ୱାଶିଂଟନ୍ / ତେହେରାନ: ଓମାନ୍ ଉପସାଗରରେ ଆମେରିକା ଏହାର କାର୍ଗୋ ଜାହାଜ 'ତୋସ୍କା' (Touska)କୁ ଆକ୍ରମଣ କରି ଜବତ କରିଥିବା ଇରାନ ଅଭିଯୋଗ କରିଛି। ଏହାକୁ ଯୁଦ୍ଧବିରାମର ଖୋଲା ଉଲ୍ଲଂଘନ ଦର୍ଶାଇ ଇରାନ କଡ଼ା ପ୍ରତିଶୋଧ ନେବାର ଚେତାବନୀ ଦେଇଛି। ଏହାର ଜବାବରେ ଇରାନ ଆମେରିକୀୟ ଯୁଦ୍ଧ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରିବା ସହ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଥିବା ରିପୋର୍ଟ ପ୍ରକାଶ ପାଇଛି।

Also Read:Iran on Indian Oil Tanker Attack: ଭାରତ ଉପରେ ଆକ୍ରମଣ ଅଭିଯୋଗ ପରେ ଇରାନର ବଡ଼ ବୟାନ

 ଆମେରିକାର କାର୍ଯ୍ୟାନୁଷ୍ଠାନ ଏବଂ ଇରାନର ପଲଟା ଜବାବ

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଏକ ଆମେରିକୀୟ ଡେଷ୍ଟ୍ରୟର୍ (US destroyer) ଓମାନ୍ ଉପସାଗରରେ ଇରାନୀୟ ପତାକାବାହୀ ଏକ କାର୍ଗୋ ଜାହାଜ ଉପରେ ଗୁଳି ଚଳାଇ ନିଜ ନିୟନ୍ତ୍ରଣକୁ ନେଇଛି। ସାମୁଦ୍ରିକ ଅବରୋଧକୁ ଏଡ଼ାଇବାକୁ ଚେଷ୍ଟା କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଥିଲେ।
  •   ଏହି ଘୋଷଣାର ମାତ୍ର ଘଣ୍ଟାଏ ଭିତରେ ଇରାନର 'ହଜରତ ଖାତମ୍ ଅଲ୍-ଅନବିୟା' ସାମରିକ ମୁଖ୍ୟାଳୟ ଏକ ବିବୃତ୍ତି ଜାରି କରି ଆମେରିକାର ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଥିଲା।
  •   ସାମରିକ ମୁଖ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ଆମେରିକା ଯୁଦ୍ଧବିରାମ ଉଲ୍ଲଂଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଛି ଏବଂ ନାଭିଗେସନ୍ ସିଷ୍ଟମ୍‌କୁ ଅଚଳ କରିଦେଇଛି। ଏହାର ଖୁବଶୀଘ୍ର କଡ଼ା ଜବାବ ଦିଆଯିବ ବୋଲି ଇରାନୀୟ ସଶସ୍ତ୍ର ବାହିନୀ ଚେତାବନୀ ଦେଇଥିଲା।

Also Read:Iran Mocks Donald Trump Viral Audio: ଟ୍ରମ୍ପଙ୍କୁ 'ଇଡିଅଟ୍' କହି ଚେତାବନୀ ଦେଲା ତେହେରାନ, ଭାଇରାଲ ହେଲା ଅଡିଓ...

 ଇରାନ କ'ଣ ପଦକ୍ଷେପ ନେଲା?

