ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ବି.ଭି.ନାଗରତ୍ନା ଗୁରୁବାର ସିବିଏସଇ କରିକୁଲମ ଅନୁସାରେ ନବମ ଶ୍ରେଣୀରେ ତୃତୀୟ ଭାଷା ପଢାଇବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ବିଚାରପତି କହିଛନ୍ତି ଯେ ଏହାଦ୍ୱାରା ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଅକାରଣେ ଚାପ ପଡିବ। ଏହି ଟିପ୍ପଣୀ ମାଡ୍ରାସ ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶ ବିରୋଧରେ ତାମିଲନାଡୁ ସରକାରଙ୍କ ନିବେଦନ ଉପରେ ଶୁଣାଣି କାଳରେ କରାଯାଇଛି ଯେଉଁଥିରେ ରାଜ୍ୟର ସବୁ ଜିଲ୍ଲାରେ ଜବାହର ନବୋଦୟ ବିଦ୍ୟାଳୟ (ଜେଏନଭି) ଖୋଲିବା ଲାଗି ନିବେଦନ କରାଯାଇଥିଲା।

ତାମିଲନାଡୁ ସର୍ବଦା ଜେଏନଭିକୁ ବିରୋଧ କରି ଆସିଛି। କାରଣ ତାମିଲନାଡୁ ଏହି ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରାଯାଉଥିବା ତ୍ରିଭାଷା ନୀତିକୁ ନେଇ ଚିନ୍ତାପ୍ରକଟ କରି ଆସୁଛି। ଯଦିଓ ଏହି ମାମଲାରେ ସିବିଏସଇର ଭାଷା ନୀତି ବୈଧତା ସିଧାସଳଖ ବିବାଦର ବିଷୟ ନଥିଲା ତଥାପି ଜଷ୍ଟିସ୍ ନାଗରତ୍ନା ତୃତୀୟ ଭାଷା ଲାଗୁର ସମୟକୁ ନେଇ ଟିପ୍ପଣୀ କରିଛନ୍ତି। ତେବେ ଖାସ କଥା ହେଉଛି ସିବିଏସଇର ତ୍ରିଭାଷା ନୀତିକୁ ଏବେ ଭାରତର ମୁଖ୍ୟ ବିଚାରପତି(ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ଅଲଗା ଅଲଗା ଜନସ୍ୱାର୍ଥ ମାମଲାରେ ଚ୍ୟାଲେଞ୍ଜ କରାଯାଇଛି। ତେବେ ସିଜେଆଇଙ୍କ ବେଞ୍ଚ ସିବିଏସଇ ନୀତିକୁ ଲାଗୁ କରିବା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ଓ ମାମଲାର ଶୁଣାଣି ଆଗାମୀ ସପ୍ତାହକୁ ନିର୍ଦ୍ଧାରିତ ହୋଇଛି।

ତେବେ ଆଜିର ଶୁଣାଣି କାଳରେ ତାମିଲନାଡୁ ଓକିଲ କହିଛନ୍ତି ଯେ ରାଜ୍ୟର ଆପତ୍ତି ତିନି ଭାଷା ନୀତିକୁ ନେଇ। ତେବେ ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ ନୀତିରେ ତୃତୀୟ ଭାଷା ଭାବେ ହିନ୍ଦୀକୁ ବାଧ୍ୟତାମୂଳକ କରାଯାଇନି। ସେ କହିଛନ୍ତି ଯେ ‘ରାଜ୍ୟଭାଷା ଶିଖିବା, ଇଂରାଜୀ ଶିଖିବା ଓ ତୃତୀୟ ଭାଷା ମଧ୍ୟ ଶିଖିବା’। ହେଲେ ଏଥିରେ କେଉଁଠି ହିନ୍ଦୀ କଥା ଉଲ୍ଲେଖ କରାଯାଇନି। ସେହିପରି ପ୍ରତିବାଦୀ (ହାଇକୋର୍ଟରେ ଆବେଦନ କରିଥିବା ଏନଜିଓ) ଓକିଲ ଜୀ.ପ୍ରିୟଦର୍ଶନୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ସ୍ପଷ୍ଟ ଭାବେ କୁହାଯାଇଛି କୌଣସି ରାଜ୍ୟ ଉପରେ କୌଣସି ଭାଷାକୁ ଥୋପା ଯାଇ ପାରିବନି।

ଏହା ପରେ ଜଷ୍ଟିସ୍ ନାଗରତ୍ନା ରାଜ୍ୟକୁ ପଚାରିଥିଲେ ଯେ ‘ଆପଣ ହିନ୍ଦୀ ଚାହୁଁ ନାହାନ୍ତି, ଯଦି ତାହା ସଂସ୍କୃତ ହୁଏ ତେବେ କଣ ସମସ୍ୟା ରହିଛି?’ ଏଥିରେ ରାଜ୍ୟ ଓକିଲ କହିଛନ୍ତି ଯେ ତୃତୀୟ ଭାଷା କେବଳ ନବମ ଶ୍ରେଣୀରୁ ବାଧ୍ୟତାମୂଳକ କରାଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଜଷ୍ଟିସ୍ ନାଗରତ୍ନା କହିଛନ୍ତି ଯେ ଏହା ଠିକ୍ ନୁହେଁ। ନବମ ଶ୍ରେଣୀ ଉତ୍ତେଜନାପୂର୍ଣ୍ଣ ସମୟ, ଆପଣ ନବମ ଶ୍ରେଣୀରେ ନୂଆ ଭାଷା କାହିଁକି ଆରମ୍ଭ କରୁଛନ୍ତି?ଏହାକୁ ଷଷ୍ଠ ଶ୍ରେଣୀରୁ ପଢାନ୍ତୁ ବୋଲି କହିଛନ୍ତି।

ନିଜ ବିଦ୍ୟାଳୟ ଦିନକୁ ମନେ ପକାଇ ଜଜ୍ କହିଛନ୍ତି ଯେ ତାଙ୍କ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ପାଠ ପଢାଯାଉଥିଲା । ତେବେ ସେ ମିଡିଲ ସ୍କୁଲରୁ ତୃତୀୟ ଭାଷା ପଢିବା ଆରମ୍ଭ କରିଦେଇଥିଲେ। ସେ କହିଛନ୍ତି ଯେ ମିଡିଲ ସ୍କୁଲରେ ତୃତୀୟ ଭାଷା ଏଥି ପାଇଁ ପଢାଯାଉଥିଲା ଯେ ଏସଏସଏଲସି ଲାଗି ଏହାର ଆବଶ୍ୟକତା ଥିଲା। ଯେଉଁ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ଭାଷା ହିନ୍ଦୀ ଥିଲା ସେମାନଙ୍କ ଲାଗି ତୃତୀୟ ଭାଷା କନ୍ନଡ ରହୁଥିଲା ଓ ଏହାର ବିପରୀତ ମଧ୍ୟ। ସଂସ୍କୃତର ବିକଳ୍ପ ମଧ୍ୟ ଥିଲା ଏଣୁ ଆପଣ ତୃତୀୟ ଭାଷା ବାଛି ପାରୁଥିଲେ। ଏହାକୁ ଯେତେ ଶୀଘ୍ର ଆରମ୍ଭ କରାଯିବ ସେତେଭଲ ବୋଲି କୋର୍ଟ କହିଛନ୍ତି।