ନୂଆଦିଲ୍ଲୀ,୦୧ /୦୪ଇରାନକୁ ନେଇ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଆମେରିକା ତାର ଯୁଦ୍ଧପୋତ ୟୁଏସଏସ୍ ତ୍ରିପୋଲିକୁ ଭାରତ ମହାସାଗରରେ ମୁତୟନ କରିଛି । ଏହି ଜାହାଜରେ ୩୧ତମ ମରିନ ଏକ୍ସପେଡିସନାରୀ ୟୁନିଟର ପ୍ରାୟ ୧୮୦୦ ମରିନ କମାଣ୍ଡୋ ନିୟୋଜିତ ଅଛନ୍ତି । ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ସୋସିଆଲ ମିଡିଆରେ ଏହି ସୂଚନା ଦିଆଯାଇଛି ।

ତେବେଏହି ଯୁଦ୍ଧଜାହାଜକୁ ଇରାନ ଠାରୁ କେତେ ଦୂରରେ ମୁତୟନ କରାଯାଇଛି ସେକଥା କୁହାଯାଇନାହିଁ । ୟୁଏସଏସ୍ ତ୍ରିପୋଲି ହେଉଛି ଏକ ଅତ୍ୟାଧୁନିକ ଯୁଦ୍ଧଜାହାଜ ଯେଉଁଥିରେ ଉଭୟ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମହଜୁଦ ଅଛି । ଯେକୌଣସି ବଡ ଅପରେସନ ପାଇଁ ଏହା ସକ୍ଷମ । ଏହି କମାଣ୍ଡୋମାନେ ଆକ୍ରମଣ,କବ୍ଜା ଓ ଉଦ୍ଧାର କାର୍ଯ୍ୟ ଭଳି ତ୍ୱରିତ ଅପରେସନ କରିବାରେ ସକ୍ଷମ । ସମୁଦ୍ର ଭିତରୁ ସ୍ଥଳଭାଗରେ ଥିବା ଯେକୌଣସି ଟାର୍ଗେଟକୁ ଏହି ଯୁଦ୍ଧଜାହାରୁ ଲକ୍ଷ୍ୟଭେଦ କରାଯାଇପାରିବ । ଏଥିରେ ଲଢ଼ୁଆ ବିମାନ,ହେଲିକପ୍ଟର ଓ ପରିବହନ ବିମାନ ରହିଛି ।

ଆହୁରି ମଧ୍ୟ ଜାହାଜରେ ଏଫ-୩୫ ଭଳି ଫାଇଟର ଜେଟ୍ ମଧ୍ୟ ମୁତୟନ ଅଛି । ଏଥିସହ ଆମେରିକା ମଧ୍ୟପ୍ରାଚ୍ୟକୁ ଅତିରିକ୍ତ ସୈନିକଙ୍କୁ ମଧ୍ୟ ପଠାଇଛି । ଯାହାଫଳରେ ସେହି ଅଞ୍ଚଳରେ ଆମେରିକାର ସୈନ୍ୟ ଗତିବିଧି ତ୍ୱରାନ୍ୱିତ ହୋଇଛି । ତେବେ ଏହି ସୈନିକଙ୍କ ମୁତୟନ ଇରାନ ବିରୋଧରେ ସ୍ଥଳ ଅଭିଯାନ କରାଯିବା ନେଇ ସଙ୍କେତ ଦେଉଛି ବୋଲି କୁହାଯାଉଛି । କାରଣ ଏହ ପୂର୍ବରୁ ଆମେରିକା ୧୧ତମ ମରିନ ଏକ୍ସପେଡିସନାରୀ ୟୁନିଟର ୨୨୦୦ କମାଣ୍ଡୋ ଏବଂ ୮୨ତମ ଏୟାରବୋର୍ଣ୍ଣ ଡିଭିଜନର ୧୦୦୦ କମାଣ୍ଡୋଙ୍କୁ ମଧ୍ୟପ୍ରାଚ୍ୟକୁ ପଠାଇଛି ।