​​​​​​​ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ରୁଷର ଡ୍ରୋନ ଆକ୍ରମଣ ପରେ ଏବେ ୟୁକ୍ରେନ ମଧ୍ୟ ଡ୍ରୋନ ଆକ୍ରମଣ କରିଛି, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ୟୁକ୍ରେନର ଏହି ଡ୍ରୋନ ଆକ୍ରମଣ ରୁଷର ତାତାରସ୍ଥାନଅଞ୍ଚଳରେ ହୋଇଛି । ଏହାର ଗୋଟିଏ ଦିନ ପୂର୍ବରୁ ରୁଷ ୟୁକ୍ରେନର ଅନେକ ଅଞ୍ଚଳରେ ଡ୍ରୋନ ଆକ୍ରମଣ କରିଥିଲା, ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୯୦ରୁ ଅଧିକ ଲୋକ ଆହାତ ହୋଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ସୋମବାର ତାତାରସ୍ଥାନ ଅଞ୍ଚଳରେ ୟୁକ୍ରେନର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ସାମିଲ ଅଛି । ରୁଷୀୟ ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ଆକ୍ରମଣରେ ୩୯ ଜଣ ଲୋକ ଆହାତ ହୋଇଛନ୍ତି । ରୁଷୀୟ ଅଧିକାରୀଙ୍କ ଦାବି ଅନୁଯାୟୀ, ୟୁକ୍ରେନ ଯେଉଁଠାରେ ଡ୍ରୋନ ଆକ୍ରମଣ କରିଛି, ସେଠାରେ କେବଳ ସାଧାରଣ ନାଗରିକ ରହୁଥିଲେ ।

ଏନଡିଭିଟି ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ତାତାରସ୍ଥାନ ଅଞ୍ଚଳର ନିଜନେକାମସ୍କ ସହରରେ ହୋଇଛି । ନିଜନେକାମସ୍କର ମେୟର ରାଦମୀର ବେଲାୟେଭ ଏହି ଆକ୍ରମଣକୁ ସ୍ୱୀକାର କରିଛନ୍ତି ଏବଂ ଦୁଃଖ ପ୍ରକାଶ କରିଛନ୍ତି । ନିଜନେକାମସ୍କ ସହର ୟୁକ୍ରେନ ସୀମାରୁ ୧,୧୦୦ କିଲୋମିଟର ଦୂରରେ ଅବସ୍ଥିତ ।

ରୁଷ ଦାବି କରିଛି ଯେ ତାହାର ଏୟାର ଡିଫେନ୍ସ ସିଷ୍ଟମ ୪୫୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନକୁ ଖସାଇ ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଯୁଦ୍ଧରେ ୟୁକ୍ରେନ ଏବେ ଡ୍ରୋନ ଜରିଆରେ ରୁଷର ବହୁ ଭିତର ଅଞ୍ଚଳକୁ ଆକ୍ରମଣ କରୁଛି । ଅନ୍ୟପଟେ, ରୁଷ ମଧ୍ୟ କ୍ରମାଗତ ଭାବେ ୟୁକ୍ରେନର ସହର ଏବଂ ଆବାସିକ ଅଞ୍ଚଳଗୁଡ଼ିକ ଉପରେ ବ୍ୟାପକ ଆକ୍ରମଣ ଜାରି ରଖିଛି ।