ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଏପରି ଏକ ବିରଳ ଘଟଣା ସାମନାକୁ ଆସିଛି, ଯାହା ଆପଣଙ୍କ ପାଇଁ ବିଶ୍ୱାସ କରିବା କଷ୍ଟକର ହେବ । କିନ୍ତୁ ଘଟଣାଟି ପୂରା ସତ । ଏକ ବିରଳ ଚିକିତ୍ସାରେ, ଜଣେ ମହିଳା ଗୋଟିଏ କି ଦୁଇଟି ନୁହେଁ ବରଂ ଚାରିଟି ସନ୍ତାନକୁ ଜନ୍ମ କରିଛନ୍ତି । ତାହା ପୁଣି ପାଞ୍ଚ ଦିନରେ । ଏକ ଘରୋଇ ହସ୍ପିଟାଲରେ ସାଧାରଣ ପ୍ରସବ ମାଧ୍ୟମରେ ପାଞ୍ଚ ଦିନ ମଧ୍ୟରେ ମହିଳା ଜଣକ ଚାରିଟି ଶିଶୁ (ଦୁଇଟି ପୁଅ ଏବଂ ଦୁଇଟି ଝିଅ) ଜନ୍ମ ଦେଇଥିବା ଡାକ୍ତରମାନେ କହିଛନ୍ତି ।

ଲୋଧିପୁର ଅଞ୍ଚଳର ତୀର୍ଥଙ୍କର ମହାବୀର ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ଏହି ବରିଳ ପ୍ରସବ ଦେଖିବାକୁ ମିଳିଛି । ଅଧିକାରୀଙ୍କ ଅନୁଯାୟୀ, ସମ୍ଭଲ ଜିଲ୍ଲାର ଓଭାରି ଗାଁର ବାସିନ୍ଦା ଅମିନା ମେ’ ୯ରେ ହସ୍ପିଟାଲରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ସେ ମେ’ ୧୪ରେ ଆଉ ତିନୋଟି ଶିଶୁଙ୍କୁ ଜନ୍ମ ଦେଇଥିଲେ । ଗର୍ଭଧାରଣକୁ ବିପଦପୂର୍ଣ୍ଣ ବିବେଚନା କରାଯିବା ସତ୍ତ୍ୱେ, ଡାକ୍ତରମାନେ ସିଜେରିଆନ୍ ସେକ୍ସନ ବିନା ସମସ୍ତ ଚାରି ଜଣ ଶିଶୁ - ଦୁଇଟି ପୁଅ ଏବଂ ଦୁଇଟି ଝିଅଙ୍କୁ ପ୍ରସବ କରିଥିଲେ ।

ଡାକ୍ତରଙ୍କ କହିବା ଅନୁସାରେ, ଏହା ହସ୍ପିଟାଲରେ ପ୍ରଥମ ଘଟଣା, ଯେଉଁଥିରେ ସାଧାରଣ ପ୍ରସବ ମାଧ୍ୟମରେ ଚାରିଜଣ ଶିଶୁଙ୍କୁ ପ୍ରସବ କରାଯାଇଥିଲା । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନବଜାତ ଶିଶୁମାନଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ଅଛି । ମାଆ ମଧ୍ୟ ସୁସ୍ଥ ଥିବା ଡାକ୍ତର କରିଛନ୍ତି ।

ଡାକ୍ତର କହିଛନ୍ତି, ଅଲ୍ଟ୍ରାସାଉଣ୍ଡ ରିପୋର୍ଟରେ ଚାରିଟି ଭ୍ରୁଣ ଥିବା ସ୍ପଷ୍ଟ ହେବା ପରେ ମହିଳାଙ୍କ ଗର୍ଭଧାରଣର ତୃତୀୟ ମାସରୁ ଚିକିତ୍ସା ଚାଲିଥିଲା । ଏକ ବିଶେଷଜ୍ଞ ଦଳ ଅମିନାଙ୍କ ଗର୍ଭାବସ୍ଥା ସମୟରେ ତାଙ୍କ ଉପରେ କଡ଼ା ନଜର ରଖିଥିଲେ । ଡାକ୍ତରମାନେ ପ୍ରଥମେ ବିପଦ ଥିବାରୁ ଭ୍ରୁଣ ସଂଖ୍ୟା ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ପରିବାର ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲା ।