ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ଧାରଣ କରିଛି। ଶୁକ୍ରବାର (୧୭ ଜୁଲାଇ) ଜୋର୍ଡାନରେ ଥିବା ଆମେରିକୀୟ ସୈନ୍ୟ ଶିବିର ଉପରେ ଇରାନ ପକ୍ଷରୁ ହୋଇଥିବା ବାଲିଷ୍ଟିକ ମିସାଇଲ ଏବଂ ଡ୍ରୋନ ଆକ୍ରମଣରେ ୨ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଛନ୍ତି। ଏହାସହ ଜଣେ ସୈନିକ ନିଖୋଜ ଥିବା ନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଶନିବାର ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି। ଏହି ସ୍ଥିତିକୁ ମିଶାଇ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ମୋଟ ୧୬ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩୦ରୁ ଅଧିକ ଆହତ ହୋଇଛନ୍ତି।

ପେଣ୍ଟାଗନ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧୭ ତାରିଖରେ ଜୋର୍ଡାନରେ ଆମେରିକୀୟ ସେନା ଏବଂ ତାର ସହଯୋଗୀ ବାହିନୀ ଇରାନର ମିସାଇଲ୍ ଆକ୍ରମଣକୁ ପ୍ରତିହତ କରୁଥିବା ସମୟରେ ୨ ଜଣ ଯବାନ ସହୀଦ ହୋଇଥିଲେ। ଆକ୍ରମଣରେ ଗୁରୁତର ହୋଇଥିବା ୪ ଜଣ ଆମେରିକୀୟ ସୈନିକଙ୍କୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା, ହେଲେ ସେମାନେ ଏବେ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଛନ୍ତି। ଅନ୍ୟ କେତେକ ସାମାନ୍ୟ ଆହତ ସୈନିକ ଚିକିତ୍ସା ପରେ ପୁଣି ନିଜ କର୍ତ୍ତବ୍ୟକୁ ଫେରିଛନ୍ତି। ମୃତ ସୈନିକମାନଙ୍କ ପରିବାରକୁ ଅବଗତ କରାଯିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କର ପରିଚୟ ଗୋପନ ରଖାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।

ଏହି ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନି ସୋସିଆଲ ମିଡିଆ ପ୍ଲାଟଫର୍ମ 'X' (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ଆମେରିକାକୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖେ, ତେବେ ତାକୁ ‘କଦାପି ଭୁଲି ନପାରିବା ଭଳି ଶିକ୍ଷା’ ମିଳିବ। ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ସର୍ବସାଧାରଣରେ ନଜର ଆସିନଥିବା ଖାମେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାକ୍ଷରିତ ଏକ ଚୁକ୍ତିକୁ ମଧ୍ୟ ଅବୈଧ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି।

ଏହି ଘଟଣା ଯୋଗୁଁ ବର୍ତ୍ତମାନ କୂଟନୈତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ହେବାର ଆଶା ସମ୍ପୂର୍ଣ୍ଣ ମଉଳି ଯାଇଛି। ଆମେରିକା ସେନା ଶନିବାର ସୂଚନା ଦେଇଥିଲା ଯେ, ସେମାନେ ଇରାନ ଭିତରେ ଥିବା ସାମରିକ ଗୋଦାମ, ଗୁପ୍ତଚର କେନ୍ଦ୍ର ଏବଂ ସାମୁଦ୍ରିକ ଘାଟି ଉପରେ କ୍ରମାଗତ ବୋମା ବର୍ଷଣ କରିଛନ୍ତି।
ଆମେରିକାର ଏହି ଏୟାରଷ୍ଟ୍ରାଇକର ଜବାବରେ ଇରାନ ମଧ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ୍ କରିଛି । ଶନିବାର ହୋଇଥିବା ଆକ୍ରମଣରେ କୁଏତର ଏକ ତେଲ ବିଶୋଧନାଗାର ଏବଂ ଜଳ ବିଶୁଦ୍ଧିକରଣ ପ୍ରକଳ୍ପ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। କୁଏତ ବ୍ୟତୀତ ଇରାକ, ବହାରିନ, ଜର୍ଡାନ ଏବଂ ସାଉଦି ଆରବରେ ଥିବା ଆମେରିକୀୟ ସାମରିକ ସ୍ଥଳୀ ଉପରେ ମଧ୍ୟ ଇରାନ ମିସାଇଲ୍ ମାଡ଼ କରିଛି।