ନୂଆଦିଲ୍ଲୀ,୨୮/୦୪ : ଚାଲିଛି ଆଇପିଏଲ ୨୦୨୬ । ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଫର୍ମରେ ଅଛନ୍ତି କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୫ ବର୍ଷରେ ସେ ବଡ ବଡ ବୋଲରଙ୍କୁ ପ୍ରହାର କରୁଛନ୍ତି । ତେବେ ବୈଭବଙ୍କୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ପ୍ୟାରିସ୍ ଅଲମ୍ପିକରେ ଦୁଇଟି ପଦକ ଜିତି ଇତିହାସ ରଚିଥିବା ଭାରତୀୟ ଶୁଟର୍ ମନୁ ଭାକରଙ୍କୁ ବୈଭବଙ୍କ ବାବଦରେ ପଚରାଯାଇଥିବା ଏକ ପ୍ରଶ୍ନ ଏବେ ବିବାଦରେ ।

ରିପୋର୍ଟ ଅନୁସାରେ, ଏକ କାର୍ଯ୍ୟକ୍ରମରେ ମନୁଙ୍କୁ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାକୁ ନେଟିଜେନ୍ସ୍ ପସନ୍ଦ କରିନାହାଁନ୍ତି । ନେଟିଜେନ୍ସଙ୍କ କହିବାନୁସାରେ ଭାରତରେ କ୍ରିକେଟର ଅଧିକ କ୍ରେଜ୍ ରହିଛି । ତେଣୁ ଅନ୍ୟ ଖେଳକୁ କେହି ଗୁରୁତ୍ୱ ଦେଉ ନାହାଁନ୍ତି । ମନୁଙ୍କୁ କ୍ରିକେଟ୍ କଥା ପଚରାଯିବା ଅପମାନ ବୋଲି ନେଟିଜେନ୍ସ କହିଛନ୍ତି ।

କ'ଣ ଥିଲା ପ୍ରଶ୍ନ

ଗତ ଏପ୍ରିଲ ୨୭ ତାରିଖରେ ମନୁ ଭାକର ଦିଲ୍ଲୀରେ ପହଁଚିଥିଲେ । ଏଠାରେ କିଛି ସାମ୍ବାଦିକ ତାଙ୍କୁ ବୈଭବଙ୍କ ବାବଦରେ ପ୍ରଶ୍ନ କରିଥିଲେ । ଏହାର ଜବାବରେ ମନୁ ବୁଦ୍ଧିମାନ ଭାବେ କାମ କରିବା ଏବଂ ଜଣେ ମାର୍ଗଦର୍ଶକର ଆବଶ୍ୟକତା ଥିବା କହିଥିଲେ ।

ନେଟିଜେନ୍ସ ନାଖୁସ୍

ନେଟିଜେନ୍ସଙ୍କ କହିବାନୁସାରେ, ଭାରତରେ କ୍ରିକେଟକୁ ବେଶି ଫୋକସ୍ କରାଯାଉଛି । ଅନ୍ୟ ଖେଳର ଖେଳାଳିଙ୍କୁ ଜବରଦସ୍ତି କ୍ରିକେଟ୍ ମଧ୍ୟକୁ ଟଣାଯାଉଛି ।