ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେ ନିଜ ମନ୍ତ୍ରଣାଳୟ ଅଧୀନରେ ଚାଲୁଥିବା ଏକ ସରକାରୀ ଯୋଜନାରୁ ନିଜର କାକୁଡ଼ି ଚାଷ ଫାର୍ମ ପାଇଁ ପ୍ରାୟ ୯୯ ଲକ୍ଷ ଟଙ୍କାର ସବସିଡି (ଆର୍ଥିକ ସହାୟତା) ଗ୍ରହଣ କରିଛନ୍ତି। ବିଶେଷ କଥା ହେଉଛି, ଯେଉଁ ବୋର୍ଡ ଦ୍ୱାରା ଏହି ସବସିଡି ମଞ୍ଜୁର କରାଯାଇଛି, ସେ ସେହି ବୋର୍ଡର ଜଣେ ପଦାଧିକାରୀ (ଉପ-ସଭାପତି) ମଧ୍ୟ ଅଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ୍‌’ରେ ଖବର ପ୍ରକାଶ ପାଇଛି ।

କେନ୍ଦ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀଙ୍କର କେନ୍ଦ୍ରୀୟ ରାଜସ୍ଥାନରେ ଏକ ବିଶାଳ ଚାଷ ଜମି ରହିଛି। ପଥର କାନ୍ଥ ଏବଂ କଣ୍ଟା ତାରର ବାଡ଼ ଘେରା ଏହି ଫାର୍ମରେ ଏକ ବଗିଚା, କୃତ୍ରିମ ପୋଖରୀ ଏବଂ ୪ଟି ବଡ଼ ବଡ଼ 'ପଲିହାଉସ୍' (Polyhouses) ରହିଛି, ଯେଉଁଠାରେ ଆଧୁନିକ ପଦ୍ଧତିରେ କାକୁଡ଼ି ଚାଷ କରାଯାଉଛି। ଏହି ଫାର୍ମ ସମ୍ମୁଖରେ ଏକ ଧଳା ରଙ୍ଗର ବୋର୍ଡ ଲାଗିଛି, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି-

ସହାୟତା ପ୍ରଦାନକାରୀ: ଜାତୀୟ ଉଦ୍ୟାନ କୃଷି ବୋର୍ଡ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
ହିତାଧିକାରୀ: ଶ୍ରୀ ଭାଗୀରଥ ଚୌଧୁରୀ 
ସବସିଡି ପରିମାଣ: ୫୦ ପ୍ରତିଶତ, ୯୯,୬୦,୦୦୦ ଟଙ୍କା 

ବିବାଦ କାହିଁକି ?
ଭାଗୀରଥ ଚୌଧୁରୀ ବର୍ତ୍ତମାନ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ସେ ନିଜ ଅଧୀନରେ ଥିବା ବିଭାଗର ଯୋଜନାରୁ ହିଁ ଏହି ବିପୁଳ ପରିମାଣର ଆର୍ଥିକ ଲାଭ ଉଠାଇଛନ୍ତି। ଯେଉଁ ଜାତୀୟ ଉଦ୍ୟାନ କୃଷି ବୋର୍ଡ ଏହି ସବସିଡି ଟଙ୍କା ପାସ୍ କରିଛି, କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ସେହି ବୋର୍ଡର ଉପ-ସଭାପତି ଅଛନ୍ତି। ମନ୍ତ୍ରୀ ପଦରେ ଥାଇ ସେ ମାତ୍ର କିଛି ମାସ ପୂର୍ବରୁ ହିଁ ଏହି ସରକାରୀ ସବସିଡି ରାଶି ନିଜ ଆକାଉଣ୍ଟକୁ ନେଇଥିବା ଜଣାପଡ଼ିଛି ।

ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ
ନିଜ ମନ୍ତ୍ରଣାଳୟର ସରକାରୀ ଯୋଜନାରୁ ୯୯ ଲକ୍ଷ ଟଙ୍କାରୁ ଅଧିକ ସବସିଡି (ଆର୍ଥିକ ସହାୟତା) ନେଇଥିବା ଅଭିଯୋଗ ଉପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜର ସଫେଇ ରଖିଛନ୍ତି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆସିଥିବା ଅଭିଯୋଗକୁ ସେ ପ୍ରତ୍ୟାଖ୍ୟାନ କରିବା ସହ ଏହା ତାଙ୍କୁ ବଦନାମ କରିବା ପାଇଁ ଏକ ଚକ୍ରାନ୍ତ ବୋଲି କହିଛନ୍ତି।'ଆଜ୍ ତକ୍'କୁ ଦେଇଥିବା ପ୍ରତିକ୍ରିୟାରେ କେନ୍ଦ୍ରମନ୍ତ୍ରୀ ଚୌଧୁରୀ ଏହି ସବସିଡି ପାଇଥିବା କଥାକୁ ସ୍ୱୀକାର କରିଛନ୍ତି, କିନ୍ତୁ ଏଥିରେ କୌଣସି ନିୟମ ଉଲ୍ଲଂଘନ ହୋଇନଥିବା ସ୍ପଷ୍ଟ କରିଛନ୍ତି। 

କେନ୍ଦ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ କହିଛନ୍ତି ଯେ, ସେ କୌଣସି ବେଆଇନ କାମ କରିନାହାନ୍ତି। ସରକାରଙ୍କ ସମସ୍ତ ନିୟମ ଓ ନୀତିକୁ ପାଳନ କରି ହିଁ ତାଙ୍କୁ ଏହି ସବସିଡି ପ୍ରଦାନ କରାଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଆର୍ଥିକ ସହାୟତା କେନ୍ଦ୍ର ସରକାରଙ୍କ 'ମିଶନ ଫର୍ ଇଣ୍ଟିଗ୍ରେଟେଡ୍ ଡେଭେଲପମେଣ୍ଟ ଅଫ୍ ହର୍ଟିକଲଚର' (MIDH) ଯୋଜନା ଅଧୀନରେ ମିଳିଛି। ଉଦ୍ୟାନ କୃଷି, ପନିପରିବା ଏବଂ ଫୁଲ ଚାଷର ବ୍ୟବସାୟିକ ପ୍ରସାର ପାଇଁ ଏହି ଯୋଜନାକୁ କେନ୍ଦ୍ର ସରକାର ୨୦୧୪ ମସିହାରେ ଆରମ୍ଭ କରିଥିଲେ।

 ଏହି ଯୋଜନାର ନିୟମ ଅନୁଯାୟୀ, ଚାଷ ଜମିରେ 'ପଲିହାଉସ୍' (Polyhouse) ପ୍ରତିଷ୍ଠା କରିବା ପାଇଁ ହେଉଥିବା ସମୁଦାୟ ଖର୍ଚ୍ଚର ୫୦ ପ୍ରତିଶତ ଅର୍ଥ ସରକାର ସବସିଡି ଆକାରରେ ଦେଇଥାନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦେଶର ହଜାର ହଜାର ଚାଷୀ ଏହି ଯୋଜନାର ଲାଭ ଉଠାଉଛନ୍ତି ଏବଂ ସେ ମଧ୍ୟ ଜଣେ ଚାଷୀ ହୋଇଥିବାରୁ ସାଧାରଣ ନିୟମ ଆଧାରରେ ହିଁ ଏହି ସୁବିଧା ପାଇଛନ୍ତି।