ଉଦଳା : ପୋଲିସର ତତ୍ପରତା ଯେତେ ବଢ଼ୁଛି, ଚୋର ବି ଚୋରିର ନୂଆ ନୂଆ ତରିକା କାଢ଼ୁଛନ୍ତି। ଏଠି ଚୋର ଚୋରି କରୁଥିଲେ , ଆଉ ସନ୍ଦେହ ନହେବାକୁ ପୂରା ରାଜକୀୟ ଠାଣିରେ ଯାଇ ଗହଣା ବିକ୍ରି କରୁଥିଲେ। ହେଲେ ମଜାଦାର କଥା ଏଠି ଚୋର ନିଜେ ଚୋରି କରୁଥିଲେ, ଆଉ ଏଥିରେ ନିଜ ପରିବାରକୁ ବି ସାମିଲ୍ କରୁଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଲୁଟେରା ନିଜ ନାବାଳକ ପୁଅ ସମେତ ସମ୍ପର୍କୀୟଙ୍କୁ ଚୋରି ଶିଖାଇ କରୁଥିଲେ ବ୍ୟାପକ ଲୁଟ୍। ଶେଷରେ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି ଉଦଳା ପୋଲିସ। ଆଉ ଥାନା ଅଧୀନରେ ୫ ଗୋଟି ଲୁଟ ମାମଲାର ହୋଇଛି ପର୍ଦ୍ଦାଫାଶ। ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି, ଯେଉଁଥିରେ ୩ ଜଣ ନାବାଳକ ରହିଛନ୍ତି। ମୁଖ୍ୟ ଅଭିଯୁକ୍ତ କନକପଦା ଗ୍ରାମର ବର୍ଣ୍ଣଢ଼ ବିନ୍ଧାଣୀ ନିଜର ନାବାଳକ ପୁଅ, ସଢୁର ନାବାଳକ ପୁଅ ଏବଂ ପଡୋଶୀ ନାବାଳକ ପିଲାଙ୍କ ମାଧ୍ୟମରେ ଲୁଟ କରୁଥିଲେ।

ବିଭିନ୍ନ ଅଞ୍ଚଳ ବୁଲିବା ପରେ ବନ୍ଦ ଥିବା ଘରକୁ ଟାର୍ଗେଟ କରି ସେଠାରୁ ଲୁଟ କରୁଥିଲେ। ସେହି ଚୋରି ଅଳଙ୍କାର ଗୁଡିକୁ ନୀଳଗିରିର ଅଲ୍ଲୀ ଜୁଏଲରୀରେ ବିକ୍ରି କରୁଥିଲେ। ଚୋରି ଟଙ୍କାରେ କିଣିଥିବା କାରରେ ନିଜ ପରିବାର ସଦସ୍ୟଙ୍କ ସହିତ ଯାଇ ରାଜକୀୟ ଠାଣିରେ ଗହଣା ବିକ୍ରି କରୁଥିଲେ। ଗହଣା ବିକି ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସେ ନେଇ ସାରିଛି। ପୋଲିସ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୫ ଗୋଟି ବ୍ୟାଙ୍କ ପାସବୁକ,ଏକ କାର, ଦୁଇ ଗୋଟି ବାଇକ ଏବଂ ୪ ଗୋଟି ଫୋନ ଜବତ କରିଛି।

ପୋଲିସ ଗହଣା କିଣୁଥିବା ନୀଳଗିରି ଅଞ୍ଚଳର ଅଲ୍ଲୀ ଜୁଏଲାରୀ ଦୋକାନର ମାଲିକ ହର ଗୋବିନ୍ଦ ରଣାକୁ ଗିରଫ କରି ତା ନିକଟରୁ ଅଳଙ୍କାର ଜବତ କରିଛି। ହେଲେ ଏଗି ଲୁଟରେ ସାମିଲ୍ ଥିବା ମୁଖ୍ୟ ଅଭିଯୁକ୍ତ ବର୍ଣ୍ଣଢ଼ ବିନ୍ଧାଣୀର ଭଣଜା ଏବଂ ତାଙ୍କ ନାବାଳିକା ଝିଅ ଏବେ ଫେରାର ଅଛନ୍ତି। ତେବେ ଯାହା ପଡ଼ିଛି ମୁଖ୍ୟ ଲୁଟେରା ନାଁରେ ପୂର୍ବରୁ ଖୁଣ୍ଟା, ଉଦଳା, କପ୍ତିପଦା ଥାନା ଅଞ୍ଚଳରେ ଅନେକ ମାମଲା ରହିଛି।