କୋଇଡ଼ା: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ି ଦୁଇ ନାବାଳକ ଭାଇ- ଭଉଣୀଙ୍କ ଅକାଳ ମୃତ୍ୟୁ। ଏଭଳି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟଣା ଘଟିଛି କୋଇଡ଼ା ଥାନା ଅନ୍ତର୍ଗତ କାଦଡିହା ଗ୍ରାମରେ। ମୃତ ଦୁଇ ଶିଶୁ ହେଲେ ଗ୍ରାମର ଶମ୍ଭୁ ଭୂମିଜଙ୍କ ୫ ବର୍ଷର ଝିଅ ପ୍ରିୟା ଭୂମିଜ ଓ ୩ ବର୍ଷର ପୁଅ ମନୋଜ ଭୂମିଜ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳେ ପ୍ରିୟା ଓ ମନୋଜ ଘର ନିକଟରେ ଥିବା ପଡ଼ିଆକୁ ଶୌଚ ପାଇଁ ଯାଇଥିଲେ। ସେହି ପଡ଼ିଆ ନିକଟରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୃହ ନିର୍ମାଣ ଜାରି ରହିଛି। ଏମିତିରେ ସେଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିଟି ବର୍ଷା ଜଳରେ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ରହିଥିଲା। ଆଉ ଦୁର୍ଭାଗ୍ୟବଶତଃ ଦୁଇ ଶିଶୁ ସେହି ଟାଙ୍କି ନିକଟକୁ ଯାଇଥିବା ବେଳେ ଗୋଡ଼ ଖସି ପାଣି ଭିତରକୁ ଖସିପଡ଼ିଥିଲେ।

ତେବେ କିଛି ସମୟ ପରେ ଦୁଇ ଶିଶୁ ପାଣିରେ ବୁଡ଼ି ଯାଉଥିବା ନେଇ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀମାନେ ଘଟଣାସ୍ଥଳକୁ ଦୌଡ଼ିଆସି ଦୁହିଁଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତୁରନ୍ତ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Also Read: ତାଳଗଛ ଉପରେ ମୃତ୍ୟୁ ସହ ୨୪ ଘଣ୍ଟାର ସଂଘର୍ଷ, ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

ଗୋଟିଏ ପରିବାରର ଦୁଇ ଦୁଇଟି କୋମଳମତି ଶିଶୁଙ୍କର ଏଭଳି ଦୁଃଖଦ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଗ୍ରାମବାସୀମାନେ ସ୍ତବ୍ଧ ହୋଇପଡ଼ିଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।