ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲିଅନ୍ସ ଏବଂ ଉଡ଼ନ୍ତା ଥାଳି ବା UFO (Unidentified Flying Object) ସମ୍ବନ୍ଧୀୟ ସମସ୍ତ ଗୁପ୍ତ ରେକର୍ଡ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଯେଉଁ ସବୁ ଚିତ୍ର ଜାରି କରାଯାଇଛି, ସେଥିରେ କୌଣସି ବିଶେଷ ତଥ୍ୟ ନାହିଁ। ‘ଡେଲି ମେଲ୍’ର ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦୨୩ରେ ଆମେରିକୀୟ ବାୟୁସେନାର ପୂର୍ବତନ ଗୁଇନ୍ଦା ଅଧିକାରୀ ଡେଭିଡ୍ ଗ୍ରୁଶ୍ ଯେତେବେଳେ ଆମେରିକୀୟ କଂଗ୍ରେସ (ସଂସଦ) ସାମ୍ନାରେ UFO ଏବଂ ଏଲିଅନ୍ସର ଅସ୍ତିତ୍ୱ ବିଷୟରେ ପ୍ରମାଣ ଉପସ୍ଥାପନ କରୁଥିଲେ, ସେତେବେଳେ ଏକ ପ୍ରଶ୍ନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଆଫଗାନିସ୍ତାନ ଯୁଦ୍ଧର ଅଭିଜ୍ଞ ସୈନିକଙ୍କୁ ପଚରାଯାଇଥିଲା ଯେ, ସେ ଏପରି କୌଣସି ବ୍ୟକ୍ତିଙ୍କୁ ଜାଣିଛନ୍ତି କି, ଯାହାଙ୍କୁ ଏହି ଗୁପ୍ତ ପ୍ରୋଜେକ୍ଟକୁ ଲୁଚାଇବା ପାଇଁ ହତ୍ୟା କରାଯାଇଛି ? ଗ୍ରୁଶ୍‌ଙ୍କ ସ୍ପଷ୍ଟ ଜବାବ ଥିଲା, ‘ହଁ, ମୁଁ ବ୍ୟକ୍ତିଗତ ଭାବେ ଏପରି ଲୋକଙ୍କୁ ଜାଣେ।’

ରହସ୍ୟ ଖୋଲିଲେ ଜୀବନ ଯିବାର ଭୟ
ଡେଭିଡ୍ ଗ୍ରୁଶ୍‌ଙ୍କ କହିବା ଅନୁସାରେ, UAP (Unidentified Anomalous Phenomena) ବା ୟୁଏଫଓ ଉପରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଗବେଷଣା ଏବଂ ଦୁର୍ଘଟଣାଗ୍ରସ୍ତ ଏଲିଅନ୍ ମହାକାଶଯାନଗୁଡ଼ିକୁ ଉଦ୍ଧାର କରିବା ପ୍ରକ୍ରିୟାକୁ ସରକାର ସବୁବେଳେ ଗୁପ୍ତ ରଖିଛନ୍ତି। ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ଅନେକ ଅଧିକାରୀ ଅନୁଭବ କରୁଥିଲେ ଯେ, ଯଦି ସେମାନେ ଏହା ଉପରେ ମୁହଁ ଖୋଲିବେ, ତେବେ ସେମାନଙ୍କ ଜୀବନ ପ୍ରତି ବିପଦ ଆସିପାରେ। ଆମେରିକାର ଦୁଇଜଣ ପୂର୍ବତନ ସ୍ପେଶାଲ ଫୋର୍ସ କର୍ମଚାରୀ ମଧ୍ୟ ଦାବି କରିଛନ୍ତି ଯେ, ସେମାନଙ୍କ ସହକର୍ମୀମାନଙ୍କୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ହତ୍ୟା କରିବାକୁ ଆଦେଶ ଦିଆଯାଇଥିଲା, କାରଣ ସେହି ଲୋକମାନେ ୟୁଏପି ସମ୍ବନ୍ଧୀୟ ଅତି ଗୁପ୍ତ ତଥ୍ୟ ସାର୍ବଜନୀନ କରିବାକୁ ଯାଉଥିଲେ।

କେଉଁ ସେଲିବ୍ରିଟି ହୋଇଥିଲେ ଏହି ଗୁପ୍ତ ପ୍ରୋଜେକ୍ଟର ଶିକାର ?
ଏହି ସମ୍ବେଦନଶୀଳ ମାମଲାର ଯାଞ୍ଚ କରୁଥିବା ଜଣେ କିଙ୍ଗସ କାଉନସେଲ୍ (Kings Counsel) ନିଜର ଦୀର୍ଘ ଦିନର ଅଭିଜ୍ଞତା ଆଧାରରେ ଏକ ଚମକାଇଦେବା ଭଳି ନିଷ୍କର୍ଷରେ ପହଞ୍ଚିଛନ୍ତି। ତାଙ୍କ କହିବା ଅନୁଯାୟୀ, UFOର ରହସ୍ୟକୁ ଦୁନିଆଠାରୁ ଲୁଚାଇବା ପାଇଁ ଆମେରିକାର ସୁରକ୍ଷା ଏଜେନ୍ସିର ଏଜେଣ୍ଟ ଏବଂ କଣ୍ଟ୍ରାକ୍ଟରମାନେ ଯେକୌଣସି ସ୍ତରକୁ ଯାଇପାରନ୍ତି। ସେମାନେ ପ୍ରମାଣ ନଷ୍ଟ କରିବା ପାଇଁ ଶାରୀରିକ ନିର୍ଯାତନା ଦେବା ସହ ହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ।

ହଲିଉଡର ସର୍ବକାଳୀନ ପ୍ରସିଦ୍ଧ ଅଭିନେତ୍ରୀ ମେରିଲିନ୍ ମୁନ୍ରୋ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍. କେନେଡିଙ୍କ ମୃତ୍ୟୁ ହୋଇଥିଲା ।
ବିଶେଷଜ୍ଞଙ୍କ ଦାବି ଅନୁଯାୟୀ, ମେରିଲିନ୍ ମୁନ୍ରୋ ଏବଂ ଜନ୍ ଏଫ୍. କେନେଡିଙ୍କ ମଧ୍ୟରେ ଥିବା ସମ୍ପର୍କ କାରଣରୁ କେନେଡି ବୋଧହୁଏ UFO କିମ୍ବା ଏଲିଅନ୍ସ ସହ ଜଡ଼ିତ କିଛି ଗୁପ୍ତ ସୂଚନା ମୁନ୍ରୋଙ୍କ ସହ ସେୟାର କରିଥିଲେ। ଏହି ଅତି ସମ୍ବେଦନଶୀଳ ତଥ୍ୟ ଯେପରି ସର୍ବସାଧାରଣରେ ପ୍ରକାଶ ନପାଏ, ସେଥିପାଇଁ ଆମେରିକାର ଗୁପ୍ତ ସଂସ୍ଥାଗୁଡ଼ିକ ଦ୍ୱାରା ଯୋଜନାବଦ୍ଧ ଭାବେ ସେମାନଙ୍କୁ ଦୁନିଆରୁ ହଟାଇ ଦିଆଯାଇଥିଲା।

ବର୍ତ୍ତମାନର ଆମେରିକା ସରକାର ଏହି ଫାଇଲଗୁଡ଼ିକୁ ସର୍ବସାଧାରଣ କରୁଥିଲେ ମଧ୍ୟ, ଏହା ଭିତରେ ଥିବା ପ୍ରକୃତ ରହସ୍ୟକୁ ଲୁଚାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ UFO ରେକର୍ଡ ଜାରି କରିବାକୁ କହିଛନ୍ତି। ଜାରି ହୋଇଥିବା ଫଟୋ ଓ ତଥ୍ୟରେ ବିଶେଷ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଦେଖିବାକୁ ମିଳୁନାହିଁ। ଏହା ଦୁନିଆକୁ ସତ୍ୟ ଜଣାଇବା ପାଇଁ ନୁହେଁ, ବରଂ ଏହି ଗୁପ୍ତ ପ୍ରୋଜେକ୍ଟକୁ ଏକ କଳ୍ପିତ କାହାଣୀ କହି ଲୋକଙ୍କୁ ଭ୍ରମିତ କରିବାର ଏକ ରଣନୀତି ହୋଇପାରେ। ଆମେରିକାର ଏହି ପୂର୍ବତନ ଗୁଇନ୍ଦା  ଅଧିକାରୀଙ୍କ ବୟାନ ପରେ, କେନେଡି ଏବଂ ମେରିଲିନ୍ ମୁନ୍ରୋଙ୍କ ମୃତ୍ୟୁ ମାମଲା ପୁଣି ଥରେ ବିଶ୍ୱ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି UFO ଏବଂ ଏଲିଅନ୍ସର ସତ୍ୟତା ଆଗାମୀ ଦିନରେ ଆମେରିକା ଇତିହାସର ସବୁଠାରୁ ବଡ଼ ଗୁମର ଖୋଲିପାରେ ବୋଲି ଅନୁମାନ କରାଯାଉଛି।