  •   ଇରାନର ସରକାରୀ ଅନୁଯାୟୀ, ଆମେରିକାର ସାମରିକ ବାହିନୀ ଚୀନ୍‌ରୁ ଇରାନ ଆସୁଥିବା କଣ୍ଟେନର ଜାହାଜ 'ତୋସ୍କା' ଉପରେ ଆକ୍ରମଣ କରିବା ପରେ ଇରାନୀୟ ବାହିନୀ ମଧ୍ୟ ଆମେରିକୀୟ ସାମରିକ ଜାହାଜଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଦେଇଛି। ରାଷ୍ଟ୍ରୀୟ ଟିଭିରେ ମଧ୍ୟ ଏହି ଖବର ପ୍ରସାରଣ କରାଯାଇଛି।
  •   ଆମେରିକା ନୌସେନା ଦ୍ୱାରା ଅବରୋଧ ଘୋଷଣା ହେବା ମାତ୍ରେ ଇରାନ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ (Strait of Hormuz) ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛି। ବିନା ଅନୁମତିରେ ଏହି ଅଞ୍ଚଳ ଦେଇ ଯାଉଥିବା ଯେକୌଣସି ଜାହାଜ ବା ଟ୍ୟାଙ୍କର ବିରୋଧରେ ଇରାନ ସେନା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସତର୍କ କରାଇ ଦେଇଛି।

Also Read:ଟ୍ରମ୍ପଙ୍କ ନିଦ ହଜାଇଲାଣି ଇରାନର 'ମଶା', ହର୍ମୁଜ୍ ପ୍ରଣାଳୀରେ ଭୟରେ ଥରୁଛନ୍ତି ଆମେରିକୀୟ ନୌସେନା, ଜାଣନ୍ତୁ କ'ଣ ଏହି ଅସ୍ତ୍ର...

 ଟ୍ରମ୍ପ ଏବଂ ସେଣ୍ଟକମ୍‌ର ବୟାନ

  ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍' (Truth Social) ରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନାର ଗାଇଡେଡ୍-ମିସାଇଲ୍ ଡେଷ୍ଟ୍ରୟର୍ 'USS SPRUANCE' ଇରାନୀୟ ଜାହାଜ ତୋସ୍କାକୁ ଅଟକାଇଥିଲା। ବାରମ୍ବାର ଚେତାବନୀ ସତ୍ତ୍ୱେ ଜାହାଜଟି ନଅଟକିବାରୁ ଏହାର ଇଞ୍ଜିନ୍ ରୁମ୍‌ରେ ଗୁଳିମାଡ଼ କରାଯାଇ ଏହାକୁ ରୋକାଯାଇଥିଲା। ପ୍ରାୟ ଏକ ବିମାନବାହକ ଜାହାଜ ଭଳି ଓଜନଦାର ଏହି ୯୦୦ ଫୁଟ ଲମ୍ବା ଜାହାଜକୁ ବର୍ତ୍ତମାନ ଆମେରିକୀୟ ମେରାଇନ୍ସ ନିଜ ହେପାଜତରେ ରଖିଛନ୍ତି। ବେଆଇନ କାର୍ଯ୍ୟକଳାପର ଇତିହାସ ଥିବାରୁ ଏହି ଜାହାଜ ଉପରେ ଆମେରିକା ଟ୍ରେଜେରୀର କଟକଣା ମଧ୍ୟ ରହିଛି।

  ସେଣ୍ଟକମ୍ (CENTCOM) ର ସୂଚନା: ରବିବାର ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ଏକ ବିବୃତ୍ତିରେ କହିଛି ଯେ, ନୌସେନାର ଅବରୋଧକୁ ଉଲ୍ଲଂଘନ କରି ତୋସ୍କା ଏକ ଇରାନୀୟ ବନ୍ଦର ଆଡ଼କୁ ଯାଉଥିଲା। ଦୀର୍ଘ ୬ ଘଣ୍ଟା ଧରି ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ କ୍ରୁ ସଦସ୍ୟମାନେ କଥା ନମାନିବାରୁ USS Spruance ଜାହାଜଟିର ଇଞ୍ଜିନ୍ ରୁମ୍‌କୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା ଏବଂ ପରେ ସେଠାରେ ଏକାଧିକ ରାଉଣ୍ଡ ଗୁଳି ଚଳାଇ ଜାହାଜର ଗତିବିଧିକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଥିଲା।