ଲକ୍ଷ୍ନୌ: ଉତ୍ତର ପ୍ରଦେଶରରେ ମାତୃତ୍ୱକୁ କଳଙ୍କିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ସିଦ୍ଧାର୍ଥନଗର ଜିଲ୍ଲାର ମିଶ୍ରୁଲିଆ ସ୍ଥିତ ଏକ ଗାଁରେ ଜୁନ୍ ୨୬ ସନ୍ଧ୍ୟାରେ ଜଣେ ମାଆ ନିଜ ପାପ ଲୁଚାଇବା ପାଇଁ ନିଜର ୧୩ ବର୍ଷୀୟା ନାବାଳିକା ଝିଅ ସହ ଏକ ଘୃଣ୍ୟ କାଣ୍ଡ ଘଟାଇଛି । ମହିଳାଜଣକ ଝିଅକୁ ଦୋକାନ ପଠାଇବା ପରେ ନିଜ ପ୍ରେମିକ ତସବ୍ବୁରକୁ ଘରକୁ ଡାକିଥିଲା । ଦୋକାନରୁ ଫେରିବା ପରେ ଝିଅ ଦୁହିଁଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିଥିଲା ଏବଂ ବାପାଙ୍କୁ ସବୁ କଥା ଜଣାଇବ ବୋଲି କହିଥିଲା । ପୋଲ୍ ଖୋଲିଯିବା ଭୟରେ ମାଆ ନିଜ ପ୍ରେମିକକୁ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ପାଇଁ ପ୍ରବର୍ତ୍ତାଇଥିଲା । ନିଜେ ମଧ୍ୟ ସେଥିରେ ସହଯୋଗ କରିଥିଲା । ପୀଡ଼ିତାଙ୍କ ବାପା କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ପୋଲିସ ଏଫ୍ଆଇଆର୍ ରୁଜୁ କରିଛି ।

ପୀଡ଼ିତା ଝିଅର ବାପା ରୋଜଗାର ପାଇଁ ମୁମ୍ବାଇରେ ରହୁଥିବା ବେଳେ ଗାଁରେ ସ୍ତ୍ରୀ ଓ ନାବାଳିକା ଝିଅ ରହୁଥିଲେ । ଜୁନ୍ ୨୬ ସନ୍ଧ୍ୟାରେ ମାଆ ଜିନିଷ ଆଣିବା ବାହାନାରେ ଝିଅକୁ ଦୋକାନ ପଠାଇଥିଲା । ସେହି ସମୟରେ ପ୍ରେମିକ ତସବ୍ବୁରକୁ ଡାକିଥିଲା । ଝିଅ ହଠାତ୍ ଘରକୁ ଫେରିବା ପରେ ଦୁହିଁଙ୍କୁ ଖଟରେ ଆପତ୍ତିଜନକ ସ୍ଥିତିରେ ଦେଖିଦେଇଥିଲା ।

ଝିଅ ଯେତେବେଳେ ମୁମ୍ବାଇରେ ରହୁଥିବା ବାପାଙ୍କୁ ଅଭିଯୋଗ କରିବା କଥା କହିଲା, ମାଆ ପ୍ରଥମେ ତାକୁ ଡରାଇ ଧମକାଇଥିଲା । କିନ୍ତୁ ଝିଅ ସବୁକଥା ବାପାଙ୍କୁ ଜଣାଇବା ବୋଲି କହିଥିଲା । ଏହାପରେ ନିଜ ପାପ ଲୁଚାଇବା ପାଇଁ ମାଆ ନିଜ ପ୍ରେମିକକୁ କହିଥିଲା, “ଯାହା ମୋ ସହ କରୁଛ, ତାହା ଝିଅ ସହ ମଧ୍ୟ କର”, ଯାହାଦ୍ୱାରା ସେ ପାଟି ଫିଟାଇବ ନାହିଁ । ଅଭିଯୁକ୍ତ ପ୍ରେମିକ ତସବ୍ବୁର ନାବାଳିକା ସହ ଦୁଷ୍କର୍ମ କରିଥିଲା ଏବଂ ନାବାଳିକାର ମାଆ ଏଥିରେ ସହଯୋଗ କରିଥିଲା ।

ଘଟଣା ପରେ ଅଭିଯୁକ୍ତ ମାଆ ଏବଂ ତାର ପ୍ରେମିକ ଫେରାର୍ ହୋଇଯାଇଥିଲା । ଝିଅ ମୁମ୍ବାଇରେ ଥିବା ବାପାଙ୍କୁ ସମସ୍ତ କଥା ଜଣାଇଥିଲା । ଗାଁକୁ ଫେରି ବାପା ପ୍ରଥମେ ଥାନା ଏବଂ ଉଚ୍ଚାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ଶୁଣାଣି ନହେବାରୁ ଶେଷରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମିଶ୍ରୁଲିଆ ପୋଲିସ ବିଏନଏସର ୬୧(୨), ୬୫ (୨), ୩୫୧(୩), ୩୫୨ ଧାରା ଏବଂ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି ।