏବଂ ନୀତିଶ ରେଡ୍ଡିଙ୍କ ମଧ୍ୟରେ ଏକ ଚମତ୍କାର ପାର୍ଟନରସିପ ଦେଖିବାକୁ ମିଳିଥିଲା। ନୀତିଶ ରେଡ୍ଡି ୩୬ ରନ କରି ଆଉଟ ହୋଇଥିଲେ ଏବଂ କ୍ଲାସେନ ୨୯ ରନ କରିପାରିଥିଲେ। ପରେ ସଲିଲ ଅରୋରା ଏବଂ ଅନିକେତ ମ୍ୟାଚ୍ ଶେଷ କରିଥିଲେ ଏବଂ ହାଇଦ୍ରାବାଦ ୫ ୱିକେଟରେ ବିଜୟୀ ହୋଇଥିଲା।

Also Read: IPL 2026: ମୁଣ୍ଡରେ ଗୁରୁତର ଆଘାତ, ପଡ଼ିଆ ଭିତରୁ ଆମ୍ବୁଲାନ୍ସରେ ଗଲେ ଲୁଙ୍ଗି ଏନଗିଡ଼ି

ଏମିତି ଥିଲା ରାଜସ୍ଥାନର ବ୍ୟାଟିଂ

ରାଜସ୍ଥାନର ଇନିଂସ ବୈଭବ ସୂର୍ଯ୍ୟବଂଶୀ ଏବଂ ଯଶସ୍ବୀ ଜୟସୱାଲଙ୍କଠାରୁ ଆରମ୍ଭ ହୋଇଥିଲା। ବୈଭବ ପ୍ରଥମ ଓଭରରେ ୪ଟି ଛକା ମାରିଥିଲେ, କିନ୍ତୁ ଯଶସ୍ତ୍ରୀ ତୃତୀୟ ଓଭରରେ ୱିକେଟ ହରାଇଥିଲେ । ତଥାପି ବୈଭବ ୧୫ ବଲ୍‌ ୫୦ ରନ୍ କରିଥିଲେ। ଏହି ସମୟରେ, ଧ୍ରୁବ ଜୁରେଲ ମଧ୍ୟ ଏକ ୫୦ ରନ୍ କରିଥିଲେ ଏବଂ ବୈଭବଙ୍କ ସହିତ ଏକ ଶତକୀୟ ଭାଗୀଦାରି କରିଥିଲେ । ତଥାପି ୧୩ ତମ ଓଭରରେ ଆଉଟ ହୋଇଥିଲେ ଜୁରେଲ। ଯେତେବେଳେକି ମାତ୍ର ୩୬ ବଲରେ ଶତକ କରିଥିଲେ ବୈଭବ। ହେଲେ ସାକିବ ହୁସେନଙ୍କ ବଲ୍ରେ ଆଉଟ୍ ହୋଇଥିଲେ ବୈଭବ। ବୈଭବଙ୍କ ପରେ ଅଧିନାୟକ ରିୟାନ ପରାଗ ଆଠ ବଲ୍ରେ ସାତ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ଡୋନୋଭାନ ଫେରେରା ୩୩ ରନ୍ କରି ଇଶାନ ମାଲିଙ୍ଗାଙ୍କ ଦ୍ବାରା ଆଉଟ୍ ହୋଇଥିଲେ । ସିମରନ୍ ହେଟମାୟର ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲେ ଏବଂ ୧୧ ରନ୍ କରି ପ୍ରଫୁଲ ହିଙ୍ଗେଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ବୈଭବ ସୂର୍ଯ୍ୟବଂଶୀ ନିଜ ପାଳିରେ ଇନିଂସରେ ୧୨ଟି ଛକା ଏବଂ ୫ଟି ଚୌକା ମାରି ୩୭ଟି ବଲରୁ ୧୦୩ ରନ କରିଥିଲେ, ଯାହା ରାଜସ୍ଥାନକୁ ୨୨୮ ରନ କରିବାରେ ସାହାଯ୍ୟ କରିଥିଲା।

ରାଜସ୍ଥାନ ରୟାଲ୍ସର ପ୍ଲେଇଂ ଇଲେଭେନ: ଯଶସ୍ବୀ ଜୟସ୍ବାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପାରାଗ, ସିମରନ ହେଟମାୟର, ଡୋନୋଭାନ୍ ଫରେରା, ରବିନ୍ଦ୍ର ଜାଡେଜା, ଜୋଫ୍ରା ଆର୍ଚର, ତୁଷାର ଦେଶପାଣ୍ଡେ, ନନ୍ଦେ ବର୍ଗର, ବ୍ରିଜେଶ ଶର୍ମା।

ସନରାଇଜର୍ସ ହାଇଦ୍ରାବାଦର ପ୍ଲେଇଂ ଇଲେଭେନ: ଅଭିଷେକ ଶର୍ମା, ଇଶାନ କିଶନ, ହେନରିକ କ୍ଲାସେନ, ସଲିଲ ଅରୋରା, ଅନିକେତ ବର୍ମା, ନୀତିଶ କୁମାର ରେଡ୍ଡୀ, ପ୍ୟାଟ କମିନ୍ସ (ଅଧିନାୟକ), ଶିବାଙ୍ଗ କୁମାର, ସାକିବ ହୁସେନ୍, ପ୍ରଫୁଲ୍ଲ ହିଙ୍ଗେ, ଇଶାନ ମାଲିଙ୍ଗା।