ୱାଶିଂଟନ୍ ଡି.ସି. / କିଭ୍:୨୦୨୨ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା ଋଷ୍-ୟୁକ୍ରେନ୍ ଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପର ସବୁଠାରୁ ବଡ଼ ଏବଂ ବିନାଶକାରୀ ସଂଘର୍ଷରେ ପରିଣତ ହୋଇଛି। ଆମେରିକା ଭିତ୍ତିକ 'ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡ଼ିଜ୍' (CSIS) ର ନୂତନ ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ ମିଳିତ ସାମରିକ ମୃତାହତଙ୍କ ସଂଖ୍ୟା ୨୦ ଲକ୍ଷ ପାର୍ କରିଛି।

CSISରିପୋର୍ଟରେ ଏମିତି କଣ ଥିଲା ଯାହା ସାରା ବିଶ୍ବକୁ କରିଛି ଆଶ୍ଚର୍ଯ୍ୟଚକିତ?

ଋଷର ମୋଟ ସାମରିକ ମୃତାହତ ସଂଖ୍ୟା ପ୍ରାୟ ୧୪ ଲକ୍ଷ ରହିଛି। ଏଥିମଧ୍ୟରୁ ପ୍ରାୟ ୪ ଲକ୍ଷରୁ ଅଧିକ ସୈନିକ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁସାରେ, ୟୁକ୍ରେନ୍ରେ ପ୍ରାଣ ହରାଇଥିବା ଋଷ୍ ସୈନିକଙ୍କ ସଂଖ୍ୟା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆମେରିକା ଦ୍ୱାରା ହୋଇଥିବା ସମସ୍ତ ଯୁଦ୍ଧରେ ହୋଇଥିବା ମୃତ୍ୟୁ ସଂଖ୍ୟା ତୁଳନାରେ ୪ ଗୁଣ ଅଧିକ। ୟୁକ୍ରେନ୍ ସେନାର ମୋଟ ମୃତାହତ ସଂଖ୍ୟା ୫.୨୫ ଲକ୍ଷରୁ ୬.୨୫ ଲକ୍ଷ ମଧ୍ୟରେ ରହିଛି, ଯେଉଁଥିରେ ୧.୨୫ ଲକ୍ଷରୁ ୧.୫ ଲକ୍ଷ ସୈନିକ ନିହତ ହୋଇଛନ୍ତି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୟୁକ୍ରେନ୍ ତୁଳନାରେ ଋଷ୍ର ମୃତାହତ ଅନୁପାତ ପ୍ରାୟ ୮:୧ କୁ ବୃଦ୍ଧି ପାଇଛି।

ଯୁଦ୍ଧର ସାମ୍ପ୍ରତିକ ସ୍ଥିତି

ନିକଟରେ ଋଷ କିଭ୍ ସହର ଉପରେ ଏକ ଭଡ ଧରଣର ଆକ୍ରମଣ କରିଛି, ଯେଉଁଥିରେ ୪୯୬ଟି ଡ୍ରୋନ୍ ଏବଂ ୭୪ଟି କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି। ଏହି ଆକ୍ରମଣରେ ଅତିକମରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆବାସିକ କୋଠା ଭୁଶୁଡ଼ି ପଡ଼ିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ

ଏଭଳି ଭୟଙ୍କର ପରିସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ଶେଷ କରିବା ପାଇଁ ଏକ ଶାନ୍ତି ଚୁକ୍ତି ଉପରେ ଜୋର୍ ଦେଉଛନ୍ତି। ତାଙ୍କ ମତରେ, ଏହି ଅର୍ଥହୀନ ହତ୍ୟାକାଣ୍ଡକୁ ବନ୍ଦ କରିବା ହିଁ ମାନବତା ପାଇଁ ଆବଶ୍ୟକ। କିନ୍ତୁ ଯେହେତୁ ଋଷ ଓ ୟୁକ୍ରେନ୍ କେହି ମଧ୍ୟ ସରକାରୀ ଭାବେ ମୃତାହତଙ୍କ ସଂଖ୍ୟା ପ୍ରକାଶ କରୁନାହାନ୍ତି, ତେବେ CSIS ର ଏହି ରିପୋର୍ଟ ପାଶ୍ଚାତ୍ୟ ଦେଶଗୁଡ଼ିକର ଆକଳନ ସହ ପ୍ରାୟତଃ ମେଳ ଖାଉଥିବାରୁ ଏହାର ସତ୍ୟତା ଥିବା କୁହାଯାଉଛି।