ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ଜାରି ସଂକଟ ମଧ୍ୟରେ ଏବେ ସମୁଦ୍ରରେ ବଡ଼ ଘଟଣାକ୍ରମ ସାମ୍ନାକୁ ଆସୁଛି। ୟୁଏଇ ପୂର୍ବ ଉପକୂଳରେ ଲଙ୍ଗର ପକାଇଥିବା ଏକ ଜାହାଜକୁ ଅଜ୍ଞାତ ଲୋକେ ଇରାନ ଜଳକ୍ଷେତ୍ରକୁ ନେଇ ଯାଉଥିବା ବ୍ରିଟେନ ସେନା ଗୁରୁବାର ଦାବି କରିଛି। ଏହି ଘଟଣା ଏବେ ହର୍ମୁଜ ଷ୍ଟ୍ରେଟ୍ ରେ ସୁରକ୍ଷା ଚିନ୍ତାକୁ ଗଭୀର କରିଛି। ବ୍ରିଟେନ ସମୁଦ୍ର ସୁରକ୍ଷା ଏଜେନ୍ସୀ ୟୁନାଇଟେଡ କିଙ୍ଗଡମ ମେରିଟାଇମ ଟ୍ରେଡ ଅପରେସନସ୍ (ୟୁକେଏମଟିଓ) ଗୁରୁବାର ଜାରି ଆଲର୍ଟରେ କହିଛି ଯେ ଫୁଜୈରା ପୋର୍ଟ ଆଖପାଖରେ ଥିବା ଏକ ଜାହାଜକୁ ଅଜ୍ଞାତ ଲୋକେ ନିୟନ୍ତ୍ରଣକୁ ନେଇଛନ୍ତି।

ଏଜେନ୍ସୀ ଅନୁସାରେ ଏହି ଜାହାଜଟି ୟୁଏଇର ଫୁଜୈରା ପୋର୍ଟରୁ ଉତ୍ତର-ପୂର୍ବଦିଗରେ ପାଖାପାଖି ୩୮ ନଟିକାଲ ମାଇଲ ଦୂରରେ ଲଙ୍ଗର ପକାଇଥିଲା। ତେବେ ୟୁକେଏମଟିଓ ଜାହାଜର ନାମ ସାର୍ବଜନିକ କରି ନଥିବା ବେଳେ ମାମଲାର ତଦନ୍ତ ଜାରି ଥିବା କହିଛି। ବ୍ରିଟିଶ ସେନା ଦାବି କରିଛି ଯେ ଅପହୃତ ଜାହାଜଟି ଏବେ ଇରାନ ଜଳକ୍ଷେତ୍ରରେ ଯାତ୍ରା କରୁଛି। ତେବେ ଏହି ଜାହାଜକୁ ଇରାନ ଆଡକୁ ନେଇଯାଉଥିବା ଲୋକେ କିଏ ତାହା ସ୍ପଷ୍ଟ ହୋଇ ପାରିନି। ହେଲେ ବିଶେଷଜ୍ଞ ଆଶଙ୍କା କରିଛନ୍ତି ଯେ ହର୍ମୁଜ ପ୍ରଣାଳୀ ଆଖପାଖରେ ବଢୁଥିବା ଉତ୍ତେଜନା ଓ ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଏପରି ଘଟଣା ବୈଶ୍ୱିକ ତୈଳ ଯୋଗାଣ ଓ ସାମୁଦ୍ରିକ ବାଣିଜ୍ୟ ନିମନ୍ତେ ବିପଦ ସୃଷ୍ଟି କରିପାରେ।

ଇରାନ ଓ ପାଶ୍ଚାତ୍ୟ ଦେଶଙ୍କ ମଧ୍ୟରେ ଉତ୍ତେଜନା କାଳରେ ଫୁଜୈରା କ୍ଷେତ୍ର ଅନେକ ଆକ୍ରମଣ ଓ ସନ୍ଦିଗ୍ଧ ଘଟଣାର କେନ୍ଦ୍ର ପାଲଟିଛି। ଗତବର୍ଷ ତୈଳ ଟ୍ୟାଙ୍କରଙ୍କ ଉପରେ ଆକ୍ରମଣ, ଡ୍ରୋନ ଗତିବିଦ୍ଧି ଓ ସମୁଦ୍ର ସୁରକ୍ଷା ସମ୍ପର୍କିତ ଅନେକ ମାମଲା ଏହି ସାମୁଦ୍ରିକ କ୍ଷେତ୍ରକୁ ବିଶ୍ୱର ସବୁଠୁ ସମ୍ବେଦନଶୀଳ ସମୁଦ୍ର ଇଲାକାରେ ସାମିଲ କରିଛି। ଏଥିରେ ଏବେ ଯଦି ଜାହାଜ ଅପହରଣ ଘଟଣା ସତ୍ୟ ପ୍ରମାଣିତ ହୁଏ ତେବେ ଆମେରିକା, ବ୍ରିଟେନ ଓ ଉପସାଗରୀୟ ଦେଶମାନଙ୍କରେ ସାମରିକ ଗତିବିଦ୍ଧି ବଢିପାରେ।

ହର୍ମୁଜ ପ୍ରଣାଳୀ ବିଶ୍ୱର ସବୁଠୁ ଗରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ମାର୍ଗ ମଧ୍ୟରେ ଅନ୍ୟତମଏହି ଜଳମାର୍ଗ ଦେଇ ବୈଶ୍ୱିକ ତୈଳ ଯୋଗାଣର ଏକ ବଡ଼ ଭାଗ ଯାଇଥାଏ। ଏଣୁ ଏଠାରେ କୌଣସି ପ୍ରକାରର ଅସ୍ଥିରତା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିବା ବୋଲି ଆଶଙ୍କା କରାଯାଉଛି। ତେବେ ଫୁଜୈରା ବନ୍ଦର ୟୁଏଇର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ କେନ୍ଦ୍ର। ପାରସ୍ୟ ଉପସାଗର ବାହାରେ ଥିବା ଏହି ବନ୍ଦରଟି ଏକ ବଡ଼ ତୈଳ ରପ୍ତାନୀ ଟର୍ମିନାଲ ମଧ୍ୟ। ଏହା ଛଡା ହର୍ମୁଜ ପ୍ରଣାଳୀ ଦେଇ ଆସୁଥିବା ଅଧିକାଂଶ ଜାହାଜ ଏହି ମାର୍ଗ ବ୍ୟବହାର କରିଥାନ୍ତି। ଏଣୁ ଯଦି ଏହି କ୍ଷେତ୍ରରେ ଅସ୍ଥିରତା ବଢେ ତେବେ ଏହାର ପ୍ରଭାବ ବୈଶ୍ୱିକ ଅଶୋଧିତ ତୈଳ ଦର ଉପରେ ପଡିବ।

Also Read..ଭାରତ ପାଇଁ ଖୁସି ଖବର ! ହର୍ମୁଜ ପାର କଲା LPG ଟ୍ୟାଙ୍କର୍ MV ସନସାଇନ୍