ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହେରାନରେ ଥିବା ଏଙ୍ଗେଲାବ୍ ଛକ (Enghelab Square)ରେ ଏକ ବିରାଟ ବିଲବୋର୍ଡ ଲଗାଯାଇଛି । ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଫିନ୍ ଭିତରେ ଶୋଇଥିବାର ଦେଖିବାକୁ ମିଳିଛି । ଏହି ବିଲବୋର୍ଡରେ ଟ୍ରମ୍ପଙ୍କ ଆଖି ଏବଂ ପାଟି ବନ୍ଦ ଥିବା ସହ ତାଙ୍କ ହାତ ଏକ ନାଲି ରଙ୍ଗର ଟାଇ ଉପରେ ରହିଛି ।

କଫିନ୍ ଉପରେ ପାର୍ସି ଏବଂ ଇଂରାଜୀ ଭାଷାରେ "We Will Kill Trump" (ଆମେ ଟ୍ରମ୍ପଙ୍କୁ ହତ୍ୟା କରିବୁ) ବୋଲି ସ୍ପଷ୍ଟ ଭାବରେ ଲେଖାଯାଇଛି।
ଚଳିତ ବର୍ଷ ଫେବୃଆରୀ ଶେଷ ଆଡ଼କୁ ଆମେରିକା-ଇସ୍ରାଏଲ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଇରାନ ଜନସାଧାରଣ ଓ ସେନା ମଧ୍ୟରେ ପ୍ରତିଶୋଧର ନିଆଁ ଜଳୁଛି।

ବିଲବୋର୍ଡ ନିକଟରେ ଖାମେନିଙ୍କ ଏକ ମୂର୍ତ୍ତି ମଧ୍ୟ ରହିଛି। ଏହା ସହିତ ଦକ୍ଷିଣ ଇରାନର ମିନାବ (Minab) ସହରର ଏକ ପ୍ରାଥମିକ ବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା ପିଲାମାନଙ୍କ ସ୍ମୃତିରେ ମଧ୍ୟ କିଛି ବାର୍ତ୍ତା ଲେଖାଯାଇଛି।

ନିକଟରେ ଇରାନର ଏକ ଖବରକାଗଜ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଥିଲା । ଏଥିରେ ପ୍ରତିଶୋଧ ସ୍ୱରୂପ ଇରାନ ହତ୍ୟା କରିବାକୁ ଯୋଜନା କରିଥିବା ୧୩ ଜଣ ବିଦେଶୀ ନେତାଙ୍କ ଫଟୋ ଥିଲା । ଏହି ତାଲିକାରେ ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମରଙ୍କ ନାମ ସାମିଲ ଥିଲା।

ଇରାନ ପୂର୍ବରୁ ମଧ୍ୟ ନିଜର ରାଜନୈତିକ ଏବଂ ଆଦର୍ଶଗତ ବାର୍ତ୍ତା ପ୍ରସାର କରିବା ପାଇଁ ସର୍ବସାଧାରଣ ସ୍ଥାନରେ ଏଭଳି ବଡ଼ ବଡ଼ ବିଲବୋର୍ଡ ବ୍ୟବହାର କରିଆସିଛି। ଆମେରିକୀୟ ନୌସେନା ଜାହାଜ ଓ ଡ୍ରୋନକୁ ଜାଲରେ ଧରିବା ଭଳି ଚିତ୍ର ପୂର୍ବରୁ ସ୍ଥାନ ପାଇଥିବା ବେଳେ, ଏଥର ମେସେଜ୍ ସବୁଠାରୁ ଅଧିକ ସ୍ପଷ୍ଟ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ଧମକ ବୋଲି କୁହାଯାଉଛି ।