ନୂଆଦିଲ୍ଲୀ: ଇରାନ ସହ ଚାଲିଥିବା ଯୁଦ୍ଧରେ ଆମେରିକା ସେନାକୁ ବଡ଼ ଝଟ୍‌କା ଲାଗିଛି। ଏହି ସଂଘର୍ଷରେ ଆମେରିକା ନିଜର ୪୫ଟି 'MQ-9 ରିପର୍' ଡ୍ରୋନ୍ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହା ଆମେରିକା ପାଖରେ ଥିବା ମୋଟ୍ ଡ୍ରୋନ୍ ବାହିନୀର ପ୍ରାୟ ୨୫ ପ୍ରତିଶତ। 'ୱାଶିଂଟନ୍ ପୋଷ୍ଟ'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଧ୍ବଂସ ହୋଇଥିବା ଡ୍ରୋନଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ ୧.୩ ବିଲିୟନ୍ ଡଲାର୍ (ପ୍ରାୟ ୧୩୦ କୋଟି ଡଲାର୍) ରୁ ଅଧିକ ହେବ।

ସମରସଜ୍ଜା ଏବଂ ନଜର ରଖିବା ପାଇଁ ହର୍ମୁଜ୍ ପ୍ରଣାଳୀ (Strait of Hormuz) ଆଖପାଖ ଅଞ୍ଚଳରେ ଏହି ଡ୍ରୋନଗୁଡ଼ିକୁ ବ୍ୟାପକ ଭାବରେ ନିୟୋଜିତ କରାଯାଇଥିଲା। ଏଗୁଡ଼ିକର ଗତି ଧୀମା ଏବଂ ଏଗୁଡ଼ିକ କମ୍ ଉଚ୍ଚତାରେ ଉଡ଼ୁଥିବାରୁ ଇରାନୀ ସେନା ଏବଂ ୟେମେନ୍ ଓ ଇରାକରେ ଥିବା ଇରାନ ସମର୍ଥିତ ଗୋଷ୍ଠୀଗୁଡ଼ିକ ପାଇଁ ଏଗୁଡ଼ିକୁ ଟାର୍ଗେଟ କରିବା ସହଜ ହୋଇଥିଲା।

ସେପଟେ ସମସ୍ତ ଡ୍ରୋନକୁ ଗୁଳି କରି ଖସାଯାଇ ନାହିଁ। କେତେକ ଡ୍ରୋନ୍ ଅପରେଟରଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେରିକା ବାୟୁସେନା ଅନୁଯାୟୀ, ସେନ୍ସର ଓ ଅସ୍ତ୍ରଶସ୍ତ୍ର ଆଧାରରେ ଗୋଟିଏ ରିପର୍ ଡ୍ରୋନ୍‌ର ମୂଲ୍ୟ ୩୦ ନିୟୁତରୁ ୫୦ ନିୟୁତ ଡଲାର୍ ମଧ୍ୟରେ ହୋଇଥାଏ।

ଯୁଦ୍ଧ ପୂର୍ବରୁ ଆମେରିକା ସେନା ନିକଟରେ ପ୍ରାୟ ୧୮୫ଟି ରିପର୍ ଡ୍ରୋନ୍ ଥିଲା । ତେବେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିୟୋଜିତ ମେରାଇନ୍ କୋରର କୌଣସି ଡ୍ରୋନ୍ ନଷ୍ଟ ହୋଇନାହିଁ। ବାୟୁସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଡେଭିଡ୍ ଟେବର ସିନେଟକୁ ଜଣାଇଛନ୍ତି ଯେ, ବର୍ତ୍ତମାନ ରିପର୍ ଡ୍ରୋନ୍ ସଂଖ୍ୟା କମି ପ୍ରାୟ ୧୩୫ରେ ପହଞ୍ଚିଛି। ପେଣ୍ଟାଗନ୍ ଏବେ ଏହି ପୁରୁଣା ଡ୍ରୋନ୍ ବଦଳରେ ଶସ୍ତା ଡ୍ରୋନ୍ ଆଣିବାକୁ ଯୋଜନା କରୁଛି।

ଇରାନ ସହ ଯୁଦ୍ଧ ଏବଂ ୟୁକ୍ରେନକୁ ଦୀର୍ଘଦିନର ସାମରିକ ସହାୟତା ଯୋଗୁଁ ଆମେରିକାର ଅସ୍ତ୍ର ଭଣ୍ଡାର ଉପରେ ଗଭୀର ପ୍ରଭାବ ପଡ଼ିଛି । ଇରାନ ଅଭିଯାନର ପ୍ରଥମ ମାସରେ ଆମେରିକା ୮୫୦ରୁ ଅଧିକ ଟୋମାହକ୍ (Tomahawk) କ୍ରୁଜ୍ ମିସାଇଲ୍ ଏବଂ ୧,୦୦୦ରୁ ଅଧିକ ପାଟ୍ରିଅଟ୍ ଓ ଥାଡ୍ (THAAD) ଆଣ୍ଟି-ମିସାଇଲ୍ ଇଣ୍ଟରସେପ୍ଟର ପ୍ରୟୋଗ କରିସାରିଛି। ଟ୍ରମ୍ପ ପ୍ରଶାସନ ଇରାନ ଯୁଦ୍ଧ ଖର୍ଚ୍ଚ ଏବଂ ଅସ୍ତ୍ର ଭଣ୍ଡାର ପୂରଣ ପାଇଁ କଂଗ୍ରେସ ନିକଟରେ ୬୭ ବିଲିୟନ୍ ଡଲାର୍‌ର ଅତିରିକ୍ତ ପ୍ୟାକେଜ୍ ଅନୁମୋଦନ ପାଇଁ ଦାବି କରିଛନ୍ତି। ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କ ଆକଳନ ଅନୁଯାୟୀ, ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ଯୁଦ୍ଧ ପାଇଁ ୩୭.୫ ବିଲିୟନ୍ ଡଲାର୍ ଖର୍ଚ୍ଚ ହେବ।