ଦୁବାଇ : ଆମେରିକା ସେନା ଗୁରୁବାର ଇରାନର ତୈଳ ତସ୍କରୀ ସମ୍ପର୍କିତ ଆଉ ଏକ ଟ୍ୟାଙ୍କର ଜାହାଜକୁ ଜବତ କରିଛି। ଆମେରିକା ପ୍ରତିରକ୍ଷା ବିଭାଗ ସୂଚନା ଅନୁସାରେ ହୀନ୍ଦ ମହାସାଗରରେ ତୈଳ ଟ୍ୟାଙ୍କର ‘ମ୍ୟାଜେଷ୍ଟିକ୍-ଏକ୍ସ’ କୁ ଜବତ କରାଯାଇଛି। ବିଭାଗ କହିଛି ଯେ ଆମେ ଅବୈଧ ନେଟୱାର୍କକୁ ଭାଙ୍ଗିବା ଓ ଇରାନକୁ ସାମଗ୍ରୀ ସହାୟତା ପ୍ରଦାନ କରୁଥିବା ଜାହାଜଙ୍କୁ ରୋକିବା ଲାଗି ସାମୁଦ୍ରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବୁ। ଏହି ଜବତ ସେତେବେଳେ ହୋଇଛି ଯେତେବେଳେ ଇରାନ ହର୍ମୁଜ ଷ୍ଟ୍ରେଟ୍ରେ ବୁଧବାର ୩ ପଣ୍ୟବାହୀ ଜାହାଜଙ୍କ ଉପରେ ଆକ୍ରମଣ କରିଥିଲା ଓ ଏଥିରୁ ୨ଟିକୁ ନିଜ ଆୟତ୍ତକୁ ନେଇଥିଲା।

ଆମେରିକୀୟ ପ୍ରତିରକ୍ଷା ବିଭାଗ ଜାହାଜ ଜବତ ସମ୍ପର୍କିତ ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଜାହାଜର ଡେକ୍ ଉପରେ ଆମେରିକୀୟ ସୈନିକଙ୍କୁ ଦେଖା ଯାଉଛି। ଏହି ଜାହାଜ ଚୀନ୍ ର ଝୋଉସାନ କୁ ଯାତ୍ରା କରୁଥିଲା। ଜାହାଜ ଯାତାୟାତ ଉପରେ ନଜର ରଖୁଥିବା ୱେବସାଇଟ୍ ତଥ୍ୟରୁ ଜଣାପଡିଛି ଯେ ମ୍ୟାଜେଷ୍ଟିକ୍ –ଏକ୍ସ ହୀନ୍ଦ ମହାସାଗରର ଶ୍ରୀଲଙ୍କା ଓ ଇଣ୍ଡୋନେସିଆ ମଝାମଝି ସ୍ଥାନରେ ଥିଲା। ତେବେ ଏଠାରୁ ଆମେରିକୀୟ ସେନାର ଜାହାଜ ଜବତ ମାମଲା ନୂଆ ନୁହେଁ। ଅତୀତରେ ଆମେରିକୀୟ ସେନା ଏଠାରୁ ‘ଟିଫନୀ’ ନାମକ ଏକ ଇରାନୀ ତୈଳ ଟ୍ୟାଙ୍କରକୁ ଜବତ କରିଥିଲା।