ନୂଆଦିଲ୍ଲୀ: ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ସର୍ଜିଓ ଗୋର (Sergio Gor) ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ସହ କ୍ରମାଗତ ଦୁଇ ଥର ବୈଠକ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସର୍ଜିଓ ଗୋର ଏବଂ ଅଜିତ ଡୋଭାଲଙ୍କ ମଧ୍ୟରେ କ୍ରମାଗତ ଦୁଇଦିନ ଧରି ଦୁଇଟି ପୃଥକ ବୈଠକ ଅନୁଷ୍ଠିତ ହୋଇଛି।

ଅଲୋଚନାର ବିସ୍ତୃତ ବିବରଣୀ ନଦେଇ ଜୟସ୍ବାଲ କହିଛନ୍ତି ଯେ, ଏହି ବୈଠକଗୁଡ଼ିକ ଭାରତ ଏବଂ ଆମେରିକା ମଧ୍ୟରେ ଥିବା "ବ୍ୟାପକ ସାଂସ୍କୃତିକ ଓ ବୈଶ୍ୱିକ ରଣନୈତିକ ଭାଗିଦାରୀ" ର ସମୀକ୍ଷା ଓ ଅଗ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ଥିଲା।

ଦୁଇ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଦ୍ୱିପାକ୍ଷିକ ସହମତି ପ୍ରକାଶ ପାଇଛି । ବାଣିଜ୍ୟ ଓ ବ୍ୟବସାୟ, ଶକ୍ତି ସୁରକ୍ଷା, ପ୍ରତିରକ୍ଷା ଓ କ୍ରିଟିକାଲ ମିସାଇଲ ପ୍ରଯୁକ୍ତିବିଦ୍ୟା ଏବଂ ରଣନୈତିକ ସହଯୋଗିତା ଉପରେ ଆଲୋଚନା ହୋଇଛି ।

ସାଧାରଣତଃ କୂଟନୀତିଜ୍ଞମାନେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ ଭେଟିବା ଏକ ନିୟମିତ ପ୍ରକ୍ରିୟା, କିନ୍ତୁ ସର୍ଜିଓ ଗୋରଙ୍କ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେ କେବଳ ଜଣେ ରାଷ୍ଟ୍ରଦୂତ ନୁହଁନ୍ତି, ବରଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ସ୍ୱତନ୍ତ୍ର ଦୂତ ଭାବରେ ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକ୍ଷେତ୍ର ଭାରତଠାରୁ ଆରମ୍ଭ କରି କାଜାଖସ୍ତାନ ପର୍ଯ୍ୟନ୍ତ ଏକ ବିଶାଳ ଭୂଖଣ୍ଡରେ ବ୍ୟାପ୍ତ, ଯାହା ଏହି ଆଲୋଚନାର ମହତ୍ତ୍ୱକୁ ବହୁଗୁଣିତ କରିଛି।