ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବ୍ୟାପାର କିମ୍ବା ବିଶ୍ୱ ସମସ୍ୟାର ପରିଚାଳନା କ୍ଷେତ୍ରରେ ଭାରତୀୟମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପେକ୍ଷା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଅଧିକ ଭରସା କରନ୍ତି। ପ୍ରସିଦ୍ଧ ସଂସ୍ଥା 'ପ୍ୟୁ ରିସର୍ଚ୍ଚ ସେଣ୍ଟର' ପକ୍ଷରୁ ନିକଟରେ କରାଯାଇଥିବା ଏକ ବୈଶ୍ୱିକ ସର୍ଭେରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

୮ ଫେବୃଆରୀରୁ ୧୩ ମେ ୨୦୨୬ ମଧ୍ୟରେ ବିଶ୍ୱର ୩୬ଟି ଦେଶର ପ୍ରାୟ ୪୨,୧୫୧ ଜଣ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ, ୫୧ ପ୍ରତିଶତ ଭାରତୀୟ ବିଶ୍ୱ ବ୍ୟାପାର ପରିଚାଳନାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କ୍ଷମତା ଓ ନିଷ୍ପତ୍ତି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଅପରପକ୍ଷରେ, ମାତ୍ର ୩୯ ପ୍ରତିଶତ ଭାରତୀୟ ବିଶ୍ୱ ବ୍ୟାପାରରେ ଠିକ୍ ନିଷ୍ପତ୍ତି ନେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବିଶ୍ୱାସ ଦେଖାଇଛନ୍ତି।

ପୂର୍ବ ବର୍ଷର ସର୍ଭେ ତୁଳନାରେ ଭାରତରେ ଟ୍ରମ୍ପଙ୍କ ପ୍ରତି ଲୋକଙ୍କ ଆସ୍ଥା ହ୍ରାସ ପାଇଛି। ପୂର୍ବରୁ ୫୧% ଭାରତୀୟ ତାଙ୍କୁ ପସନ୍ଦ କରୁଥିଲେ। ଟ୍ରମ୍ପଙ୍କ କେତେକ ପ୍ରମୁଖ ନୀତିକୁ ଭାରତୀୟମାନେ ନାପସନ୍ଦ କରିଛନ୍ତି । ଟ୍ରମ୍ପଙ୍କ ଆମେରିକା ପ୍ରବେଶ ଓ ସେଠାକାର କଠୋର ଇମିଗ୍ରେସନ ନୀତିକୁ ମାତ୍ର ୩୨% ଭାରତୀୟ ସମର୍ଥନ କରିଛନ୍ତି।

​​​​​​​ଇରାନ ଏବଂ ଭେନେଜୁଏଲାର ସ୍ଥିତିକୁ ସେ ଯେପରି ଭାବେ ପରିଚାଳନା କଲେ, ତାହାକୁ ଯଥାକ୍ରମେ ମାତ୍ର ୨୮% ଏବଂ ୧୭% ଭାରତୀୟ ପସନ୍ଦ କରିଛନ୍ତି। ଗାଜା ଷ୍ଟ୍ରିପ୍‌ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ଭାରତୀୟମାନେ ବିଶେଷ ସମର୍ଥନ କରିନାହାନ୍ତି। ଏହାସହ ୟୁଏସ୍ଏଆଇଡି ଭଳି ଅନ୍ତର୍ଜାତୀୟ ସହାୟତା ସଂସ୍ଥାଗୁଡ଼ିକୁ ବନ୍ଦ କରିବା ନିଷ୍ପତ୍ତିକୁ ମଧ୍ୟ ବିରୋଧ କରାଯାଇଛି।

ଏହି ସର୍ଭେ ସୂଚାଉଛି ଯେ, ଭାରତରେ ଗତ ଦୁଇ ଦଶନ୍ଧି ଧରି ଆମେରିକା ପ୍ରତି ଥିବା ସକାରାତ୍ମକ ମନୋଭାବରେ ଏବେ ସାମାନ୍ୟ ହ୍ରାସ ପାଇଛି । ୨୦୦୫ ରେ (ଇରାକ ଯୁଦ୍ଧ ପରେ ମଧ୍ୟ) ଭାରତରେ ଆମେରିକାର ଲୋକପ୍ରିୟତା ୭୧% ଥିଲା। ସମଗ୍ର ବିଶ୍ୱରେ ଟ୍ରମ୍ପଙ୍କ ନେତୃତ୍ୱ ପ୍ରତି ଅସନ୍ତୋଷ ଦେଖାଦେଇଛି। ସର୍ଭେରେ ସାମିଲ ହୋଇଥିବା ୭୬ ପ୍ରତିଶତ ଲୋକ ଟ୍ରମ୍ପଙ୍କ ନେତୃତ୍ୱ ଉପରେ ଅସ୍ଥା ପ୍ରକଟ କରିନାହାନ୍ତି ଏବଂ ମାତ୍ର ୨୩% ଲୋକ ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି।

ଅନ୍ୟ ଦେଶ ତୁଳନାରେ ଇସ୍ରାଏଲ୍‌ରେ ଆମେରିକା ଏବଂ ଟ୍ରମ୍ପଙ୍କ ପ୍ରତି ବହୁତ ଭଲ ମନୋଭାବ ରହିଛି। ସେଠାରେ ୮୧% ଲୋକ ଆମେରିକା ପକ୍ଷରେ ଥିବା ବେଳେ ୬୬% ଲୋକ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି। ଟ୍ରମ୍ପ ପ୍ରଶାସନର ଟାରିଫ୍ (ଶୁଳ୍କ) ନୀତି ବିଶ୍ୱରେ ସବୁଠାରୁ ଅପ୍ରିୟ ସାବ୍ୟସ୍ତ ହୋଇଛି, ଯାହାକୁ ମାତ୍ର ୧୮% ଲୋକ ସମର୍ଥନ କରିଛନ୍ତି।