News7 Logo

କ୍ଷୀର ଟ୍ୟାଙ୍କରରେ ଅପମିଶ୍ରଣ ଘଟଣା, ୨ ଜଣଙ୍କୁ ବାନ୍ଧିଲା ପୋଲିସ

NEWS7
police

ଆଠଗଡ଼ ୧୩।୦୯ : କ୍ଷୀର ଟ୍ୟାଙ୍କରରେ ଅପମିଶ୍ରଣ ଘଟଣା । ଡ୍ରାଇଭର ସମେତ ୨ ଜଣଙ୍କୁ ବାନ୍ଧିଲା ପୁଲିସ । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା କୁଷ୍ପଙ୍ଗି ଠାରେ ୫୫ ନମ୍ବର ଜାତୀୟ ରାଜପଥ ପାଖରେ ଏକ ଢ଼ାବା ପଛପଟେ ଟ୍ୟାଙ୍କର କ୍ଷୀର ଅପମିଶ୍ରଣ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଦୁଇ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ କୋଲକତା ବିଜିପୁର ଥାନା ଶଶିବାବୁ ରୋଡ଼ କାଞ୍ଚରପଡାର ସୁଧୀର କୁମାର ତିୱାରୀ ଓ କଟକ ଜିଲ୍ଲା ଚୌଦ୍ବାର ଥାନା ନୂଆପାଟଣା ଗାଁର ପ୍ରକାଶ ଖୁଣ୍ଟିଆ ।

ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ସୁଧୀର କୁମାର ତିୱାରୀ ଓ ପ୍ରକାଶ ଖୁଣ୍ଟିଆ ମିଳିତ ଭାବେ କୁଷ୍ପଙ୍ଗି ଠାରେ ଏକ ଢ଼ାବା ପଛ ପଟେ କ୍ଷୀରରେ ଅପମିଶ୍ରଣ କରିଆସୁଥିଲେ । ରାତିର ଘନ ଅନ୍ଧକାରରେ ବିଭିନ୍ନ ସ୍ଥାନକୁ ଯାଉଥିବା କ୍ଷୀର ଟ୍ୟାଙ୍କର ଗୁଡିକୁ ହାତକରି ଏଥିରୁ କ୍ଷୀର ବାହାର କରି ସମ ପରିମାଣର ପାଣି, କେମିକାଲ, ପାଉଡର, ଇତ୍ୟାଦି ମିଶାଉଥିଲେ । କୁଷ୍ପଙ୍ଗି ଠାରେ କ୍ଷୀର ଟ୍ୟାଙ୍କରରେ ଅପମିଶ୍ରଣ ହେଉଥିବା ନେଇ କଟକ ଗ୍ରାମାଞ୍ଚଳ ଏସପିକୁ କେହି ଖବର କରିଥିଲା ।

ସେପଟେ ଖବର ପାଇ ପୁଲିସ ପକ୍ଷରୁ ଏକ ଟିମ୍ ସେଠାରେ ଚଢାଉ କରି ଟ୍ୟାଙ୍କର ସହିତ ଏକ ଗାଡ଼ିରେ ଥିବା ୫ ଟି କେନ ଓ ଅପମିଶ୍ରଣରେ ବ୍ୟବହୃତ ରାସାୟନିକ ପଦାର୍ଥ ଜବତ କରିଥିଲା । ରାସାୟନିକ ପଦାର୍ଥ ସବୁ ପରୀକ୍ଷାଗାରକୁ ପଠାଯାଇଥିଲା । ଏହି ଅପମିଶ୍ରଣ କାରବାର ପଛରେ କିଛି ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ତଦନ୍ତ ପରେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।