ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟରେ ଅବସ୍ଥିତ ଆମେରିକୀୟ ଦୂତାବାସଗୁଡ଼ିକ ଶନିବାର ନିଜ ନାଗରିକମାନଙ୍କ ପାଇଁ ଏକ ସୁରକ୍ଷା ସତର୍କତା ଜାରି କରିଛନ୍ତି। ଯୁଦ୍ଧ କିମ୍ବା ପରିସ୍ଥିତି ଅପ୍ରତ୍ୟାଶିତ ଭାବେ ବିଗିଡ଼ିବାର ସମ୍ଭାବନା ଥିବାରୁ ଆମେରିକୀୟ ନାଗରିକମାନଙ୍କୁ ସେହି ଅଞ୍ଚଳରେ ଯାତ୍ରା ନକରିବାକୁ ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ସେଠାରୁ ବାହାରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଜୋର୍ଡାନସ୍ଥିତ ଆମେରିକୀୟ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ‘ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ରହୁଥିବା କିମ୍ବା ଯାତ୍ରା କରୁଥିବା ଆମେରିକୀୟମାନେ ଅତ୍ୟନ୍ତ ସାବଧାନତା  ଅବଲମ୍ବନ କରିବା ଉଚିତ। ସେମାନେ ବିମାନ ବାତିଲ, ବିମାନସେବା ବନ୍ଦ ଏବଂ ଯାତାୟାତରେ ବିଭିନ୍ନ ସମସ୍ୟା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ଆବଶ୍ୟକ।’

ସେହିପରି ସାଉଦି ଆରବରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ ମଧ୍ୟ ସମାନ ଚେତାବନୀ ଜାରି କରାଯାଇ ନିଜ ନାଗରିକମାନଙ୍କୁ ସଜାଗ ରହିବା ସହ ଯାତ୍ରାଜନିତ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଇଜିପ୍ଟରେ ଆମେରିକା ଦୂତାବାସ ମଧ୍ୟ ସମାନ ସନ୍ଦେଶ ଦେଇ ସତର୍କ କରାଇଛି ଯେ, ‘ମଧ୍ୟପ୍ରାଚ୍ୟ ବାହାରେ ଥିବା ଆମେରିକୀୟମାନେ ସେହି ଅଞ୍ଚଳକୁ କିମ୍ବା ସେହି ବାଟ ଦେଇ ଯାତ୍ରା କରିବା ନିଷ୍ପତ୍ତି ଉପରେ ପୁନର୍ବାର ଗମ୍ଭୀରତାର ସହ ବିଚାର କରିବା ଉଚିତ। ଯେଉଁମାନେ ସେହି ଅଞ୍ଚଳକୁ ଯାତାୟାତ କରୁଛନ୍ତି, ସେମାନେ ବିମାନବନ୍ଦର ଏବଂ ବିମାନସେବା ସମ୍ପର୍କିତ ସୂଚନା ଉପରେ କ୍ରମାଗତ ନଜର ରଖିବା ଆବଶ୍ୟକ।’

ଏହି ସମାନ ପ୍ରକାରର ଆଡଭାଇଜରୀ ଓ ସୁରକ୍ଷା ସନ୍ଦେଶଗୁଡ଼ିକୁ ଅମ୍ମାନ , ଜେରୁଜାଲେମ୍  ଏବଂ ବାଗଦାଦସ୍ଥିତ ଆମେରିକୀୟ ମିଶନଗୁଡ଼ିକ ମଧ୍ୟ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ନୂଆ ସାମରିକ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ଯାତ୍ରା ସତର୍କତା ଜାରି କରାଯାଇଛି। ଏହି ଆକ୍ରମଣ ସପ୍ତାହାନ୍ତ ସୁଦ୍ଧା ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

'କ୍ୟାମ୍ପ ଡେଭିଡ୍'ଠାରେ ଅନୁଷ୍ଠିତ ଏକ ଟେଲିଭିଜନ୍ କ୍ୟାବିନେଟ୍ ବୈଠକରେ ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ, ଯଦି ଇରାନ ନିଜ ନୀତି ନ ବଦଳାଏ, ତେବେ ଆମେରିକା ତା' ଉପରେ "ବହୁତ ଶକ୍ତିଶାଳୀ ଆକ୍ରମଣ" କରିବ। ଏହା ପରେ ସେ ଏହି ସାମରିକ ଯୋଜନାକୁ ମଞ୍ଜୁରୀ ଦେଇଥିବା କୁହାଯାଉଛି। 'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍'ର ରିପୋର୍ଟ ଅନୁସାରେ ଟ୍ରମ୍ପ କହିଛନ୍ତି ଯେ, ‘ଇରାନ ଏପରି ସ୍ଥିତିରେ ପହଞ୍ଚିବ ଯେଉଁଠି ସେ ଆଉ ଏହାକୁ ସହ୍ୟ କରିପାରିବ ନାହିଁ। ଆଲୋଚନା ସମୟରେ ଇରାନ ବାରମ୍ବାର ନିଜର ପ୍ରତିଶ୍ରୁତି ଭଙ୍ଗ କରିଛି।’

ସେହିପରି 'ସିବିଏସ୍ ନ୍ୟୁଜ୍'ର ରିପୋର୍ଟ ଅନୁଯାୟୀ, ଆମେରିକା ଓ ତା'ର ସହଯୋଗୀ ଦେଶଗୁଡ଼ିକ ଇରାନର ଶକ୍ତି ଭିତ୍ତିଭୂମି ଯେପରିକି ପାୱାର ପ୍ଲାଣ୍ଟ ଏବଂ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ଏକ ବଡ଼ ଧରଣର ବୋମାବର୍ଷଣ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଟ୍ରମ୍ପ ଏହି ପ୍ରସ୍ତାବିତ ଆକ୍ରମଣ ପାଇଁ ବର୍ତ୍ତମାନ ସୁଦ୍ଧା ଅନ୍ତିମ ଅନୁମୋଦନ ଦେଇନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।