ଆଇଜଲ: ଜଣେ ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ତାଙ୍କ ଉପରେ ଏସିଡ୍ ଫିଙ୍ଗିବା ମାମଲାରେ ମିଜୋରାମର ୨ଜଣ ବିଏସ୍ଏଫ୍ ଯବାନଙ୍କୁ ଆଇଜଲ ଜିଲ୍ଲା ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଉଭୟଙ୍କୁ ସଶ୍ରମ ୪୨ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଯବାନ ଦ୍ଵୟ ହେଲେ ନୀଲାଞ୍ଜନ ଦାସ ଏବଂ ଦୀନେଶ କୁମାର । ତେବେ ଯୁବତୀଙ୍କ ବାନ୍ଧବୀଙ୍କ ହତ୍ୟା ଅଭିଯୋଗରେ ଅଦାଲତ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ସିଲ୍ଭି ।

ଗତ ୧୨ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ମଙ୍ଗଳବାର ଦଣ୍ଡାଦେଶ ଶୁଣାଇଥିଲେ। ଦୁଇ ଯବାନଙ୍କୁ ମିଳିଥିବା ୪୨ ବର୍ଷ ଜେଲଦଣ୍ଡ ମଧ୍ୟରୁ ଗଣବଳାତ୍କାର ପାଇଁ ୨୦ ବର୍ଷ ଲେଖାଏ, ବଳାତ୍କାର ବେଳେ ଗମ୍ଭୀର ଶାରୀରିକ ଆଘାତ ପହଞ୍ଚାଇଥିବାରୁ ୧୦ ବର୍ଷ ଲେଖାଏ ଏବଂ ଏସିଡ୍ ଫିଙ୍ଗିବା ଦୋଷରେ ୧୨ ବର୍ଷ ଲେଖାଏ ଦଣ୍ଡାଦେଶ ରହିଛି।

ତେବେ ତଦନ୍ତ ଏବଂ ବିଚାର ବେଳେ ସେମାନେ ଜେଲରେ ବିତାଇଥିବା ଅବଧିକୁ ଏଥିରୁ ବାଦ୍ ଦିଆଯିବ। ଏଥିସହ ପ୍ରତ୍ୟେକ ଅପରାଧ ବାବଦକୁ ୨୦ ହଜାର ଟଙ୍କା ଲେଖାଏ ମୋଟ ୬୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଏହି ଘଟଣା ୨୦୧୭ ମସିହାର। ପୀଡ଼ିତା ୨୦୧୭ ଜୁଲାଇ ୧୬ରେ ତାଙ୍କର ଜଣେ ବାନ୍ଧବୀଙ୍କ ସହ ଭାରତ-ବାଂଲାଦେଶ ସୀମା ସ୍ଥିତ ମମିତ ଜିଲ୍ଲାରେ ଗସ୍କାଟା ନଦୀ ନିକଟକୁ ଫଳମୂଳ ସଂଗ୍ରହ କରିବାକୁ ଯାଇଥିଲେ। ବର୍ଡର ଆଉଟପୋଷ୍ଟରେ ମୁତୟନ ଥିବା ନୀଲାଞ୍ଜନ ଏବଂ ଦିନେଶ ଦୁଇ ଯୁବତୀଙ୍କୁ ଘେରି ଯାଇଥିଲେ।

ପରେ ଜଣେ ଯୁବତୀଙ୍କୁ ବଳାହାର କରିଥିଲେ। ଯୁବତୀ ଯେପରି ତାଙ୍କୁ ଚିହ୍ନି ନ ଦିଅନ୍ତି ସେଥିପାଇଁ ତାଙ୍କ ମୁହଁରେ ଦୁଇ ଯବାନ ଏସିଡ୍ ଫିଙ୍ଗି ଦେଇଥିଲେ । ଏହି ଭୟଙ୍କର ଘଟଣା ପରେ ଯୁବତୀ ବଞ୍ଚି ଯାଇଥିଲେ ହେଁ ସେ ଅନ୍ଧ ହୋଇଯାଇଥିଲେ। କିନ୍ତୁ ତାଙ୍କ ବାନ୍ଧବୀ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିଲେ। ଘଟଣାର ୧୧ ଦିନ ପରେ ଘନ ଜଙ୍ଗଲର ତାଙ୍କ ମୃତଦେହ ମିଳିଥିଲା।