ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ୱାସିଂଟନ ଓ ତେହେରାନ ମଧ୍ୟରେ ଦୁଇ ସପ୍ତାହ ଯୁଦ୍ଧବିରାମ ବୁଝାମଣା ପରେ ସେ ହୋର୍ମୁଜ ପ୍ରଣାଳୀରେ ଟୋଲ ଅସୁଲ ପାଇଁ ଇରାନ ସହିତ ଏକ ‘ମିଳିତ ଉଦ୍ୟମ’ (ଜଏଣ୍ଟ ଭେଞ୍ଚର)ର ଯୋଜନା କରୁଛନ୍ତି। ଏବିସି ନ୍ୟୁଜ୍ ସାମ୍ବାଦିକ ଜୋନାଥନ କାର୍ଲଙ୍କ ଏ ନେଇ ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଦ୍ୱାରା ଏହି ଜଳମାର୍ଗକୁ ସୁରକ୍ଷିତ କରାଯାଇ ପାରିବ ଓ ଅନ୍ୟମାନଙ୍କଠାରୁ ଏହାକୁ ସୁରକ୍ଷିତ ରଖା ଯାଇ ପାରିବ।

ଜୋନାଥନ କାର୍ଲ ଟ୍ରମ୍ପ ଙ୍କୁ ପଚାରିଥିଲେ ଯେ ଇରାନ ଦ୍ୱାରା ହୋର୍ମୁଜ ପ୍ରଣାଳୀ ଦେଇ ଜାହାଜଙ୍କ ଯାତାୟାତ ଉପରେ ଟୋଲ ଲଗାଇବାର ପ୍ରସ୍ତାବକୁ ସମର୍ଥନ କରନ୍ତି କି? ଏହାର ଉତ୍ତରେ ରିପବ୍ଲିକାନ ନେତା କହିଛନ୍ତି ଯେ ଏହାକୁ ଆମେ ଜଏଣ୍ଟ ଭେଞ୍ଚରରେ କରିବାକୁ ବିଚାର କରୁଛୁ। ଏହା ପୂର୍ବରୁ ଟ୍ରମ୍ପ ଏହି ରଣନୈତିକ ଜଳମାର୍ଗ ଦେଇ ଯାତାୟାତ କରୁଥିବା ଜାହାଜଙ୍କ ଉପରେ ଟୋଲ ଲଗାଇବା ପାଇଁ ଆମେରିକା ବିଚାର କରୁଥିବା କହିଥିଲେ। ଯଦି ଯୁକ୍ତରାଷ୍ଟ୍ର ଆମେରିକା ଏହି ପଦକ୍ଷେପ ନିଏ ତେବେ ହୋର୍ମୁଜ ଉପରେ ଆମେରିକାର ସୈନ୍ୟ ନିୟନ୍ତ୍ରଣ ଆବଶ୍ୟକତା ପଡିପାରେ।

ପାରସ୍ୟ ଉପସାଗରକୁ ହୀନ୍ଦ ମହାସାଗର ସହ ସଂଯୁକ୍ତ କରୁଥିବା ଏହି ଜଳମାର୍ଗର ଅଧିକାଂଶ ଅଞ୍ଚଳ ଓମାନ ଓ ଇରାନ ଜଳକ୍ଷେତ୍ର ମଧ୍ୟରେ ରହିଛି। ଟ୍ରମ୍ପ ଜାରି ଯୁଦ୍ଧରେ ବିଜୟ ଘୋଷଣା କରି ଇରାନକୁ ସାମରିକ ରୂପେ ପରାସ୍ତ କରିଥିବା ଦାବିକୁ ଦୋହରାଇଛନ୍ତି। ତେବେ ଇରାନ ଯୁଦ୍ଧବିରାମ ଘୋଷଣା ପରେ ମଧ୍ୟ ମିଡିଲଇଷ୍ଟରେ ଡ୍ରୋନ ଓ ମିଜାଇଲ ଆକ୍ରମଣ ଜାରି ରଖିଛି ଓ ହୋର୍ମୁଜକୁ ନାକାବନ୍ଦୀ କରିଛି।

ସିପିଙ୍ଗ ଉଦ୍ୟୋଗର ଗୁଇନ୍ଦା ସୂଚନା ରଖୁଥିବା ୱେବସାଇଟ୍ ‘ଲୟଡ ଲିଷ୍ଟ’ ଅନୁସାରେ ହୋର୍ମୁଜ ଦେଇ ଦୈନିକ ୧୨୦ରୁ ଅଧିକ ଜାହାଜ ଯାତାୟାତ କରିଥାନ୍ତି। କେତେକ ମିଡିଆ ରିପୋର୍ଟ ଅନୁସାରେ ତେହେରାନ ପୂର୍ବରୁ ହୋର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦେବା ନିମନ୍ତେ କେତେକ ଜାହାଜଙ୍କଠାରୁ ୨ ନିୟୁତ ଡଲାର ଟୋଲ ଅସୁଲ କରିଛି। ଏଥିରେ ଯଦି ଟ୍ରମ୍ପ ଏହି ଯୋଜନାରେ ଆଗକୁ ବଢନ୍ତି ଓ ଏହିଭଳି ଶୁଳ୍କ ଅସୁଲ କରନ୍ତି ଏଥିରୁ ଆମେରିକାର ଦୈନିକ ୨୪୦ ମିଲିୟନ ଡଲାରରୁ ଅଧିକ ଆୟ ହେବ।