ସୁବର୍ଣ୍ଣପୁର: ଭଉଣୀର ବାହାଘରକୁ ନେଇ ଚାଲିଥିବା ଜୋରଦାର ପ୍ରସ୍ତୁତି। ନିମନ୍ତ୍ରଣ କାର୍ଡ ବଣ୍ଟା ବି ଚାଲିଥିଲା। ବାହାଘରକୁ ନେଇ ପରିବାରରେ ଖୁସିର ମାହୋଲ ଥିଲା। ହେଲେ ଏହି ଖୁସିରେ ଲାଗିଗଲା ଗ୍ରହଣ। ଭଉଣୀର ବାହାଘର ପାଇଁ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା କାକା ଓ ପୁତୁରା(ଭଉଣୀର ଭାଇ)ଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସାଲେଭଟା ଅଙ୍ଗନଦୀ ପୋଲଠାରେ ରବିବାର ଏହି ଦୁଃଖଦ ଘଟଣା ଘଟିଛି।

ଏକ ଗାଜର ବୋଝେଇ ପିକଅପ ଧକ୍କାରେ ବାଇକରେ ଯାଉଥିବା କାକା ଓ ପୁତୁରାର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁତୁରା ମୃତ୍ୟୁ ହୋଇଥିବା ବେଳେ କାକା ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ସମୟରେ ବରଗଡ଼ ଠାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ବ୍ୟକ୍ତି ହେଲେ ବିନିକା ଥାନା ଅନ୍ତର୍ଗତ ଚରଦା ଗାଁର ପୁତୁରା ପାର୍ଥ ବାଗ ଓ କାକା ଭଜନ ବାଗ ବୋଲି ଜଣାପଡିଛି l

ଗୁରୁତର ଭଜନକୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ନେଉଥିବା ସମୟରେ ବରଗଡ଼ ଠାରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଥିବା ପିକଅପକୁ ଜବତ କରି ଘଟଣାର ତଦନ୍ତ କରୁଛି ଡୁଙ୍ଗୁରିପାଲି ପୋଲିସ ।