ନୂଆଦିଲ୍ଲୀ: ବଦଲା ନେଲା ଆମେରିକା ! ସିରିଆରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍‌। ୭୦ ଠିକଣା ଉପରେ ଘନ ଘନ ବୋମାମାଡ଼। ବଞ୍ଚିବାକୁ ଜୀବନ ବିକଳରେ ଦୌଡୁଥିଲେ ଆତଙ୍କୀ ପଲ। ଖୋଜି ଖୋଜି ମାରିଲାହକଆଇ। ସିରିଆରେ ଆକ୍ରମଣରେ ଦୁଇ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ତାତିଛି ଆମେରିକା। ଇସଲାମିକ୍ ଷ୍ଟେଟ୍ ଅଫ୍ ସିରିଆ ଆଣ୍ଡ ଇରାକ୍ (ISIS)ର ଠିକଣା ଉପରେ ଏୟାରଷ୍ଟ୍ରାଇକ କରିଛି ଓ୍ୱାଶିଂଟନ। ଡିସେମ୍ବର ୧୩ ତାରିଖରେ କେନ୍ଦ୍ରୀୟ ସିରିଆର ପାଲମିରା ସହରରେ ହୋଇଥିବା ଆକ୍ରମଣର ଏହା ସିଧାସଳଖ ଜବାବ ଥିଲା।

ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏକ ବିବୃତ୍ତିରେ କହିଛନ୍ତି ଯେ ପାଲମିରାରେ ହୋଇଥିବା ଆକ୍ରମଣର ଜବାବରେ ଇସଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ଏକ ସାମରିକ ଅଭିଯାନ ଆରମ୍ଭ କରାଯାଇଛି। ଡିସେମ୍ବର ୧୩ ତାରିଖରେ ସିରିଆର କେନ୍ଦ୍ରୀୟ ସହର ପାଲମିରାରେ ହୋଇଥିବା ଆକ୍ରମଣର ଜବାବରେ ସିରିଆରେ ISIS ଲଢ଼ୁଆ, ସେମାନଙ୍କର ଭିତ୍ତିଭୂମି ଏବଂ ଅସ୍ତ୍ରଶସ୍ତ୍ର ସ୍ଥଳଗୁଡ଼ିକୁ ଧ୍ୱଂସ କରିବା ପାଇଁ ଆମେରିକୀୟ ସେନା ଅପରେସନ୍ ହକଆଇ ଷ୍ଟ୍ରାଇକ୍ କରିଛି।

ହେଗସେଥ୍ ଚେତାବନୀ ଦେଇ କହିଛନ୍ତି, "ଯଦି ତୁମେ ବିଶ୍ୱର ଯେକୌଣସି ସ୍ଥାନରେ ଆମେରିକୀୟମାନଙ୍କୁ ଟାର୍ଗେଟ କର, ତେବେ ତୁମେ ତୁମର ଜୀବନ ପାଇଁ ଦୌଡିବ। ଆମେ ଖୋଜି ଖୋଜି ନିର୍ଦ୍ଦୟ ଭାବରେ ହତ୍ୟା କରିବୁ। ହେଗସେଥ୍ ଦାବି କରିଛନ୍ତି ଯେ ଆକ୍ରମଣ ସମୟରେ ଆମେରିକୀୟ ସେନା ଇସଲାମିକ୍ ଷ୍ଟେଟ୍ ଆତଙ୍କୀଙ୍କ ପ୍ରଚୁର କ୍ଷତି ପହଞ୍ଚାଇଛି। ସେ କହିଥିଲେ, "ଆଜି ଆମେ ଆମର ଶତ୍ରୁମାନଙ୍କୁ ଖୋଜିଛୁ ଏବଂ ସେମାନଙ୍କୁ ହତ୍ୟା କରିଛୁ। ଆମେ ଏହା ଜାରି ରଖିବୁ।"

ଡିସେମ୍ବର ୧୩ ତାରିଖରେ ଜଣେ ବନ୍ଧୁକଧାରୀ ପାଲମିରାରେ ଆମେରିକୀୟ ଏବଂ ସିରିଆନ ସେନାର ଏକ କାଫଲା ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ଦୁଇ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଥିଲା ​​ଏବଂ ତିନି ଜଣ ଆହତ ହୋଇଥିଲେ। ଆକ୍ରମଣକାରୀ ପରେ ନିହତ ହୋଇଥିଲେ।

ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଆକ୍ରମଣକାରୀ ସିରିଆର ସୁରକ୍ଷା ବାହିନୀର ଜଣେ ସଦସ୍ୟ ଥିଲେ। ତାଙ୍କ ମୌଳବାଦୀ ଆଭିମୁଖ୍ୟ ଯୋଗୁଁ ବହିଷ୍କାର ହୋଇଥିଲେ । ଯଦିଓ ISIS ଆକ୍ରମଣ ପାଇଁ ଦାୟୀ କରିନଥିଲା, କିନ୍ତୁ ଆମେରିକା ଏହାକୁ ISIS-ଲିଙ୍କ ବୋଲି କହିଥିଲା। ବଶର ଅଲ-ଆସାଦ ସରକାରଙ୍କ ପତନର ଗୋଟିଏ ବର୍ଷ ପରେ ସିରିଆରେ ଆମେରିକୀୟ ସୈନ୍ୟଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ଥିଲା। ଶହ ଶହ ଆମେରିକୀୟ ସୈନ୍ୟ ସିରିଆରେ ମୁତୟନ ଅଛନ୍ତି, ISIS ଆତଙ୍କୀଙ୍କ ସାମରିକ ଅଭିଯାନ ଚଳାଇଛନ୍ତି।

ଭାରତର ଆତଙ୍କୀ ବିରୋଧୀ ଆକ୍ସନକୁ ଫଲୋ କରୁଛି ଆମେରିକା। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ମିଶାଇଲ ମାଡ଼ କରିଥିଲା। ଭାରତ ଏହି ଅପରେସନରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିଲା। ପାକିସ୍ତାନ ଆଖିରେ ଧୂଳି ଦେଇ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ଠିକ୍‌ ସମାନ ଷ୍ଟାଇଲରେ ସିରିଆ ଉପରେ ଆଟାକ୍‌ କରିଛି ଆମେରିକା।