ଅହମଦାବାଦ: ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ ପିଶାଚ ବନିଗଲା ସୁରକ୍ଷା କର୍ମୀ। ଛାତ୍ରୀଙ୍କୁ ବେକରେ ତାର ବାନ୍ଧିଲା। ନୃଶଂସ ଭାବେ ଦୁଷ୍କର୍ମ କରିଚାଲିଲା। ଅହମଦାବାଦରୁ ଏକ ଚାଞ୍ଚଲ୍ୟକର ତଥା ସ୍ତବ୍ଧ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଗୁଜୁରାଟର ଆନନ୍ଦନଗର ଅଞ୍ଚଳରେ ଥିବା ଏକ ପିଜିରେ ରହି ପାଠ ପଢୁଥିଲେ ଜଣେ ଇଣ୍ଟେରିୟର ଡିଜାଇନର ଛାତ୍ରୀ।

ଶନିବାର ରାତି ପ୍ରାୟ ୧୦ଟା। ସମୟରେ ସେ ସାଧାରଣ ଭାବେ ଟେରାସକୁ ବୁଲିବାକୁ ଯାଇଥିଲେ। ସେଠାରେ ପିଜିର ସୁରକ୍ଷା କର୍ମୀ ଧରମ ସିଂହ ପୂର୍ବରୁ ଉପସ୍ଥିତ ଥିଲା। ଗାର୍ଡର ବ୍ୟବହାର ଓ ଗତିବିଧି ସନ୍ଦେହଜନକ ଲାଗିବାରୁ ଛାତ୍ରୀ ଜଣକ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ନିର୍ଦ୍ଦୟ ଗାର୍ଡ ଜଣକ ତାଙ୍କ ବେକରେ ଏକ ତାର ବାନ୍ଧି ତାଙ୍କୁ କାବୁ କରିନେଇଥିଲା। ଟେରାସରେ ହିଁ ତାଙ୍କ ସହ ଏହି ଜଘନ୍ୟ ଅପରାଧ ଘଟାଇଥିଲା।

ଘଟଣା ପରେ ଅଭିଯୁକ୍ତ ସୁରକ୍ଷା କର୍ମୀ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହି ସମ୍ବେଦନଶୀଳ ମାମଲାକୁ ଗୁରୁତ୍ୱର ସହ ନେଇ ଆନନ୍ଦନଗର ପୋଲିସ, କ୍ରାଇମବ୍ରାଞ୍ଚ ଓ ସ୍ଥାନୀୟ ଅପରାଧ ଶାଖା ମିଳିତ ଭାବେ ୧୦ଟି ବିଶେଷ ଟିମ୍ ଗଠନ କରିଥିଲେ। ରାତିସାରା ଅଭିଯୁକ୍ତକୁ ଖୋଜାଖୋଜି କରିବା ପରେ ରବିବାର ସକାଳେ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

also read- ବ୍ରେକ୍ଅପ୍‌ର ଭୟଙ୍କର ପରିଣାମ: କଲେଜ ଛାତ୍ରୀଙ୍କୁ ହତ୍ୟା, ଭାରତ ଫେରୁଥିବା ବେଳେ ଗିରଫ

ଗିରଫ ହୋଇଥିବା ଅଭିଯୁକ୍ତ ଗାର୍ଡର ନାଁ ଧରମ ସିଂହ, ଯାହାର ଘର ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ। ଘଟଣାର ମାତ୍ର କିଛି ଦିନ ପୂର୍ବରୁ ହିଁ ସେ ଏହି ପିଜିରେ ସୁରକ୍ଷା କର୍ମୀ ଭାବେ କାମ ଆରମ୍ଭ କରିଥିଲା। ଘଟଣା ସମୟରେ ଅଭିଯୁକ୍ତ ଲିଫ୍ଟ ବ୍ୟବହାର କରି ବିଭିନ୍ନ ମହଲା ଓ ଟେରାସ ମଧ୍ୟରେ ସନ୍ଦେହଜନକ ଭାବେ ବୁଲୁଥିବାର ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି, ଯାହାକୁ ଏକ ବଡ଼ ପ୍ରମାଣ ଭାବେ ଗ୍ରହଣ କରାଯାଇଛି। ଫରେନ୍ସିକ୍ ଟିମ୍ ଏବଂ ପୋଲିସ ବର୍ତ୍ତମାନ ଘଟଣାସ୍ଥଳରୁ ଅଧିକ ପ୍ରମାଣ ଯାଞ୍ଚ କରୁଛନ୍ତି। ପୀଡ଼ିତା ଛାତ୍ରୀ ଜଣକ ବର୍ତ୍ତମାନ ଡାକ୍ତରୀ ମାଇନା କରାଯାଇଛି।