ନୂଆଦିଲ୍ଲୀ: ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ୍‌ ଉପରେ ହାମାସର ଭୟଙ୍କର ଆକ୍ରମଣର ପ୍ରାୟ ୧୦ ଦିନ ପୂର୍ବରୁ UAE ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟଦ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସୂଚନା ଦେଇଥିଲେ। ଇସ୍ରାଏଲୀ ସମ୍ବାଦପତ୍ର Haaretz ରେ ପ୍ରକାଶିତ ଏକ ରିପୋର୍ଟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

୨୦୨୩ ସେପ୍ଟେମ୍ବର ଶେଷ ଆଡ଼କୁ ମହମ୍ମଦ ବିନ୍ ଜାୟଦ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ୪୫ ମିନିଟ୍‌ର ଫୋନରେ ଆଲୋଚନା ହୋଇଥିଲା। ହାମାସ ନେତା ୟାହ୍ୟା ସିନୱାର ଗାଜାରେ ଏକ ବଡ଼ ଧରଣର ଅପରେସନ୍ ପାଇଁ ପ୍ରସ୍ତୁତ ହେଉଥିବା ଏବଂ ଏହା ଦ୍ୱାରା ଆଞ୍ଚଳିକ ଅସ୍ଥିରତା ସୃଷ୍ଟି ହୋଇପାରେ ବୋଲି MBZ ସୂଚନା ଦେଇଥିଲେ।

 ନେତାନ୍ୟାହୁ ଏହି ସୂଚନାକୁ ଗୁରୁତ୍ୱ ସହ ନନେଇ ଇସ୍ରାଏଲ ସମ୍ପୂର୍ଣ୍ଣ ସତର୍କ ଅଛି ବୋଲି କହିଥିଲେ। ହାମାସ ଗାଜା ବଦଳରେ ୱେଷ୍ଟ ବ୍ୟାଙ୍କ (West Bank) ରେ ଆକ୍ରମଣ କରିବାର ଅଧିକ ସମ୍ଭାବନା ଅଛି ବୋଲି ସେ ଦାବି କରିଥିଲେ। ଇଜିପ୍ଟ ଗୁଇନ୍ଦା ମୁଖ୍ୟ ଅବ୍ବାସ କାମେଲ ମଧ୍ୟ ନେତାନ୍ୟାହୁଙ୍କୁ ଫୋନ୍ କରି ହାମାସର ଭୟଙ୍କର ଯୋଜନା ବିଷୟରେ ଚେତାବନୀ ଦେଇଥିଲେ, ଯାହାକୁ ନେତାନ୍ୟାହୁ ଏଡ଼ାଇ ଦେଇଥିଲେ।

ଇସ୍ରାଏଲ ଗୁଇନ୍ଦା ସଂସ୍ଥା Shin Bet ର ପ୍ରମୁଖ ରୋନେନ୍ ବାର୍‌ ସେପ୍ଟେମ୍ବର ମଧ୍ୟଭାଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସୁପାରିଶ କରିଥିଲେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇନଥିଲେ।  ୨୦୨୩ ମଧ୍ୟଭାଗରେ ହାମାସ ଓ ଇସ୍ରାଏଲ ମଧ୍ୟରେ ବନ୍ଦୀ ବିନିମୟ ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ମାତ୍ର ନେତାନ୍ୟାହୁ ନିଜ ସରକାରର ଚରମପନ୍ଥୀ ସହଯୋଗୀଙ୍କ ଭୟରେ ଏଥିରେ ବିଳମ୍ବ କରିବାରୁ ସିନୱାର କ୍ରୋଧିତ ହୋଇ ଏହି ଆକ୍ରମଣର ଯୋଜନା କରିଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୭ ଆକ୍ରମଣରେ ୧,୨୦୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୫୧ ଜଣଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ ହମାସ ଆତଙ୍କବାଦୀ । ସେପଟେ ୟୁଏଇର ଖବରକାଗଜର ଦାବିକୁ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ମିଥ୍ୟା ଓ ଆଧାରହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛି।