କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ତାରାତଲ୍ଲାରେ ବୁଧବାର ମଧ୍ୟାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ ଗୋଦାମ ସେଡ୍ ଭୂଶୁଡିପଡିଛି, ଫଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ପାଖାପାଖି ୫୦ରୁ ୬୦ ଜଣ ଶ୍ରମିକ ଭଙ୍ଗା ସେଡ୍ ତଳେ ଫଶି ରହିଛନ୍ତି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସହିତ ସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ପ୍ରତ୍ୟକ୍ଷଦର୍ଶିଙ୍କ ଅନୁସାରେ ଗୋଦାମର ନିର୍ମାଣ କାମ ଚାଲିଥିବା ବେଳେ ଅଚାନକ ଏହା ଧସି ପଡିଥିଲା। ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଯାଇ  ଆହତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପହଞ୍ଚା ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ପାଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। 

ଗୋଦାମ ସେଡ୍ ପଡିବାମାତ୍ରେ ହଇଚଇ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ।ସୂଚନା ପାଇ ପୋଲିସ, ଦମକଳ ବିଭାଗ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର ଅଭିଯାନରେ ସାମିଲ ହୋଇଛନ୍ତି। ଧ୍ୱଂସସ୍ତୁପ ତଳୁ ଏ ପର୍ଯ୍ୟନ୍ତ ୬/୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚା ଯାଇଥିବା ଜଣାପଡିଛି। ଉଦ୍ଧାର ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଇଛି। ବାକି ଶ୍ରମିକଙ୍କ ଉଦ୍ଧାର ନିମନ୍ତେ ଲୁହା ବିମ୍ କାଟିବାକୁ ଗ୍ୟାସ୍ କଟର ଓ ଷ୍ଟ୍ରକ୍ଚର ହଟାଇବାକୁ କ୍ରେନର ସହାୟତା ନିଆଯାଇଛି।

ସୂଚନା ଅନୁସାରେ ଭଙ୍ଗା ସେଡ ତଳେ ଦବି ରହିଥିବା ଶ୍ରମିକଙ୍କ ଚିତ୍କାର ଏବେବି ଶୁଣାଯାଉଛି। ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାର ନବାନ୍ନାରେ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି। କଣ୍ଟ୍ରୋଲ ରୁମ ସହିତ ସମ୍ପର୍କ କରି ନିଜ ଲୋକଙ୍କ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ଫୋନ ନମ୍ବରଗୁଡିକ ହେଲା ୧୦୭୦, ୮୬୯୭୯୮୧୦୭୦, ୦୩୩-୨୨୧୪୩୫୨୬/୨୨୫୩୫୧୮୫। ଘଟଣାସ୍ଥଳକୁ ରାଜ୍ୟମନ୍ତ୍ରୀ ଇନ୍ଦ୍ରନୀଳ ଖାଁ ଓ ବିଜେପି ନେତା ରାକେଶ ସିଂହ ପହଞ୍ଚିଛନ୍ତି। ସେମାନେ ଭଙ୍ଗା ସେଡ ତଳେ ଦବି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେଉଛନ୍ତି।